ରାଜ୍ୟଗୋଷ୍ଠୀ କ୍ରୀଡା: କୁସ୍ତିରେ ବଜରଙ୍ଗ ଓ ସାଖୀଙ୍କୁ ସ୍ବର୍ଣ୍ଣ, ଅଂଶୁଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡା: କୁସ୍ତିରେ ବଜରଙ୍ଗ ଓ ସାଖୀଙ୍କୁ ସ୍ବର୍ଣ୍ଣ, ଅଂଶୁଙ୍କୁ ରୌପ୍ୟ

times now

ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଶୁକ୍ରବାର ଭାରତ ପାଇଁ ପଦକ ବର୍ଷା ହୋଇଛି। କୁସ୍ତି କ୍ଷେତ୍ରରେ ଆଉ ୩ ପଦକ ମିଳିଛି। ଫଳରେ ଭାରତର ପଦକ ସଂଖ୍ୟା ୨୩ରେ ପହଞ୍ଚିଛି। କୁସ୍ତିରେ ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ, ୬୨ କେଜି ବର୍ଗରେ ଶାଖୀ ମଲ୍ଲିକ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ୫୭ କେଜି ବର୍ଗରେ ଅଂଶୁ ମଲ୍ଲିକଙ୍କୁ ରୌପ୍ୟ ପଦକ ମିଳିଛି। ବଜରଙ୍ଗ ୯-୨ ପଏଣ୍ଟରେ କାନଡାର ଲାଚଲାନ ମାକନିଲଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ କୁସ୍ତି କ୍ଷେତ୍ରରେ ପୁରୁଷ ବର୍ଗରେ ବଜରଙ୍ଗ ପୁନିଆଁଙ୍କ ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ। ୨୦୧୮ରେ ସେ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ପାଇଥିଲେ। କିନ୍ତୁ ୨୦୧୪ରେ ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସେ ରୌପ୍ୟ ପଦକ ପାଇଥିଲେ। ଶୁକ୍ରବାର ଖେଳାଯାଇଥିବା ଏହି ପ୍ରତିଯୋଗିତାର ପ୍ରଥମାର୍ଦ୍ଧରେ ବଜରଙ୍ଗ ୪ ପଏଣ୍ଟ ପାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଟ୍ରାକକୁ ଫେରିବାକୁ ମାକନିଲ ଚେଷ୍ଟା କରି ୨ ପଏଣ୍ଟ ହାସଲ କରିଥିବାବେଳେ ବଜରଙ୍ଗ ଆଉ ସୁଯୋଗ ଦେଇନଥିଲେ। ଖେଳ ଶେଷ ବେଳକୁ ବଜରଙ୍ଗ ୯ ପଏଣ୍ଟ ପାଇଥିବାବେଳେ ମାକନିଲ ୨ ପଏଣ୍ଟରେ ସୀମିତ ରହିଯାଇଥିଲେ।

publive-image times now

ସେହିପର ମହିଳା ୬୨ କେଜି ବର୍ଗରେ କୁସ୍ତି ଖେଳାଳି ସାଖୀ ମଲ୍ଲିକ ଫାଇନାଲରେ କାନଡାର ଆନ୍ନା ଗୋଞ୍ଜାଲେଜଙ୍କୁ ପରାସ୍ତ କରିଛନ୍ତି। ପ୍ରଥମେ ସେ ଇଂଲଣ୍ଡର ୨୦ ବର୍ଷୀୟ କେଲସି ବାର୍ଣ୍ଣେକୁ କ୍ବାର୍ଟର ଫାଇନାଲରେ ହରାଇଥିଲେ। ପରେ ସେମି ଫାଇନାଲରେ କାମେରୁନର ଇଟେନେ ନାଗୋଲେଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଫାଇନାଲରେ ସେ ଉନ୍ନତ ପ୍ରଦର୍ଶନ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି।

publive-image india today

ସେହିପରି ମହିଳା ବର୍ଗରେ ଅଂଶୁମାନ ମଲ୍ଳିକ କୁସ୍ତିରେ ରୌପ ପଦକ ପାଇଛନ୍ତି। ୫୭ କିଲୋ ବର୍ଗ ଫାଇନାଲରେ ନାଇଜେରିଆର ଓଣ୍ଡୁନାୟୋ ଫୋଲୁସାଡେ ଆଡେକୁରୋୟେଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରେ ଅଂଶୁ ସେଭଳି ସଫଳତା ପାଇନଥିଲେ। ୩-୭‌ ପଏଣ୍ଟରେ ହାରି ଯାଇଥିଲେ। ଅଂଶୁ ଶେଷ ସମୟରେ କିଛି ପଏଣ୍ଟ ହାସଲ କରି ଜିତିବା ପାଇଁ ଚେଷ୍ଟା କରିଥିଲେ ବି ତାହା ପର୍ଯ୍ୟାପ୍ତ ହୋଇନଥିଲା। ତେବେ ଓଣ୍ଡୁନାୟୋଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବାବେଳେ ଅଂଶୁଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି। ତେବେ ଶୁକ୍ରବାର କେବଳ କୁସ୍ତି କ୍ଷେତ୍ରରେ ୩ଟି ପଦକ ପାଇବା ଭାରତ ପାଇଁ ଗୌରବର ବିଷୟ ବୋଲି କ୍ରୀଡାପ୍ରେମୀ ମହଲରୁ ମତ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe