ଟୋକିଓରେ ଚାନୁ ଚମକ: ପ୍ରଥମ ଦିନରେ ଭାରତକୁ ରୌପ୍ୟ

ଟୋକିଓରେ ଚାନୁ ଚମକ: ପ୍ରଥମ ଦିନରେ ଭାରତକୁ ରୌପ୍ୟ

ଟୋକିଓ : ୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ପ୍ରାର୍ଥନା, ଶୁଭେଚ୍ଛା ଓ ଶୁଭକାମନାକୁ ସାର୍ଥକ କରି ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ହିଁ ଦେଶବାସୀଙ୍କୁ ପ୍ରତୀକ୍ଷିତ ପଦକ ଉପହାର ଭେଟି ଦେଇଛନ୍ତି ଭାରେ‌ତ୍ତୋଳନ ତାରକା ମୀରାବାଇ ଚାନୁ। ମଣିପୁରର ମଫସଲ ଗାଁରୁ ଆସି ଏହି କ୍ରୀଡ଼ା ମହାକୁମ୍ଭରେ ଐତିହାସିକ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ଚମକେଇ ଦେଇଛନ୍ତି ଚାନୁ। ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ୪୯ କିଲୋଗ୍ରାମ ବର୍ଗରେ ଶନିବାର ରୌପ୍ୟ ପଦକ ଜିତିଛନ୍ତି ଚାନୁ। ଏହା ସହିତ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦେଶ କରିଥିବା ଅପେକ୍ଷାର ସୁଖଦ ଅନ୍ତ ଘଟିଛି। ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ବରୀ କାଂସ୍ୟ ପଦକ ଜିତିବା ପରେ ଚାରିଟି ଅଲିମ୍ପିକ୍ସ ସରିଥିଲେ ମଧ୍ୟ ଭାରୋତ୍ତୋଳନରୁ ପଦକ ଜିତିବାର ସୌଭାଗ୍ୟ କୌଣସି ଭାରତୀୟଙ୍କୁ ମିଳି ନଥିଲା। ଟୋକିଓରେ ଏହି ଦୁଃଖକୁ ଦୂର କରିଛନ୍ତି ୨୬ ବର୍ଷୀୟା ସୁପରଉମ୍ୟାନ୍ ଚାନୁ। ତାଙ୍କର ଏହି ଚର୍ଚ୍ଚିତ କ୍ରୀଡ଼ା ଚମକ ପରେ ସମଗ୍ର ଦେଶରେ ଖୁସିର ଲହରି ଖେଳି ଯାଇଛି।

ଦେଶ ଏଥର ପୂର୍ବର ସମସ୍ତ ଅଲିମ୍ପିକ୍ସ ସଫଳତାକୁ ଟପିଯିବ ବୋଲି ଆଶା ସଂଚାର ହୋଇଛି।‌ ଅନ୍ୟପକ୍ଷରେ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ପାଇବାର ଅନନ୍ୟ ସଫଳତା ଦେଶ ଲାଭ କରିଛି। ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ଜିତିବାରେ ଚାନୁ ଷଷ୍ଠ ଭାରତୀୟ ମହିଳା ହୋଇଛନ୍ତି। ବ୍ୟକ୍ତିଗତ ଭାବେ ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ପଦକ ଥିଲା।

ଆଜି ଅପୂର୍ବ ଏକାଗ୍ରତା, ନିଷ୍ଠା ଓ ସାହସର ପରିଚୟ ଦେଇ ଚାନୁ ୨୦୨ କିଲୋଗ୍ରାମ (ସ୍ନାଚ୍‌ରେ ୮୭ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୧୫) ଭାର ଉଠାଇ ୨୧ ବର୍ଷ ପରେ ଦେଶବାସୀଙ୍କୁ ଭାରୋତ୍ତୋଳନରୁ ଦ୍ବିତୀୟ ପଦକ ଉପହାର ଦେଇଥିଲେ। ନିଜ ଦୁର୍ବଳତାକୁ ଦକ୍ଷତାରେ ପରିଣତ କରି ସ୍ନାଚ୍‌ର ତୃତୀୟ ପ୍ରୟାସରେ ସର୍ବାଧିକ ୮୯ କିଲୋଗ୍ରାମ ଭାର ଉଠାଇଥିଲେ ଚାନୁ। ଯାହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ୧ କିଲୋଗ୍ରାମ ଅଧିକ ଥିଲା। ସେହିଭଳି କ୍ଲିନ୍ ଆଣ୍ଡ ଜର୍କର ଦ୍ବିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଭାର ଉଠାଇ ସ୍ବର୍ଣ୍ଣ ପଦକ ଦୌଡ଼ରେ ସାମିଲ ହୋଇଥିଲେ ସେ। ତୃତୀୟ ତଥା ଶେଷ ପ୍ରୟାସରେ ୧୧୭ କିଲୋଗ୍ରାମ ଭାର ଉଠାଇବାରୁ ବଞ୍ଚିତ ହେବା ପରେ ରୌପ୍ୟ ପଦକ କରାୟତ୍ତ କରିଥିଲେ। ଚୀନ୍‌ର ହୁ ଝିହୁଇ (୨୧୦ କିଲୋଗ୍ରାମ ଭାର ଉଠାଇ) ନୂଆ ଅଲିମ୍ପିକ୍ସ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। କାଂସ୍ୟ ପଦକ ଇଣ୍ଡୋନେସିଆର ଆଇସ ୱିଣ୍ଡି କାଣ୍ଟିକା (୧୯୪ କିଲୋଗ୍ରାମ)ଙ୍କୁ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe