ନୂଆଦିଲ୍ଲୀ: ଦୁବାଇରେ ଲିଭିଛି ମୋଟେରା ଓ ଲର୍ଡସର ଦୁଃଖ। ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ। ବୋଲରଙ୍କ ମିଳିତ ପ୍ରୟାସ ସହ ରୋହିତ ଶର୍ମାଙ୍କ ନେତୃତ୍ବ ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ବଳରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଯାଇଛି। ଭାରତକୁ ଏତେ ବଡ଼ ସଫଳତା ମିଳିବା ପରେ ଏବେ କଂଗ୍ରେସର ମୁଖପାତ୍ର ଶମା ମହମ୍ମଦ ନିଜର ପ୍ରତିକ୍ରିୟା ରଖିଛନ୍ତି।
କିଛି ଦିନ ତଳେ ଅଧିନାୟକ ରୋହିତ ଶର୍ମାଙ୍କୁ ମୋଟା ବୋଲି କହି ବିବାଦୀୟ ହୋଇଥିବା ଶମା ଏବେ ରୋହିତଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଜିତିଥିବାରୁ ମୁଁ ଆଜି ବହୁତ ଖୁସି। ଏହା ସହ ବିରାଟ କୋହଲିଙ୍କୁ ୮୪ରନ କରିବା ଏବଂ ଆଇସିସି ନକଆଉଟରେ ୧୦୦୦ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିବାରୁ ଅଭିନନ୍ଦନ ଜଣାଉଛି। ମୁଁ ବହୁତ ଉତ୍ସାହିତ ଏବଂ ଫାଇନାଲ ପାଇଁ ଅପେକ୍ଷା କରିଛି।"
କିଛି ଦିନ ତଳେ ଶମା ମହମ୍ମଦ ସୋସିଆଲ ମିଡିଆରେ ଲେଖିଥିଲେ, "ରୋହିତ ଶର୍ମା ଖେଳାଳି ଭାବରେ ମୋଟା। ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ। ନିଶ୍ଚିତ ଭାବରେ, ସେ ଭାରତର ସବୁଠାରୁ ସାଧାରଣ ଅଧିନାୟକ। ତାଙ୍କ ଭିତରେ ସ୍ବତନ୍ତ୍ର ବୋଲି କିଛି ନାହିଁ।" ଶମାଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ରୋହିତଙ୍କ ପ୍ରଶଂସକମାନେ ଶମାଙ୍କୁ ଟ୍ରୋଲ କରିବା ସହ କ୍ରିକେଟରଙ୍କ ଫିଟନେସ୍ ଏବଂ ଅଧିନାୟକତ୍ୱକୁ ସମର୍ଥନ କରିଥିଲେ। ବିବାଦ ବଢ଼ିବାରୁ କଂଗ୍ରେସ ଶମାଙ୍କୁ ନିଜ ପୋଷ୍ଟ ହଟାଇବାକୁ କହିଥିଲା। ଏହା ପରେ ଶମା ନିଜ ବିବାଦୀୟ ପୋଷ୍ଟ ହଟାଇ ଦେଇଥିଲେ।
Follow Us