ଦୂତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧିତ କଲେ ମୁଖ୍ୟମନ୍ତ୍ରୀ

ଦୂତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାକର୍ତା ଓ ପାଲେମବାଙ୍ଗ ଏସୀୟ କ୍ରୀଡ଼ାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ଭାରତ ସହ ଓଡ଼ିଶାକୁ ଗୌରବାନ୍ଵିତ କରିଥିବା ଧାବିକା ଦୂତି ଚାନ୍ଦ ଶୁକ୍ରବାର ଭୁବନେଶ୍ୱର ଫେରିଛନ୍ତି। ଏହି ଚାନ୍ଦିର ଚାନ୍ଦଙ୍କୁ ସ୍ୱାଗତ କରିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଲାଗିଥିଲା ଜବରଦସ୍ତ ଭିଡ଼। ଚାନ୍ଦି ଝିଅକୁ ଦେଖିବା ଲାଗି ସାଧରଣ ଜନତାଠୁ ଆରମ୍ଭ କରି ବିଭିନ୍ନ ସଂଗଠନର କର୍ମକର୍ତା ପହଞ୍ଚିଥିଲେ ବିମାନ ବନ୍ଦରରେ। ଦୂତି ସଂଧ୍ୟ ୬.୩୦ରେ ବିମାନ ବନ୍ଦରରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତଥିବା କିଟ୍‌ ଓ କିସ୍‌ ଛାତ୍ରଛାତ୍ରୀଙ୍କ ବ୍ୟାଣ୍ଡ୍‌ପାର୍ଟି ବାଜି ଉଠିଥିଲା। ଏଥିସହ ଦୂତି ସ୍ୱାଗତମ୍‌ ସ୍ୱାଗତମ୍‌ ଧ୍ୱନୀରେ ଫାଟି ଉଠିଥିଲା ବିମାନ ବନ୍ଦର ଅଞ୍ଚଳ। ଦୂତିଙ୍କୁ ପାଛୋଟି ଆଣିଥିଲେ ମେୟର ଅନନ୍ତ ନାରାୟଣ ଜେନା। ବାହାରକୁ ବାହାରୁ ବାହାରୁ ଓଡ଼ିଶା ଅଲିମ୍ପିକ୍‌ ସଂଘ (ଓଓଏ) ଓ ଦୌଡ଼କୁଦ ସଂଘର ପକ୍ଷରୁ ଓଓଏ ଅଧିକାରୀ ପ୍ରବୋଧ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କ୍ରୀଡ଼ା ସେଲ ଅଧ୍ୟକ୍ଷ ମନୋଜ କୁମାର ସାହୁ ଏବଂ କିଟ୍‌ ଓ କିସ୍‌ ଛାତ୍ରଛାତ୍ରୀମାନେ ଫୁଲ ମାଳ ପିନ୍ଧାଇ ଦୂତିଙ୍କୁ ସ୍ୱାଗତ କରିଥିଲେ। ଏସୀୟ କ୍ରୀଡ଼ାରେ ଏକକାଳୀନ ଦୁଇଟି ପଦକ ଜିତିଥିବା ଦୂତି ବିମାନ ବନ୍ଦରରୁ ସିଧା ସଚିବାଳୟ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କ ସମେତ ତାଙ୍କ ପ୍ରଶିକ୍ଷକ ନାଗପୁରୀ ରମେଶଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବ ଘୋଷିତ ୩ କୋଟି ପୁରସ୍କାର ରାଶିର ଚେକ୍‌ ଦୂତିଙ୍କୁ ପ୍ରଦାନ କରିଥିଲେ। ଏଥିସହ ତାଙ୍କ ଅଲିମ୍ପିକ୍‌ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ସହାୟତା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ବିଶାଲ ଦେବ ଓ ନିର୍ଦେଶକ ଭିନିଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ସକାଳୁ ସଞ୍ଜଯାଏଁ ଦୂତିଙ୍କ ସମ୍ବର୍ଧନା ଜାରି ରହିଥିଲା। ସକାଳେ ନୂଆଦିଲ୍ଲୀ ସମ୍ବର୍ଧନା ପରେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦର ଏବଂ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ ସମ୍ପନ୍ନ ହୋଇଥିଲା। ରାତିରେ କିଟ୍‌ ଓ କିସ୍‌ ପରିସରରେ ମଧ୍ୟ ଦୂତିଙ୍କୁ ପରିବାରବର୍ଗ ସହ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe