୩୦ ବର୍ଷ ପରେ ପ୍ରଥମ ମୂଳପୋଛ: ଭାରତ ପୁଣି ହାରିଲା, ନ୍ୟୁଜିଲାଣ୍ଡ ୩-୦ରେ ଶୃଙ୍ଖଳା ବିଜୟୀ

Advertisment
୩୦ ବର୍ଷ ପରେ ପ୍ରଥମ ମୂଳପୋଛ: ଭାରତ ପୁଣି ହାରିଲା, ନ୍ୟୁଜିଲାଣ୍ଡ ୩-୦ରେ ଶୃଙ୍ଖଳା ବିଜୟୀ

ମାଉଣ୍ଟମଙ୍ଗନୁଇ: ପ୍ରଥମ ଦୁଇ ମ୍ୟାଚ୍ ଭଳି ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ମଧ୍ୟ ଭାରତ ପରାଜିତ ହୋଇଛି। ଫଳରେ ଶୃଙ୍ଖଳାର ସବୁ ମ୍ୟାଚ୍ ହାରି ଅଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଛି। ସେହିଭଳି ଗତ ୩୦ ବର୍ଷ ମଧ୍ୟରେ କୌଣସି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ମୂଳପୋଛ ହୋଇଛି। ଶେଷ ଥର ପାଇଁ ଭାରତ ୧୯୮୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିପାକ୍ଷିକ ଶୃଙ୍ଖଳାରେ ୦-୩ରେ ମୂଳପୋଛ ହୋଇଥିଲା। କୋହଲି ବାହିନୀ ପ୍ରଥମ ଦୁଇ ମ୍ୟାଚ୍‌ ହାରି ଶୃଙ୍ଖଳା ହାତଛଡ଼ା କରିସାରିଥିଲା।‌ ତେବେ ମଙ୍ଗଳବାରର ତୃତୀୟ ମୁକାବିଲା ଜିତି ସମ୍ମାନର ସହ ଶୃଙ୍ଖଳା ଶେଷ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା ଆଶାରେ ରହିଯାଇଛି। ଯାହା କେବଳ ପ୍ରଶଂସକ ନୁହେଁ, କ୍ରିକେଟ୍ ବିଶେଷଜ୍ଞଙ୍କୁ ମଧ୍ୟ ବିସ୍ମିତ କରିଛି। ଦିନ କେଇଟା ପୂର୍ବରୁ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡକୁ ମୂଳପୋଛ କରିଥିବା ଭାରତୀୟ କ୍ରିକେଟ୍ ଦଳ ଏକଦିବସୀୟ କ୍ରିକେଟରେ ନିଜେ ମୂଳପୋଛ ହେବାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ସେପଟେ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ପରାଜୟର ମଧୁର ପ୍ରତିଶୋଧ ଦିନିକିଆରେ ନେଇଯାଇଛି।

ଦୁର୍ବଳ ‌କ୍ଷେତ୍ରରକ୍ଷଣ ଓ ପ୍ରଭାବହୀନ ବୋଲିଂ ସହ ଶୀର୍ଷକ୍ରମର କ୍ରମା‌ଗତ ବିଫଳତା ପାଇଁ ନ୍ୟୁଜିଲାଣ୍ଡ ଆଜି ଭାରତକୁ ୫ ୱିକେଟ୍‌ରେ ହରାଇ ଦେଇଛି। ଅଧିନାୟକ ବିରାଟ କୋହଲି (୯) ଏବଂ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ (୪୦) ଓ ମୟଙ୍କ ଅଗ୍ରୱାଲ (୧) ୬୨ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ମଧ୍ୟକ୍ରମ ଦଳର ସମ୍ମାନ ରଖିଥିଲା। ଦୁଇ ଯୁବ ତାରକା ଶ୍ରେୟସ୍ ଆୟର (୬୨) ଓ କେଏଲ୍ ରାହୁଲ (୧୧୨) ଚତୁର୍ଥ ୱିକେଟ୍‌ରେ ୧୦୦ ରନ୍ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ସେହିଭଳି କେଦାର ଯାଦବଙ୍କ ସ୍ଥାନ ନେଇଥିବା ମନୀଷ ପାଣ୍ଡେ ୪୨ ରନ୍‌ର ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ। ରାହୁଲ୍‌ଙ୍କ ସହ ପାଣ୍ଡେ ମଧ୍ୟ ପଞ୍ଚମ ୱିକେଟ୍‌ରେ ୧୦୭ ରନ୍‌ ଯୋଡ଼ିଥିଲେ। ଏହି ତିନି ଜଣଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ଭାରତ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୬ ରନ୍‌ର ସମ୍ମାନଜନକ ସ୍କୋର କରିନେଇଥିଲା। ୨୯୭ ରନ୍‌ର ଲକ୍ଷ୍ୟ ନ୍ୟୁଜିଲାଣ୍ଡ ପାଇଁ ସହଜ ହେବା କଥା ନୁହେଁ। ଭାରତୀୟ ବୋଲରଙ୍କ ଦୁର୍ବଳ ବୋଲିଂ ପାଇଁ କିନ୍ତୁ ଘରୋଇ ଦଳ ୪୭.୧ ଓଭରରେ ୫ ୱିକେଟ୍ ବିନିମୟରେ ୩୦୦ ରନ୍ କରି ନେଇଥିଲା। ତା’ ସହ ଭାରତ ବିପକ୍ଷରେ ବିଶ୍ବକପ୍ ସେମିଫାଇନାଲକୁ ମିଶାଇ ଲଗାତାର ଚତୁର୍ଥ ଓ ଶୃଙ୍ଖଳାରେ ତୃତୀୟ ବିଜୟ ହାସଲ କରି ‌ନେଇଥିଲା।

ନିୟମିତ ଅଧିନାୟକ କେନ୍ ୱିଲିୟମସନ ଫେରିବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ବାହିନୀ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଯାଇଥିଲା। ୱିଲିୟମସନ୍ ବ୍ୟକ୍ତିଗତ ଭାବେ ୨୨ ରନ୍ କରିଥି‌ଲେ। ହେଲେ ନିଜ ସମ୍ବଳକୁ ଶକ୍ତି ମୁତାବକ ବ୍ୟବହାର କରି ସେ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ ୬୬, ହେନରି ନିକୋଲ୍ସ ୮୦ ରନ୍ କରିଥିଲେ। ତେବେ କଲିନ୍ ଡି’ ଗ୍ରାଣ୍ଢୋମେ ଖେଳିଥିବା ୨୮ ବଲ୍‌ରୁ ୫୮ ରନ୍‌ର ପାଳି ପାଇଁ ନ୍ୟୁଜିଲାଣ୍ଡ ସହଜ ବିଜୟ ହାସଲ କରିଥିଲା। ଏଥିପାଇଁ ରାହୁଲଙ୍କ ଚତୁର୍ଥ ଶତକ ଓ ଶ୍ରେୟସ୍ ଆୟରଙ୍କ ଅଷ୍ଟମ ଅର୍ଧଶତକ ବେକାର ଯାଇଥିଲା। ୟୁଜବେନ୍ଦ୍ର ଚହଲ (୧୦-୧-୪୭-୩)ଙ୍କୁ ଛାଡ଼ି ଅନ୍ୟସବୁ ଭାରତୀୟ ବୋଲର ଅତି ସାଧାରଣ ବୋଲିଂ କରିଥିଲେ। ମିତ୍ତବ୍ୟୟୀ ବୋଲିଂ ପାଇଁ ପରିଚିତ ଯଶପ୍ରୀତ ବୁମ୍‌ରା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ୮ ଓଭରରେ ୬୮ ରନ୍ ବ୍ୟୟ କରି ୱିକେଟ୍‌ଶୂନ୍ୟ ରହିଥିଲେ। ନିକୋଲ୍ସ ତାଙ୍କ ଦାୟିତ୍ବବାନ ପାଳି ପାଇଁ ମ୍ୟାଚ୍ ଓ ରସ୍ ଟେଲର ନିଜ ସ୍ଥିର ପ୍ରଦର୍ଶନ ପାଇଁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe