ଚେନ୍ନାଇଁ ଦ୍ୱିତୀୟ ଥର ଆଇଏସ୍‌ଏଲ୍‌ ବିଜେତା

ବେଙ୍ଗାଲୁରୁ ହୃଦୟ ଭାଙ୍ଗିଲା

ଚେନ୍ନାଇଁ ଦ୍ୱିତୀୟ ଥର ଆଇଏସ୍‌ଏଲ୍‌ ବିଜେତା

Chennaiyin FC are crowned champions

ବେଙ୍ଗାଲୁରୁ: ପାଖାପାଖି ତିନି ମାସର ଲଢ଼େଇ ଏବଂ ୯୪ ମ୍ୟାଚ୍‌ ପରେ ଭାରତର ଲୋକପ୍ରିୟ ଘରୋଇ ପେସାଦାର ଫୁଟ୍‌ବଲ୍‌ ପ୍ରତିଯୋଗିତା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍‌ ସୁପର୍‌ ଲିଗ୍‌) ଶନିବାର ରାତିରେ ଶେଷ ହୋଇଛି। ପ୍ରଥମ ଥର ଖେଳି ଫାଇନାଲ ପର୍ଯ୍ୟନ୍ତ ଯାଇଥିବା ବେଙ୍ଗାଲୁରୁ ଏଫ୍‌ସିର ହୃଦୟ ଭାଙ୍ଗି ଚେନ୍ନାଇଁ ଚଳିତ ବର୍ଷ ବିଜେତା ହୋଇଛି। ଆଇଏସ୍‌ଏଲ୍‌ର ଏହି ଚତୁର୍ଥ ସଂସ୍କରଣର ଶନିବାର ରାତିରେ ଖେଳା ଯାଇଥିବା ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଚେନ୍ନାଇଁ ୩-୨ ଗୋଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଦ୍ୱିତୀୟ ବାର ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି। ଏଥିସହିତ ଚେନ୍ନାଇଁ ଏଟିକେର ଦୁଇଟି (୨୦୧୪, ୨୦୧୬) ଆଇଏସ୍‌ଏଲ୍‌ ଟ୍ରଫି ଜିତିବା କୀର୍ତ୍ତିମାନ ସହ ସମକକ୍ଷ ହୋଇଯାଇଛି। ୨୦୧୪ରୁ ଆରମ୍ଭ ହୋଇଥିବା ଆଇଏସ୍‌ଏଲ୍‌ର ଦ୍ୱିତୀୟ ସଂସ୍କରଣ ଅର୍ଥାତ୍‌ ୨୦୧୫ରେ ମଧ୍ୟ ଚେନ୍ନାଇଁ ବିଜେତା ଆଖ୍ୟା ଅର୍ଜନ କରିଥିଲା। ସେହିଭଳି ପ୍ରତିଯୋଗିତାରେ ଘରୋଇ ପରିବେଶରେ କୌଣସି ଦଳ ବିଜେତା ନ ହେବାର ଧାରା ଲମ୍ବି ଚାଲିଲା। ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍‌ ଯାଇଥିବା ବେଙ୍ଗାଲୁରୁ ନିଜ ଘରୋଇ ପଡ଼ିଆରେ ଫାଇନାଲ ଖେଳି ମଧ୍ୟ ବିଜେତା ହୋଇ ପାରି ନଥିଲା। ଦ୍ୱିତୀୟ ସ୍ଥାନରେ ଥିବା ଚେନ୍ନାଇ କିନ୍ତୁ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲା।

ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ଶନିବାର ଫାଇନାଲ ପୂର୍ବରୁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଖେଳିଥିବା ବେଙ୍ଗାଲୁରୁ ଏଫ୍‌ସି ବିଜେତା ହେବ ବୋଲି ବହୁ ଫୁଟ୍‌ବଲ୍‌ ପଣ୍ଡିତ ଭବିଷ୍ୟବାଣୀ କରିଥିଲେ। ହେଲେ ଚେନ୍ନାଇଁ ଉତ୍ତମ ସମନ୍ଵୟ ଏବଂ କୌଶଳପୂର୍ଣ୍ଣ ଫୁଟବଲ୍‌ ଖେଳି ଏହି ଦଳକୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲା। ସବୁ ଭବିଷ୍ୟବାଣୀ ଯେମିତି ଭୁଲ ପ୍ରମାଣିତ ହୋଇଥିଲା। ବେଙ୍ଗାଲୁରୁ ଅବଶ୍ୟ ପ୍ରଥମେ ଗୋଲ୍‌ ଖାତା ଖୋଲିଥିଲା। ଅଧିନାୟକ ଛେତ୍ରୀଙ୍କ ନବମ ମିନିଟ୍‌ ଗୋଲ୍‌ ବଳରେ ଏହି ଦଳ ପ୍ରଥମ ୧୦ ମିନିଟ୍‌ ଭିତରେ ଆଗୁଆ ହୋଇ ଯାଇଥିଲା। ଏହା ପରେ କିନ୍ତୁ ମ୍ୟାଚ୍‌ ଆଶ୍ଚର୍ଯ୍ୟଜନକ ଭାବେ ଚେନ୍ନାଇଁ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଚେନ୍ନାଇଁ ବିଜୟରେ ମେଲସନ୍‌ ଅଲ୍‌ଭେସ୍‌ ଏବଂ ରଫାଏଲ୍‌ ଅଗସ୍ତୋ ପ୍ରମୁଖ ଭୂମିକା ତୁଲାଇଥିଲେ। ବିଶେଷ କରି ଆଲ୍‌ଭେସ୍‌ ଏକାକି ଦୁଇଟି ଗୋଲ୍‌ (୧୭ ଓ ୪୫ ମିନିଟ୍‌) ଦେଇ ଚେନ୍ନାଇଁକୁ ଟ୍ରଫି ଉପହାର ଦେଇଥିଲେ। ଅଗସ୍ତୋ ୬୭ ମିନିଟ୍‌ରେ ଦେଇଥିବା ଗୋଲ୍‌ ମଧ୍ୟ ବେଙ୍ଗାଲୁରୁ ଉପରେ ଚାପ ସୃଷ୍ଟି କରିବାକୁ ପର୍ଯ୍ୟାପ୍ତ ହୋଇଥିଲା। ୮୭ ମିିନଟ୍‌ରେ ଛେତ୍ରୀ ଏକ ଭଲ ସୁଯୋଗକୁ ହାତଛଡ଼ା କରିବା ମଧ୍ୟ ବେଙ୍ଗାଲୁରୁ ଉପରେ ଭାରି ପଡ଼ିଥିଲା। ମିକୁ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍‌ରେ ଏକ ଗୋଲ୍‌ କରିଥିଲେ। ହେଲେ ଚେନ୍ନାଇ ୩-୨ ବ୍ୟବଧାନରେ ବିଜୟୀ ହୋଇଥିଲା। ତା’ ସହ ବେଙ୍ଗାଲୁରୁର ପଦାର୍ପଣରେ ବିଜେତା ହେବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ପ୍ରତିଯୋଗିତାରେ ଗୋଆ ଏଫ୍‌ସିର କୋରୋ (୧୮) ସର୍ବାଧିକ ଗୋଲ୍‌ ଦେଇଥିଲେ। ବେଙ୍ଗାଲୁରୁ ଏଫସିର ଗୁୁରପ୍ରୀତ ସିଂହ ସାନ୍ଧୁ ଶ୍ରେଷ୍ଠ ଗୋଲ୍‌ ରକ୍ଷକ ଭାବେ ସ୍ୱର୍ଣ୍ଣ ଗ୍ଲୋଭ୍ସ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe