କରୋନା କଲ୍ ସେଣ୍ଟରରେ ଯୋଗଦେଲେ ବିନିତ

କରୋନା କଲ୍ ସେଣ୍ଟରରେ ଯୋଗଦେଲେ ବିନିତ

outlookindia.com

କନୁର : କରୋନା ମହାମାରୀ ପାଇଁ ଖେଳ ପଡ଼ିଆରୁ ଦୂରେଇ ରହୁଥିବା ଭାରତୀୟ ଫୁଟ୍‌ବଲର୍‌ ସିକେ ବିନିତ ଏକ ମହତ କାମ ପାଇଁ ଆଗେଇ ଆସିଛନ୍ତି। କରୋନା ବିରୋଧୀ ଲଢ଼େଇରେ ସେ ନିଜକୁ ସାମିଲ କରିଛନ୍ତି। ନିଜ ସହର କେରଳର କନୁରରେ ସରକାରଙ୍କ ତରଫରୁ ସ୍ଥାପିତ ହୋଇଥିବା କରୋନା ସଚେତନତା କଲ୍ ସେଣ୍ଟରରେ ଯୋଗଦେଇଛନ୍ତି ବିନିତ। ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ସହ ଆଇଏସ୍‌ଏଲର ୨୦୧୯-୨୦ ଋତୁରେ ଜାମସେଦପୁର ଏଫସି ଦଳର ପ୍ରତିନିଧିତ୍ବ କରିଥିବା ଏହି ୩୧ ବର୍ଷୀୟ ଖେଳାଳିଙ୍କୁ ଏଥିଲାଗି କେରଳ କ୍ରୀଡ଼ା ପରିଷଦ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ବିନିତ ମଧ୍ୟ ପରିଷଦର ଏହି ପ୍ରସ୍ତାବକୁ ସାଦରେ ଗ୍ରହଣ କରି ନେଇଥିଲେ। ରବିବାର କଲ୍ ସେଣ୍ଟର କାର୍ଯ୍ୟାଳୟରେ ଥିଲା ବେଳେ ମଧ୍ୟାହ୍ନ ଭୋଜନ ବିରତିରେ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫଏଫ୍)ର ୱେବସାଇଟକୁ ସାକ୍ଷାତକାର ଦେଇ ବିନିତ କହିଛନ୍ତି ଯେ କରୋନା ପାଇଁ ମୁଁ ଘରକୁ ଫେରିଲା ପରେ କେରଳ କ୍ରୀଡ଼ା ପରିଷଦ ପକ୍ଷରୁ ମୋତେ କଲ୍ ସେଣ୍ଟରରେ ଯୋଗଦେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ଜରୁରୀକାଳୀନ ପରିସ୍ଥିତିରେ ମୋ ପକ୍ଷରେ ଯାହା ବି ସମ୍ଭବ, ମୁଁ ତାହା ନିଶ୍ଚିତ ଭାବେ କରିବି। ଗୃହାବଦ୍ଧ ଶେଷ ହେବା ପର୍ଯ୍ୟନ୍ତ ମୁଁ କରୋନା କଲ୍ ସେଣ୍ଟରରେ କାମ କରିବି। ବିନିତଙ୍କ ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ଏବେ ବେଶ୍ ଚର୍ଚିତ ହେବା ସହ ତାଙ୍କ ଲୋକପ୍ରିୟତା ବହୁଗୁଣ ବଢ଼ିଯାଇଛି। କରୋନା ସଂକ୍ରମିତଙ୍କ ସହ ସିଧାସଳଖ କୌଣସି ସଂପର୍କ ନଥିଲେ ମଧ୍ୟ ବିନିତ ଓ ତାଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ସ୍ବେଚ୍ଛାସେବୀ ଓ କର୍ମଚାରୀମାନେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି। ସେମାନେ ନିୟମିତ ଭାବେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାର କରୁଛନ୍ତି। ଭାରତ ପକ୍ଷରୁ ବିନିତ ୭ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଅଗ୍ରଭାଗରେ ଖେଳୁଥିବା ଏହି କେରଳ ଖେଳାଳି ଆଇଏସ୍‌ଏଲ୍ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ୍ ପକ୍ଷରୁ ବି ଖେଳି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe