ବାହୁଡ଼ିଲେ ୪ ସୁନାଝିଅ

Advertisment

ରାଞ୍ଚି ଓ ରାଉରକେଲାରେ ଭବ୍ୟ ସ୍ୱାଗତ

ରାଞ୍ଚି ଓ ରାଉରକେଲାରେ ଭବ୍ୟ ସ୍ୱାଗତ

ବାହୁଡ଼ିଲେ ୪ ସୁନାଝିଅ

ରାଉରକେଲା: ସଦ୍ୟ ସମାପ୍ତ ଜାକର୍ତା ଏସିଆଡ୍‌ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳର ୪ ଓଡ଼ିଆ ତଥା ସୁନ୍ଦରଗଡ଼ ଜିଲ୍ଲାର ସୁନାଝିଅ ଗୁରୁବାର ଘରକୁ ବାହୁଡ଼ିଛନ୍ତି। ବୁଧବାର ନୂଆଦିଲ୍ଲୀରେ ସମ୍ବର୍ଧିତ ହେବା ପରେ ଗୁରୁବାର ସକାଳେ ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିିଥିଲେ। ରାଞ୍ଚିରୁ ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌ ଟ୍ରେନ୍‌ ଯୋଗେ ରାଉରକେଲା ଆସିଥିବାବେଳେ ଦୀପ୍‌ଗ୍ରେସ୍‌ ଏକ୍କା ସଡ଼କପଥରେ ରାଞ୍ଚିରୁ ନିଜ ଗାଁକୁ ଯାଇଛନ୍ତି। ସୁନୀତା, ନମିତା ଓ ଲିଲିମା ଗୁରୁବାର ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚୁଥିବାର ଖବର ପ୍ରଚାର ହେବାପରେ ବେଶ୍‌ ପୂର୍ବରୁ ଷ୍ଟେସନ୍‌ରେ କ୍ରୀଡ଼ାପ୍ରେମୀଙ୍କର ଭିଡ଼ ଲାଗି ଯାଇଥିଲା। ଟ୍ରେନ୍‌ ପହଞ୍ଚିବା କ୍ଷଣି ଷ୍ଟେସନ୍‌ ସେମାନଙ୍କ ଜୟ ଜୟକାରରେ ପୂରି ଯାଇଥିଲା। ଫୁଲତୋଡ଼ା ଓ ଫୁଲମାଳର ଗହଳି ଲାଗି ଯାଇଥିଲା। ରାଉରକେଲାବାସୀ ନିଜ ମାଟିର ଝିଅଙ୍କୁ ଭବ୍ୟ ସ୍ୱାଗତ କରି ଅଭିନନ୍ଦନ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସୁନୀତା, ନମିତା, ଲିଲିମା ଓ ଦୀପ୍‌ଗ୍ରେସ୍‌ ବିମାନରେ ଆସି ରାଞ୍ଚିରେ ଓହ୍ଳାଇବା ପରେ ସେଠାରେ ମଧ୍ୟ ସ୍ଥାନୀୟ ଲୋକ, ହକିପ୍ରେମୀ ତଥା ଅନ୍ୟ ସାଥୀ ଖେଳାଳିଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରା ଯାଇଥିଲା। ସେମାନଙ୍କୁ ସ୍ୱାଗତ କରିବାଲାଗି ବିମାନ ବନ୍ଦରରେ ଅନ୍ୟମାନଙ୍କ ସହିତ ଥିଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କ ସମେତ ପୁନମ୍‌ ଟପ୍ପୋ, ରୋଜାଲିନ୍‌ ଡୁଙ୍ଗ୍‌ଡୁଙ୍ଗ୍‌ ଓ ସରିତା ଲାକ୍ରାଙ୍କ ଭଳି ଜାତୀୟ ହକିର ଆହୁରି ଅନେକ ପରିଚିତ ମୁହଁ।

ଏହି ଅବସରରେ ନିଜର ଅନୁଭୂତି ବିଷୟରେ ନମିତା କହିଲେ ‘୨୦ ବର୍ଷ ପରେ ଏସିଆଡ୍‌ ଫାଇନାଲ୍‌ ଖେଳିଲୁ। ରୌପ୍ୟ ପଦକରେ ବି ବେଶ୍‌ ସନ୍ତୁଷ୍ଟ। ମାତ୍ର ସ୍ୱର୍ଣ୍ଣ ପଦକ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତି।’। ସୁନୀତା ହସି ହସି କହିଥିଲେ, ‘ରୌପ୍ୟ ପଦକ ଜିତିବା ନିଶ୍ଚିତଭାବେ ଖୁସି ଆଣିଦେଇଛି। ମାତ୍ର ସ୍ୱର୍ଣ୍ଣ ପଦକର ଆଶା ପୂରଣ ହୋଇ ପାରିଲାନାହିଁ। ଏସିଆଡ୍‌ ସାରା ଆମ ଦଳଗତ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଥିଲା। ତେବେ ଆଗକୁ ୨୦୨୦ ଅଲିମ୍ପିକ୍‌ ଖେଳିବାକୁ କଡ଼ା ପରିଶ୍ରମ କରିବାକୁ ହେବ। ଯୋଗ୍ୟତା ପର୍ଯ୍ୟାୟରେ ଆମେ ନିଶ୍ଚିତଭାବେ ସଫଳ ହେବୁ।’ ଲିଲିମା ମଧ୍ୟ ୨୦୨୦ ଅଲିମ୍ପିକ୍‌କୁ ଲକ୍ଷ୍ୟ ଥିବା କହିଥିଲେ। ସେ କହିଲେ, ‘ପୁଲ୍‌ରେ ଶୀର୍ଷସ୍ଥାନ ଦଖଲ କରି ସେମିଫାଇନାଲ୍‌ରେ ମଧ୍ୟ ଉତ୍କଷ୍ଟମାନର ପ୍ରଦର୍ଶନ କରିଥିଲୁ। ମାତ୍ର ଫାଇନାଲ୍‌ରେ ଏହି ଧାରା ବଜାୟ ରହି ପାରିଲାନାହିଁ। ତେବେ ରୌପ୍ୟ ପଦକ ମଧ୍ୟ ବେଶ୍‌ ଆନନ୍ଦ ଆଣିଦେଇଛି।’ ୨୦୧୯ ଅଲିମ୍ପିକ ଯୋଗ୍ୟତା ପାଇଁ ସ୍ୱଳ୍ପ ଦିନ ଭିତରେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସେ ଜଣାଇଥିଲେ। ରାଉରକେଲା ଷ୍ଟେସନ୍‌ରେ ଏହି ତିନିଝିଅଙ୍କୁ ସ୍ୱାଗତ କରିବା ଲାଗି ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଥିଲେ ରାଉରକେଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ରାଉରକେଲା ଚ୍ୟାମ୍ବର୍‌ ଅଫ୍‌ କମର୍ସର ଉପସଭାପତି ପ୍ରବୀଣ ଗର୍ଗ, ରାଉରକେଲା ସଂଖ୍ୟାଲଘୁ ସେଲ୍‌ର ସଭାପତି ଯଶବିନ୍ଦର ସିଂହ, ପାନପୋଷ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ମିଲଟନ୍‌ ବିଲୁଂ ଓ ପିଟର୍‌ ସୋରେଙ୍ଗ୍‌, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ଅମୂଲ୍ୟନନ୍ଦ ବିହାରୀ ଏବଂ ଆହୁରି ଅନେକ ରାଜନେତା ଓ କ୍ରୀଡ଼ାପ୍ରେମୀ। ଏ ତିନି ଜଣଙ୍କୁ ନିଜର ଆଦର୍ଶ ଭାବେ ଦେଖୁଥିବା ପାନପୋଷ କ୍ରୀଡ଼ା ଛାତ୍ରାବାସର ଝିଅମାନେ ମଧ୍ୟ ସେଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ସୁନୀତା ଲାକ୍ରାଙ୍କ ଘର ହେଉଛି ରାଜଗାଙ୍ଗପୁର ବ୍ଲକ କେଶରମାଲସ୍ଥ ଫାର୍ସାଢ଼ିପାରେ। ୧୯୯୧, ଜୁନ ୧୧ରେ ଜନ୍ମିତ ସୁନିତା ହେଉଛନ୍ତି ପାନପୋଷ କ୍ରୀଡ଼ା ଛାତ୍ରାବାସର ଛାତ୍ରୀ। ସେହିପରି ୧୯୯୫, ଜୁନ ୪ରେ ଜନ୍ମିତ ନମିତା ଟପ୍ପୋଙ୍କ ଗାଁ ହେଉଛି ରାଜଗାଙ୍ଗପୁର ବ୍ଲକର ଜଉର୍‌ମଲ। ସେ ମଧ୍ୟ ପାନପୋଷ କ୍ରୀଡ଼ା ଛାତ୍ରାବାସର କୃତି। ଲିଲିମା ମିଞ୍ଜ୍‌ଙ୍କ ଘର ମଧ୍ୟ ସେହି ରାଜଗାଙ୍ଗପୁର ବ୍ଲକ୍‌ରେ, ଲାଂଜିବେର୍ଣ୍ଣା ତାନାଟୋଲିରେ। ୧୯୯୪, ଏପ୍ରିଲ ୧୦ରେ ଜନ୍ମିତ ଲିଲିମା ମଧ୍ୟ ପାନପୋଷ କ୍ରୀଡ଼ା ଛାତ୍ରାବାସର ସୃଷ୍ଟି। ଦୀପଗ୍ରେସ୍‌ ଏକ୍କାଙ୍କ ଘର ହେଉଛି ହକି ତାରକାଙ୍କ ଭୂଇଁ ବାଲିଶଙ୍କରା ବ୍ଲକର ଲୁଲ୍‌କିଡିହି। ଦୀପଗ୍ରେସ୍‌ ସୁନ୍ଦରଗଡ଼ ସାଇ ହଷ୍ଟେଲ୍‌ର ଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe