ସପ୍ତମ ପରାଜୟ ସହ ବିଦାୟ ଦ୍ବାରରେ ଚେନ୍ନାଇ, ସ୍ପିନର ଓ ବଟଲର ରୟାଲ୍ସକୁ ଜିତାଇଲେ

Advertisment
ସପ୍ତମ ପରାଜୟ ସହ ବିଦାୟ ଦ୍ବାରରେ ଚେନ୍ନାଇ, ସ୍ପିନର ଓ ବଟଲର ରୟାଲ୍ସକୁ ଜିତାଇଲେ

ଆବୁ ଧାବି: ୩ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସର ୨୦୨୦ ଆଇପିଏଲ୍‌ ଅଭିଯାନ ବିନା ପ୍ଲେ ଅଫ୍‌ରେ ଶେଷ ହେବା ଆଶଙ୍କା ସୃଷ୍ଟି ହୋଇଛି। ଚମକହୀନ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସୋମବାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ନିକଟରୁ ୭ ୱିକେଟରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ସପ୍ତମ ପରାଜୟ ସହ ଏହି ସଫଳତମ ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ ନ ଖେଳି ବିଦାୟ ନେବାର ଦ୍ବାର ଦେଶରେ ପହଞ୍ଚିଯାଇଛି। ସୋମବାର ଧୋନିଙ୍କ ଦଳ ମାତ୍ର ୧୨୫/୫ରେ ସୀମିତ ରହିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଇଂଲିସ୍ ବ୍ୟାଟସମ୍ୟାନ୍ ଜୋସ୍ ବଟ୍ଟଲର୍ (୭୦*, ୪୮ ବଲ୍‌) ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ରାଜସ୍ଥାନ ରୟାଲ୍ସ ଲଗାତାର ବିଜୟ ସହିତ ୧୦ ମ୍ୟାଚ୍‌ରୁ ୮ ପଏଣ୍ଟ୍ ସହ ପ୍ଲେ ଅଫ୍‌ ସମ୍ଭାବନାକୁ ଉଜ୍ଜୀବିତ କରିଛି।

୧୨୬ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ ବି ସମାନ ଢ଼ଙ୍ଗରେ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା। ମାତ୍ର ୧୦ ବଲ୍‌ ଓ ୨ ରନ୍‌ ଭିତରେ ୩ ୱିକେଟ୍ (ବେନ୍ ଷ୍ଟୋକ୍ସ, ରବିନ୍‌ ଉଥପ୍ପା, ସଞ୍ଜୁ ସାମସନ୍) ହରାଇ ୨୮/୩ ସ୍କୋର୍‌ ସହ ଚାପରେ ପଡ଼ିଥିଲା। ଏହି ସମୟରେ କିନ୍ତୁ ଦୁଇ ବିଦେଶୀ ଖେଳାଳି ଜୋସ୍ ବଟ୍ଟଲର୍‌ ଏବଂ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ପାଳି ସଜାଡ଼ିବା ସହିତ ମ୍ୟାଚ୍‌ ବାହାର କରି ନେଇଥିଲେ। ସ୍ମିଥ୍‌ ପାଳି ନିର୍ମାଣରେ ଲାଗି ରହିଥିବା ବେଳେ ବଟ୍ଟଲର୍ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍‌କୁ ଅଢ଼େଇ ଓଭର ପୂର୍ବରୁ ଶେଷ କରି ଦେଇଥିଲେ। ବଟ୍ଟଲର୍‌ ୪୮ ବଲରୁ ୭୦* (୭ ଚୌକା, ୨ ଛକା) ଏବଂ ସ୍ମିଥ୍‌ ୩୪ ବଲରୁ ୨୬* ରନ୍ କରି ଅପରାଜିତ ରହିଥିଲେ। ବଟ୍ଟଲର୍‌ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବୋଲର ବିଶେଷ କରି ସ୍ପିନରଙ୍କ ଆଗରେ ହାର ମାନିବାରୁ ଚେନ୍ନାଇ ସାଧାରଣ ସ୍କୋର ଛିଡ଼ା କରିଥିଲା। ସାମ୍ କରନ୍‌ ଏବଂ ଫାପ୍ ଡୁ’ପ୍ଲେସିସ୍‌ ପାଳି ଆରମ୍ଭ କରିଥିଲେ ମଧ୍ୟ ଦଳକୁ ଦୃଢ଼ ମୂଳଦୁଆ ମିଳିନଥିଲା। ଚତୁର୍ଥ ଓଭର ଭିତରେ ଦଳର ଅଗ୍ରଣୀ ରନ୍‌ ସ୍କୋରର୍‌ ଫାପ୍ ଡୁ’ପ୍ଲେସିସ୍‌ (୧୦, ୯ ବଲ୍‌) ଏବଂ ସେନ୍‌ ୱାଟସନ୍ (୮, ୩ ବଲ୍‌) ଆଉଟ୍ ହୋଇଯାଇଥିଲେ। ଡୁ’ପ୍ଲେସିସଙ୍କୁ ଜୋଫ୍ରା ଆର୍ଚର ଏବଂ ୱାଟସନ୍‌ଙ୍କୁ ଯୁବ ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ। ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଥିବା ଇଂଲଣ୍ଡ ଅଲରାଉଣ୍ଡର୍ ସାମ୍ କରନ୍‌ (୨୨, ୨୫ ବଲ୍‌)ଙ୍କୁ ଲେଗ୍‌ ସ୍ପିନର୍‌‌ ଶ୍ରେୟସ‌ ଗୋପାଳ ଆଗକୁ ବଢ଼ିବାକୁ ଦେଇନଥିଲେ। ଅମ୍ବାତି ରାୟୁଡୁ (୧୩, ୧୯ ବଲ୍‌) ମଧ୍ୟ ଅନ୍ୟତମ ସ୍ପିନର୍‌ ରାହୁଲ ତିୱାତିଆଙ୍କ ଶିକାର ହୋଇ ଚେନ୍ନାଇ ସମ୍ଭାବନାକୁ ସୀମିତ ରଖିଥିଲେ। ପୁଣି ଥରେ ମହେନ୍ଦ୍ର ସିଂହ ଧୋନି ଏବଂ ରବୀନ୍ଦ୍ର ଜାଦେଜା ପାଳି ସଜାଡ଼ିବାରେ ଲାଗି ପଡ଼ିଥିଲେ। ପଞ୍ଚମ ୱିକେଟ୍ ଭାଗୀଦାରିରେ ଏମା‌ନେ ୭.୪ ଓଭରରେ ୫୧ ରନ୍ ଯୋଡ଼ିଥିଲେ। ୧୮ତମ ଓଭରରେ ଧୋନି (୨୮, ୨୮ ବଲ୍‌)ଙ୍କ ରନ୍‌ ଆଉଟ୍ ମଧ୍ୟ ରାଜସ୍ଥାନକୁ ଭଲ ସୁଯୋଗ ଦେଇଥିଲା। ରବୀନ୍ଦ୍ର ଜାଦେଜା (୩୫*, ୩୦ ବଲ୍‌, ୪ ଚୌକା) କେବଳ ଦଳକୁ କଷ୍ଟେମଷ୍ଟେ ୧୨୫ ରନ୍‌ରେ ପହଞ୍ଚାଇଥିଲା। ରାଜସ୍ଥାନ ପକ୍ଷରୁ ଦୁଇ ଭାରତୀୟ ସ୍ପିନର୍‌ ଶ୍ରେୟସ ଗୋପାଳ ଏବଂ ରାହୁଲ ତିୱାତିଆ ମିଳିତ ଭାବେ ୮ ଓଭରରେ ମାତ୍ର ୩୨ ରନ୍ ଦେଇ ୨ ୱିକେଟ୍ ନେବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଫଳରେ ଚେନ୍ନାଇ ଶେଷ ୫ ଓଭରରୁ ମାତ୍ର ୩୬ ରନ୍ ଯୋଡ଼ିପାରିଥିଲା। ଚଳିତ ସଂସ୍କରଣରେ ଏହା ମଧ୍ୟ ଦ୍ବିତୀୟ ସର୍ବନିମ୍ନ ସ୍କୋର୍‌ ହୋଇଛି। ପୂର୍ବରୁ ପଞ୍ଜାବ ବିପକ୍ଷ ମୁକାବିଲାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ମାତ୍ର ୧୦୯ ରନ୍ କରିବା ସର୍ବନିମ୍ନ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe