ମାଉଣ୍ଟ୍‌ ଏଲ୍‌ବ୍ରସ୍‌ ଚଢ଼ିଲେ ଅଭିଳା‌ଷ, ଚିନ୍ମୟ

Advertisment
ମାଉଣ୍ଟ୍‌ ଏଲ୍‌ବ୍ରସ୍‌ ଚଢ଼ିଲେ ଅଭିଳା‌ଷ, ଚିନ୍ମୟ

ଭୁବନେଶ୍ବର: ଓଡ଼ିଶାର ଦୁଇ ପର୍ବତାରୋହୀ ଅଭିଳାଷ ଭୋଇ ଓ ଚିନ୍ମୟ ମହାରଣା ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ ଆରୋହଣ କରିଛନ୍ତି। ଶନିବାର ସକାଳ ୫.୪୫‌ରେ ଏହି ୫୬୪୨ ମିଟର ଉଚ୍ଚତା ବିଶିଷ୍ଟ ଶୃଙ୍ଗର ଶିଖରରେ ସଫଳତା ସହ ପହଞ୍ଚିଥିଲେ ବରଗଡ଼ର ଅଭିଳାଷ। ଏହାର ଗୋଟିଏ ଦିନ ପରେ ପୁରୀ ଚିନ୍ମୟ ଏହି ସଫଳତା ଅର୍ଜନ କରିଥିଲେ। ଫଳରେ ଦୁଇ ଓଡ଼ିଆ ଦୁଇ ଦିନ ମଧ୍ୟରେ ମାଉଣ୍ଟ ଏଲ୍‌ବ୍ରସ ସଫଳତା ସହ ଚଢ଼ି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି।

ବିଭିନ୍ନ ଦେଶର ପର୍ବତାରୋହୀମାନଙ୍କ ସହ ଅଭିଳାଷ ୧୧ ତାରିଖରେ ରୁଷିଆର ଟେରସକଲ ସହରରେ ପହଞ୍ଚିଥିଲେ। ପରିବେଶ ସହ ଖାପଖୁଆଇବା ଲାଗି ଏଠାରେ ଦୁଇ ଦିନ ଏବଂ ଏଲ୍‌ବ୍ରସ୍‌ ପାଦ ଦେଶରେ ଗୋଟିଏ ଦିନ ରହିଥିଲେ। ୧୪ ତାରିଖରେ ପୂରା ଗ୍ରୁପ୍‌ ଏଲ୍‌ବ୍ରସ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଥିଲେ ଏବଂ ଗ୍ଲେସିୟର ଅଭ୍ୟାସ କରିଥିଲେ। ପାଗ ଖରାପ ଯୋଗୁଁ ୨ ଦିନ ଏଠାରେ ରହିବା ପରେ ଏଲ୍‌ବ୍ରସ ଆରୋହଣ ଆରମ୍ଭ କରିଥିଲେ। ୫-୬ ଘଣ୍ଟା ପରେ ସକାଳ ୫.୩୦ରେ ସାଥୀମାନଙ୍କ ସହ ଅଭିଳାଷ ଏଲ୍‌ବ୍ରସରେ ପହଞ୍ଚି ଜାତୀୟ ପତାକ ଉଡ଼ାଇ ଥିଲେ। ଏହାପରେ ବେସ୍‌କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଯୁବ ଚିତ୍ରଶିଳ୍ପୀ ଚିନ୍ମୟ ମାଉଣ୍ଟ୍‌ ଏଲବ୍ରସ୍‌ ଶିଖରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଘୁନାଥ ବେଶର ପଟ୍ଟଚିତ୍ର ସ୍ଥାପନ କରି ଓଡ଼ିଶାର କଳାକାରଙ୍କ କୃତିତ୍ବକୁ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି। ଚିନ୍ମୟ ଗତ ୧୧ବର୍ଷ ହେବ ଦୁଃସାହସିକ କ୍ରୀଡ଼ାରେ ସକ୍ରୀୟ ରହି ଅନେକ ସଫଳତା ଓ ଦକ୍ଷତା ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୧ଟି ପର୍ବତ ଶିଖରକୁ ସଫଳତାର ଆରୋହଣ କରିସାରିଛନ୍ତି। ଜୁନ୍ ୨୦୨୨ ମସିହାରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଶିଖରରେ ସଫଳତାର ସହ ପାଦ ଥାପିଥିଲେ ଚିନ୍ମୟ। ତା’ସହିତ ସେହି ପର୍ବତ ଗିରିଶୃଙ୍ଗରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ପଟ୍ଟଚିତ୍ର ସ୍ଥାପନ କରିଥିଲେ। ଚନ୍ମିୟ ଆସାର ଜଣେ ସଦସ୍ୟ ଅଛନ୍ତି। ଉଭୟଙ୍କୁ ଏଭେରେଷ୍ଟର ତଥା ଆସା ସମ୍ପାଦକ ଗଣେଶ ଚନ୍ଦ୍ର ଜେନା, ପର୍ବାରୋହୀ ନୃସିଂହ ସାହୁ, ଶକ୍ତି ମହାନ୍ତି, ଦେବବ୍ରତ ସାମନ୍ତରାୟ, ଶିବ ପ୍ରସାଦ ପଣ୍ଡା, ବିକ୍ରମ ଦାସ, ହରେଶ କୁମାର ମିଶ୍ର ଓ ଆସା ଉପଦେଷ୍ଠା ଅଶୋକ ମହାନ୍ତି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଅଭିଳାଷ ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ। ସେ ଦାର୍ଜିଲିଂସ୍ଥିତ ଏଚ୍‌ଏମ୍‌ଆଇରେ ମାଉଣ୍ଟେନରିଂ ପାଠ୍ୟକ୍ରମ ଶିକ୍ଷା ଲାଭ କରିଛନ୍ତି। ଅଭିଳାଷ ନିଜ ଖର୍ଚ୍ଚରେ ମାଉଣ୍ଟ ମୀରା ପିକ୍‌, ଏଭେରେଷ୍ଟ ବେସ୍‌ କ୍ୟାମ୍ପ୍‌, କିଲିମାଞ୍ଜାରୋ, ମାଉଣ୍ଟ ରେନକ ଆଦି ସଫଳତା ସହ ଆହୋରଣ କରିଛନ୍ତି। ମେରାଇନ୍‌ ଇଂଜିନିୟର କାମ କରୁଥିବା ଅଭିଳାଷ କେନ୍ଦ୍ରାପଡ଼ାର ରଂଜିତ କୁମାର ଭୋଇ ଓ ଶୈଳସୂତଙ୍କ ବଡ଼ ପୁଅ। ପରବର୍ତ୍ତୀ ଲକ୍ଷ୍ୟ ମାଉଣ୍ଟ ଏଭେରେଷ୍ଟ ରହିଛି ବୋଲି ଅଭିଳାଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe