ଆଇପିଏଲ୍‌ରେ ଚେତନ ଚମକ, ଷ୍ଟେସନାରି ଦୋକାନରୁ ସର୍ବଶ୍ରେଷ୍ଠ କ୍ରିକେଟ୍ ଲିଗ୍

Advertisment

ଏକାଗ୍ରତାକୁ ଦୋହରାଇ ପାରିନଥିଲା ଭାଇର ମୃତ୍ୟୁ, ମୋଡ଼ ବଦଳାଇଥିଲା ଏମ୍‌ଆରଏଫ୍ ଫାଉଣ୍ଡେସନ୍ ରହଣି

ଏକାଗ୍ରତାକୁ ଦୋହରାଇ ପାରିନଥିଲା ଭାଇର ମୃତ୍ୟୁ, ମୋଡ଼ ବଦଳାଇଥିଲା ଏମ୍‌ଆରଏଫ୍ ଫାଉଣ୍ଡେସନ୍ ରହଣି

ଆଇପିଏଲ୍‌ରେ ଚେତନ ଚମକ, ଷ୍ଟେସନାରି ଦୋକାନରୁ ସର୍ବଶ୍ରେଷ୍ଠ କ୍ରିକେଟ୍ ଲିଗ୍

DNA India

ଭାବନଗର (ଗୁଜୁରାଟ): ରାଜସ୍ଥାନ ରୟାଲ୍ସ ଦ୍ରୁତ ବୋଲର ଚେତନ ସାକାରିଆ ଜୀବନରେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି। ହେଲେ ପରିସ୍ଥିତି ଆଗରେ ହାରନମାନି ନିଜ ଅପୂର୍ବ ଏକାଗ୍ରତା, ନିରନ୍ତର ଅଧ୍ୟବସାୟ, ଶୃଙ୍ଖଳିତ ଜୀବନ ‌ଶୈଳୀ, ସଚ୍ଚୋଟତା ଓ ଅସାଧାରଣ କ୍ରିକେଟ୍ ପ୍ରେମ ପାଇଁ ଭାରତୀୟ ବାମହାତୀ ବୋଲିଂର ଅନ୍ୟତମ ଉଜ୍ଜ୍ବଳ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ଏକଦା କ୍ରିକେଟ୍‌ ଉପକରଣ କିଣିବା ଲାଗି ପାଖରେ ଟଙ୍କାଟିଏ ନଥିବା ସୌରାଷ୍ଟ୍ର ଅଞ୍ଚଳର ଏହି ୨୩ ବର୍ଷୀୟ ବୋଲର ବିଶ୍ବର ସବୁଠାରୁ ଲୋକପ୍ରିୟ, ଧନୀ ତଥା ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌ରେ ନିଜ ଅନନ୍ୟ ପ୍ରତିଭାର ପରିଚୟ ଦେଇ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ଗୁଜୁରାଟର ଏକ ମଫସଲ ଗାଁର ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଚେତନ ଆଇପିଏଲ୍ ପଦାର୍ପଣରେ ହିଁ ଚମକପ୍ରଦ ପ୍ରଦର୍ଶନ କରି ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କ ହୃଦୟ ଜିତି ନେଇଛନ୍ତି। ଚେତନଙ୍କ ସଂଘର୍ଷମୟ କ୍ରିକେଟ୍ ଜୀବନ ଛୋଟ ସହରର ଯେକୌଣସି ବଡ଼ ତାରକାଙ୍କ ପ୍ରେରଣାଦାୟୀ ସଫଳ କାହାଣୀଠାରୁ କୌଣସି ଗୁଣରେ କମ୍ ନୁହେଁ।

ସୋମବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଆଇପିଏଲ୍ ପଦାର୍ପଣ କରିଥିବା ସାକାରିଆ ୩୧ ରନ୍ ଦେଇ ୩ଟି ବହୂମୂଲ୍ୟ ୱିକେଟ୍ ଅକ୍ତିଆର କରିଥିଲେ। ସେ ମଧ୍ୟ ଫାଇନ୍ ଲେଗ୍‌ରେ ଏକ ଅତ୍ୟନ୍ତ କଷ୍ଟକର ମ୍ୟାଚ୍ ନେଇଥିଲେ। ବାମହାତୀ ବୋଲିଂ କରୁଥିବା ସାକାରିଆ ଗତି ପରିବର୍ତ୍ତନ କରିବାରେ ପୂରା ମାହିର। ବିବିଧତାଭରା ବୋଲିଂ ପାଇଁ ନିଜ ଚତୁର୍ଥ ତଥା ଶେଷ ଓଭରରେ କେବଳ ୫ ରନ୍ ଦେଇ କିଙ୍ଗ୍ସର ଦୁଇ ଜଣ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ ସେ। ରାଜସ୍ଥାନ ମ୍ୟାଚ୍‌ଟିକୁ ହାରିଯାଇଥିଲେ ମଧ୍ୟ ଅଧିନାୟକ ସଞ୍ଜୁ ସାମସନଙ୍କ ସହ ସାକାରିଆ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ।

ଏକାଗ୍ରତାକୁ ଦୋହରାଇ ପାରିନଥିଲା ଭାଇର ମୃତ୍ୟୁ
ଚଳିତବର୍ଷ ପ୍ରାରମ୍ଭରେ ୨୩ ବର୍ଷୀୟ ସାକାରିଆ ନିଜ ସାନ ଭାଇକୁ ହରାଇଥିଲେ। ମାତ୍ର ୨୦ ବର୍ଷ ବୟସରେ କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିଲେ। ଘରୋଇ କ୍ରିକେଟ୍ ଖେଳୁଥିବାରୁ କାଳେ ଖେଳ ଛାଡ଼ି ଘରକୁ ଫେରି ଆସିବେ ସେହି ଆଶଙ୍କା କରି ପିତାମାତା ୧୦ ଦିନ ପର୍ଯ୍ୟନ୍ତ ଏହି ଖବର ତାଙ୍କୁ ଜଣାଇନଥିଲେ। ଏସବୁ ସତ୍ତ୍ବେ ସାକାରିଆ ନିଜ ଲକ୍ଷ୍ୟପଥରୁ ତିଳେମାତ୍ର ବିଚ୍ୟୁତ ହୋଇନଥିଲେ। ସୟଦ ମୁସ୍ତାକ ଅଲ୍ଲୀ ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଆଇପିଏଲ୍ ମିନି ନିଲାମରେ ସାମିଲ ହୋଇଥିଲେ ସେ। ଫେବ୍ରୁଆରି ୧୮ରେ ଅନୁଷ୍ଠିତ ଏହି ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଥିଲା। ଗୁଜୁରାଟର ଭାବନଗରଠାରୁ ୧୦ କିଲୋମିଟର ଦୂରରେ ଥିବା ଏକ ଗାଁରୁ ଆସିଥିବା ସାକାରିଆଙ୍କ ପାଇଁ ଜୀବନ ଆଦୌ ସହଜ ନଥିଲା। ତାଙ୍କ ପିତା କାଞ୍ଜିଭାଇ ସାକାରିଆ ଟେମ୍ପୋ ଚଲାଇ ନିଜ ପରିବାରର ଭରଣପୋଷଣ କରୁଥିଲେ। ଯାହା କିଛି ରୋଜଗାର ହେଉଥିଲା ଦୁଇ ଓଳି ଦୁଇ ମୁଠା ଖାଇବା ପିଇବାରେ ଶେଷ ହୋଇଯାଉଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେ ମଧ୍ୟ ଏବେ ଶଯ୍ୟାଶାୟୀ। ସେଥିପାଇଁ ସାକାରିଆଙ୍କ ପଢ଼ା ଖର୍ଚ୍ଚ ତାଙ୍କ ମାମୁଁ ବହନ କରୁଥିଲେ। ପ୍ରତିବଦଳରେ ସାକାରିଆଙ୍କ ମାମୁଁଙ୍କ ଷ୍ଟେସନାରି ଦୋକାନରେ କିଛି ଘଣ୍ଟା କାମ କରିବାକୁ ପଡ଼ୁଥିଲା। ଅବଶ୍ୟ ମାମୁଁ କେବଳ ତାଙ୍କ ପଢ଼ା ଖର୍ଚ୍ଚର ଦାୟିତ୍ବ ନେଉନଥିଲେ, କ୍ରିକେଟ୍ ଉପକରଣ କରିଦେବା ସହ ଭାବସିଂହଜୀ କ୍ରିକେଟ୍ ଏକାଡେମିର ପ୍ରଶିକ୍ଷଣ ଦେୟ ବି ଦେଉଥିଲେ। ଏହିଠାରେ ସାକାରିଆ ସୌରାଷ୍ଟ୍ରର ସଫଳ ଖେଳାଳି ସେଲଡନ୍ ଜାକସନ୍, ହାର୍ଭିକ ଦେଶାଇ ଓ ସନ୍ଦୀପ ମାନିଆରଙ୍କ ସଂସ୍ପର୍ଶରେ ଆସିଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ସ୍କୁଲ ଦଳର ପ୍ରଶିକ୍ଷକ ତାଙ୍କୁ କ୍ରିକେଟ୍ ଖେଳିବାକୁ ପ୍ରୋତ୍ସାହିତ କରିଥିଲେ। ଭାବସିଂହଜୀ ଏକାଡେମିରେ ପ୍ରଶିକ୍ଷଣ ନେବା ପରେ ତାଙ୍କୁ ସୌରାଷ୍ଟ୍ର ୧୬ ବର୍ଷରୁ କମ୍ ଦଳରେ ସ୍ଥାନ ମିଳିଥିଲା। ସାକାରିଆ କିନ୍ତୁ ଦ୍ବାଦଶ ପରୀକ୍ଷା ଶେଷ ହେବା ପରେ କ୍ରିକେଟ୍‌ରେ ଅଧିକ ଧ୍ୟାନ ନିବେଶ କରିଥିଲେ। ପାଠ ପଢ଼ା ବି ଚାଲୁଥିଲା। ତା ଭିତରେ ସଂଧ୍ୟାରେ ଅଭ୍ୟାସ କରିବା ସହ ଦିନରେ ମାମୁଁଙ୍କ ଦୋକାନରେ କାମ କରୁଥିଲେ ସେ।

ମୋଡ଼ ବଦଳାଇଥିଲା ଏମ୍‌ଆରଏଫ୍ ଫାଉଣ୍ଡେସନ୍ ରହଣି
ପ୍ରତିଷ୍ଠିତ ଏମ୍‌ଆରଏଫ୍ ପେସ୍ ଫାଉଣ୍ଡେସନ୍‌ରେ ୫ ମାସର ରହଣି ହିଁ ଯୁବ ସାକାରିଆଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ସୌରାଷ୍ଟ୍ର ୧୯ ଓ ୨୩ ବର୍ଷରୁ କମ୍ ଦଳରୁ ଖେଳିବାର ସୁଯୋଗ ପାଇଥିଲେ ସେ। ଏହା ପରେ ସୌରାଷ୍ଟ୍ର ରଣଜୀ ଖେଳାଳିଙ୍କ ସହ ନେଟ୍ସରେ ଅଭ୍ୟାସ କରିବାର ସୁଯୋଗ ତାଙ୍କୁ ମିଳିଥିଲା। ୨୦୧୮ ମସିହାରେ ଗୁଜୁରାଟ ବିପକ୍ଷରେ ରଣଜୀ ପଦାର୍ପଣ କରି ପ୍ରଥମ ପାଳିରେ ସେ ୫ ୱିକେଟ୍ ସଫଳତା ପାଇଥିଲେ। ସେହିବର୍ଷ ୮ ମ୍ୟାଚ୍ ଖେଳି ୨୯ ୱିକେଟ୍ କରାୟତ୍ତ କରିଥିଲେ ସାକାରିଆ। ୨୦୧୯-୨୦ ଋତୁରେ ଝାଡ଼ଖଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳୁଥିଲା ବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଟ୍ରାଏଲ୍ସ ପାଇଁ ଡାକିଥିଲା। ସେଠାରେ ପ୍ରଶିକ୍ଷକ ମାଇକ ହେସନଙ୍କୁ ସେ ପ୍ରଭାବିତ କରିପାରିଥିଲେ। ଏହା ପରେ ଗତଋତୁରେ ରାଜସ୍ଥାନର ଅନ୍ୟତମ ନେଟ୍ ବୋଲର ଭାବେ ସେ ୟୁଏଇ ଯାତ୍ରା କରିଥିଲେ। ଏହି ସମୟରେ ରାଜସ୍ଥାନ ଦଳରେ ଥିବା ଦକ୍ଷିଣ ଆଫ୍ରିକାର ସଫଳ ଦ୍ରୁତ ବୋଲର‌ ଡେଲ୍ ଷ୍ଟେନ୍ ଏବଂ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ତାଙ୍କୁ ନିଜ ବୋଲିଂ ଶୈଳୀକୁ ଆହୁରି ଶାଣିତ କରିବାରେ ସହଯୋଗ କରିଥିଲେ। ଷ୍ଟେନ୍ ଓ ଉମେଶ ଭାଇ ମୋତେ ବହୁତ ସାହାଯ୍ୟ କରିଛନ୍ତି। ଦଳ ଭିତରେ ଖେଳାଯାଇଥିବା ମ୍ୟାଚ୍‌ରେ ମୁଁ ମୋଇନ ଅଲ୍ଲୀଙ୍କୁ ଆଉଟ୍ କରିଦେଇଥିଲି। ମୁଁ ୬ଟି ବଲ୍‌କୁ ୬ ପ୍ରକାରର ପକାଇପାରିବି। ବ୍ୟାକ୍ ଅଫ୍ ଦି ହ୍ୟାଣ୍ଡ୍, ବାଉନ୍ସର, ୟର୍କର, କଟର, ସ୍ଲୋ ବାଉନ୍ସର ସବୁକିଛି ପକାଇପା‌ରିବି। ସେଥିମଧ୍ୟରୁ କେବଳ ଦୁଇ ତିନିଟି ମୁଁ ଶତ ପ୍ରତିଶତ ସଠିକ୍ କରି ପକାଇପାରେ। ଅନ୍ୟ ବଲ୍ ଉପରେ ମୁଁ ଏବେ କାମ କରୁଛି ବୋଲି ସାକାରିଆ କହିଛନ୍ତି। ୧୯୯୮ ମସିହା ଫେବ୍ରୁଆରି ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ସାକାରିଆ ୧୫ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୧ ୱିକେଟ୍, ୭ ଲିଷ୍ଟ ଏ’ ମ୍ୟାଚ୍‌ରୁ ୧୦ ୱିକେଟ୍ ଓ ୧୭ ଟ୍ବେଣ୍ଟି-୨୦ରୁ ୩୧ ୱିକେଟ୍ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe