ଲଣ୍ଡନ: ଇଂଲଣ୍ଡର ପ୍ରତିଷ୍ଠିତ ପ୍ରିମିୟର ଲିଗ୍ କ୍ଲବ୍ ଚେଲ୍ସି ତାର ଚର୍ଚିତ ପ୍ରଶିକ୍ଷକ ଫ୍ରାଙ୍କ ଲାମ୍ପାର୍ଡଙ୍କୁ ବରଖାସ୍ତ କରିଛି। କ୍ଲବ୍ କିନ୍ତୁ ତାଙ୍କ ବଦଳ ପ୍ରଶିକ୍ଷକଙ୍କ ନାଁ ଘୋଷଣା କରି ନାହିଁ। ତେବେ ରିପୋର୍ଟ ଅନୁସାରେ ପୂର୍ବତନ ପ୍ୟାରିସ-ସେଣ୍ଟ-ଜର୍ମେନ ପ୍ରଶିକ୍ଷକ ଥୋମାସ ଟୁଚେଲ ତାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଲାମ୍ପାର୍ଡଙ୍କ ସହ ସଂପର୍କ ତୁଟାଇଥିବା କ୍ଲବ୍ ଟ୍ବିଟ୍ କରି ଜଣାଇବା ପରେ ତାଙ୍କ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଲମ୍ପାର୍ଡଙ୍କ ସହ ଘୋର ଅନ୍ୟାୟ ହୋଇଛି ବୋଲି କେତେକ ପ୍ରଶଂସକ ଖୋଲାଖୋଲି ଭାବେ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ। ତେବେ ଲାମ୍ପାର୍ଡଙ୍କ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣରେ କୌଣସି ବଡ଼ ସଫଳତା ନପାଇବା କ୍ଲବ୍ ଏଭଳି କଠୋର ପଦକ୍ଷେପ ନେବାର କାରଣ ବୋଲି ଜଣାପଡ଼ିଛି। ତାଙ୍କ ପ୍ରଶିକ୍ଷଣରେ ଚେଲ୍ସି ଗତବର୍ଷ ଏଫ୍ଏ କପ୍ର ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ସେଠାରେ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ପ୍ରିମିୟର ଲିଗ୍ ୨୦୨୦-୨୧ ପଏଣ୍ଟ ତାଲିକାରେ ସଂପ୍ରତି କ୍ଲବ୍ ନବମ ସ୍ଥାନରେ ରହିଛି। ୧୯ ମ୍ୟାଚ୍ରୁ ମାତ୍ର ୨୯ ପଏଣ୍ଟ ଅର୍ଜନ କରିଛି।
ଲାମ୍ପାର୍ଡଙ୍କୁ ବରଖାସ୍ତ କଲା ଚେଲ୍ସି
Advertisment
Follow Us