Telegraph India
ମୁମ୍ବାଇ : ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରୁ ଭାରତର ପରାଜୟ ପରେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଦଳର କାମଚଳା ପ୍ରଶିକ୍ଷକ ଭୂମିକାରେ ରହିବେ। ନ୍ୟୁଜିଲାଣ୍ଡରେ ଭାରତ ଆସନ୍ତା ୧୮ ତାରିଖରୁ ୩ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ ମ୍ୟାଚ୍ ଖେଳିବ। ଦଳର ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ ଓ ରବିଚନ୍ଦ୍ରନ ଅଶ୍ବିନ୍ଙ୍କ ସହିତ ସମସ୍ତ ପ୍ରଶିକ୍ଷଣ କର୍ମଚାରୀଙ୍କୁ ମଧ୍ୟ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି।
ହାର୍ଦ୍ଦିକ ପାଣ୍ଡ୍ୟା ଟ୍ବେଣ୍ଟି-୨୦ ଓ ଶିଖର ଧାୱନ୍ ଦିନିକିଆ ଦଳର ନେତୃତ୍ବ ନେବେ। ଏହାପରେ ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ରୋହିତ, କୋହଲି ଓ ଅଶ୍ବିନ୍ ଭାରତୀୟ ଦଳକୁ ଫେରିବେ। ବାଂଲାଦେଶ ସହିତ ଡିସେମ୍ବର ୪ରୁ ୩ ଦିନିକିଆ, ୨ ଟେଷ୍ଟ ମ୍ୟାଚ୍ ଭାରତ ଖେଳିବ। ଅନ୍ୟପକ୍ଷରେ ଲକ୍ଷ୍ମଣଙ୍କ ସହିତ ବ୍ୟାଟିଂ ପ୍ରଶିକ୍ଷକ ହୃଷିକେଶ କାନିତକର୍ ଓ ବୋଲିଂ ପ୍ରଶିକ୍ଷକ ସାଇରାଜ ବାହୁତୁଲେ ନ୍ୟୁଜିଲାଣ୍ଡ୍ରେ ଦଳ ସହିତ ଯୋଗଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଲକ୍ଷ୍ମଣ ପ୍ରଥମ ଥର ପାଇଁ ଜାତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇନାହାନ୍ତି। ପୂର୍ବରୁ ଜିମ୍ବାୱେ, ଆୟର୍ଲାଣ୍ଡ ଗସ୍ତ ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରେ ସେ ଭାରତୀୟ ଦଳର ପ୍ରଶିକ୍ଷକ ରହିଥିଲେ।
Follow Us