ବାରବାଟୀରେ କ୍ରମାଗତ ପରାଜୟ: ଓଡ଼ିଶା ଏକ ପାଳି ଓ ୫୦ ରନ୍‌ରେ ପରାସ୍ତ, ଆନ୍ଧ୍ରପ୍ରଦେଶ ଛଡ଼ାଇନେଲା ୭ ପଏଣ୍ଟ୍‌

ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକଙ୍କ ଶତକୀୟ ଭାଗୀଦାର ଦେଇଥିବା ଆଶା ମଙ୍ଗଳବାର ମଧ୍ୟାହ୍ନରେ ମଉଳିଯାଇଛି। ବାରବାଟୀରେ ଓଡ଼ିଶା ରଣଜୀ ଦଳ ଫଲୋଅନ୍ ଡାକରା ପରେ ଏକ ପାଳି ଓ ୫୦ ରନ୍‌ରେ ହାରି ପୁଣି ଏକ ଅପଯଶ ମୁଣ୍ଡାଇଛି।

fshfshsfhxbbv

ଭୁବନେଶ୍ବର: ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକଙ୍କ ଶତକୀୟ ଭାଗୀଦାର ଦେଇଥିବା ଆଶା ମଙ୍ଗଳବାର ମଧ୍ୟାହ୍ନରେ ମଉଳିଯାଇଛି। ବାରବାଟୀରେ ଓଡ଼ିଶା ରଣଜୀ ଦଳ ଫଲୋଅନ୍ ଡାକରା ପରେ ଏକ ପାଳି ଓ ୫୦ ରନ୍‌ରେ ହାରି ପୁଣି ଏକ ଅପଯଶ ମୁଣ୍ଡାଇଛି। ଋତୁର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଓଡ଼ିଶା ସେହି ବାରବାଟୀରେ ଅପ୍ରତ୍ୟାଶିତ ଭାବେ ଶେଷ ଦିନରେ ବରୋଦା ନିକଟରୁ ପରାଜୟ ବରଣ କରିଥିଲା। ଏହି ପରାଜୟ ସହ ଓଡ଼ିଶା ଏବେ ତୃତୀୟ ମ୍ୟାଚ୍‌ ସୁଦ୍ଧା ମାତ୍ର ଗୋଟିଏ ପଏଣ୍ଟ୍ ପାଇ ଟେବୁଲର ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି।

ଆନ୍ଧ୍ରପ୍ରଦେଶର ଘୋଷିତ ପ୍ରଥମ ପାଳି ୪୭୫/୭ ଜବାବରେ ଓଡ଼ିଶା ସୋମବାର ୧୫୧ ରନ୍ କରିବାରୁ ଫଲୋଅନ୍ ଡାକରା ପାଇଥିଲା। ମଙ୍ଗଳବାର ସକାଳେ ଓଡ଼ିଶା ଏହାର ଦ୍ବିତୀୟ ପାଳିକୁ ୧୯୦/୨ରୁ ଆରମ୍ଭ କରିଥିବାରୁ ଅନ୍ୟୂନ ମ୍ୟାଚ୍‌ ବଞ୍ଚାଇ ୧ ପଏଣ୍ଟ୍ ଅର୍ଜନ କରିବ ବୋଲି ଆଶା ଥିଲା। ପୂର୍ବ ସଂଧ୍ୟାରେ ସନ୍ଦୀପ ପଟ୍ଟନାୟକ ତାଙ୍କ ଯୁଗଳ ଅର୍ଦ୍ଧଶତକ ପରେ ଆଉଟ୍ ହୋଇଯାଇଥିଲେ। ତ‌ାଙ୍କ ସହ ୧୧୦ ରନ୍ ଭାଗୀଦାର ଗଢ଼ିଥିବା ଗୌରବ ଚୌଧୁରୀ ସକାଳର ଚତୁର୍ଥ ଓଭର ପ୍ରଥମ ବଲ୍‌ରେ ଦ୍ରୁତ ବୋଲର ଶଶିକାନ୍ତଙ୍କ ଶିକାର ହୋଇଯାଇଥିଲେ। ଏହାର ତିନି ଓଭର ପରେ  ଗୋବିନ୍ଦ ପୋଦ୍ଦାର (୧୩) ବି ଡ୍ରେସିଂରୁମ୍ ଫେରିଯାଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଓଡ଼ିଶା ୨୩୪/୪ରେ ଥିଲା। ପ୍ରଥମ ଅଧିବେଶ‌ନରେ ପ୍ରାୟ ୩୦ ଓଭରରେ ଓଡ଼ିଶା ୪୪ ରନ୍ କରି ୨ ୱିକେଟ୍ ହରାଇଥିଲା। ଅଧିନାୟକ ଶୁଭ୍ରାଂଶୁ‌ ସେନାପତି (୯୪ ବଲ୍‌ରୁ ୧୬ ରନ୍) ଏବଂ ରାଜେଶ ଧୂପର (୧୧୫ ବଲ୍‌ରୁ ୩୮ ରନ୍) ରକ୍ଷଣାତ୍ମକ ଖେଳି ମ୍ୟାଚ୍‌ ଡ୍ର’ ପାଇଁ ସବୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଭୋଜନ ବିରତି ପରେ ମାତ୍ର ୧୨ ଓଭରରେ ଓଡ଼ିଶା ଶେଷ ୬ ୱିକେଟ୍ ହରାଇ ଦେଇଥିଲା। ଶୁଭ୍ରାଂଶୁ କଟ୍ ବିହାଇଣ୍ଡ୍ ହେବା ପରେ ଧୂପର୍‌ ସର୍ଟ ଲେଗ୍‌ରେ ଧରାପଡ଼ିଯିବାରୁ ଓଡ଼ିଶା ପାଳିକୁ ଶେଷ କରିବାରେ ଆନ୍ଧ୍ରପ୍ରଦେଶ ବୋଲରଙ୍କୁ ବି‌ଶେଷ କିଛି କୌଶଳ ଆପଣାଇବାକୁ ପଡ଼ି ନଥିଲା। ଏପରିକି ଶେଷ ୫ ୱିକେଟ୍ ମାତ୍ର ୪.୩ ଓଭରରେ ଝଡ଼ିପଡ଼ିଥିଲା। ପଦାର୍ପଣରେ ୱିକେଟ୍‌ରକ୍ଷକ ସୌରଭ ଗୌଡ଼ (୭ ଓ ୧ ରନ୍‌) ରନ୍‌ କରି ପ୍ରଭାବ ଛାଡ଼ିପାରି ନଥିଲେ। ଓଡ଼ିଶାର ଦ୍ବିତୀୟ ପାଳି ୨୭୪ ରନ୍‌ରେ ଶେଷ ‌ହୋଇଯାଇଥିଲା। ପାଳି ବ୍ୟବଧାନ ବିଜୟ ସହ ଆନ୍ଧ୍ରପ୍ରଦେଶ ସର୍ବାଧିକ ୭ ପଏଣ୍ଟ୍ ପାଇଥିବା ବେଳେ ଓଡ଼ିଶା ବାରବାଟୀରେ ଯୁଗଳ ‘ଶୂନ’ ପାଇଥିଲା। ଆକର୍ଷଣୀୟ ଅର୍ଦ୍ଧଶତକ (୩୮ ବଲ୍‌ରୁ ୬୯ ରନ୍) ସହ ଉଭୟ ପାଳିରୁ ୬ ୱିକେଟ୍ ନେଇଥିବା ସୌରଭ କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ପ୍ରଥମ ପାଳି: ୪୭୫/୭, ଘୋଷଣା (ସେକ୍ ରସିଦ୍-୧୪୦*, ଶ୍ରୀକର ଭରତ-୯୩,  ଗୋବିନ୍ଦ ପୋଦ୍ଦାର-୨/୮୦, ସମ୍ବିତ ବରାଳ-୨/୮୫)। ଓଡ଼ିଶା ପ୍ରଥମ ପାଳି: ୧୫୧/୧୦ (ସନ୍ଦୀପ ପଟ୍ଟନାୟକ-୫୮, ତ୍ରିପୂରଣ ବିଜୟ-୩/୧୪, କାବୁରି ସାଇତେଜା-୩/୩୦, ସୌରଭ କୁମାର-୩/୩୨)। ଓଡ଼ିଶା ଦ୍ବିତୀୟ ପାଳି (ଫଲୋଅନ୍) ୧୦୪.୨ ଓଭରରେ ୨୭୪/୧୦ (ଗୌରବ ଚୌଧୁରୀ-୮୦, ସନ୍ଦୀପ ପଟ୍ଟନାୟକ-୬୩, ରାଜେଶ ଧୂପର-୩୮, ସ୍ବସ୍ତିକ ସାମଲ-୩୬, ସୌରଭ କୁମାର-୩/୪୭, ତ୍ରିପୂରଣ ବିଜୟ-୩/୮୯)।

ଖରାପ ପ୍ରଦର୍ଶନର କାରଣ ଖୋଜା

ମ୍ୟାଚ୍ ଫଳାଫଳକୁ ନେଇ ଭାଙ୍ଗି ପଡ଼ିଥିଲା ଓଡ଼ିଶା ଶିବିର। ଖେଳାଳିମାନେ ହାତ ମିଳାଇବାର ଔପଚାରିକତା ସହ ମ୍ୟାଚ୍‌ ରେଫରି ରୋହିତ ଅସନୋଦକରଙ୍କଠାରୁ ଖେଳ ଭାବନାର ପ୍ରଶଂସା ଶୁଣିଥିଲେ। ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ ଉତ୍ସବ ପରେ ଓଡ଼ିଶା ଖେଳାଳି ଚୁପ ଚାପ୍‌ ଡ୍ରେସିଂରୁମ୍‌ ଚାଲିଯାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶା ଦଳ ସହ କୌଣସି ଓସିଏ କର୍ମକର୍ତ୍ତା ନଥିଲେ। ଷ୍ଟାଡିୟମ୍‌ରେ ଡଜନେ ପ୍ରଶଂସକ ବି ନଥିଲେ। ମ୍ୟାଚ୍‌ ପରେ ସାମ୍ବାଦିକଙ୍କ ସହ କଥା ହେବାକୁ ମନା କରି ଦେଇଥିଲେ ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେ। ‘ଦଳୀୟ ବୈଠକକୁ ଯାଉଛି, ଏମିତି ବି ଗଣମାଧ୍ୟମ ସହ କଥା ହେବା ଲାଗି ଓସିଏ ଚୁକ୍ତିରେ ମୋତେ ଅନୁମତି ନାହିଁ’ ବୋଲି କହି ଏଡ଼ାଇ ଯାଇଥିଲେ ଏହି ପୂର୍ବତନ ମହାରାଷ୍ଟ୍ର ବ୍ୟାଟର୍‌। ବାରବାଟୀର ଡବଲ୍ ପରାଜୟକୁ ନେଇ ଓଡ଼ିଶାର ଦଳୀୟ ଶିବିରରେ ଖୁବ ତର୍ଜମା ହୋଇଥିଲା। ଓସିଏ ସଭାପତିଙ୍କ କକ୍ଷରେ ପ୍ରାୟ ଏକ ଘଣ୍ଟା ଧରି ମୁଖ୍ୟ ଚୟନକର୍ତ୍ତା ସୌରଜିତ ମହାପାତ୍ର, ସଦସ୍ୟ ଅବକାଶ ଖଟୁଆ, ଶୁଭ୍ରଜିତ ସାହୁ, ଅଧିନାୟକ ଶୁଭ୍ରାଂଶୁ ସେନାପତି, ସହକାରୀ ପ୍ରଶିକ୍ଷକ ସୌରଭ ସେହଗଲ ପ୍ରମୁଖ ପୋଷ୍ଟ ମର୍ଟମ କରିଥିଲେ। ବୈଠକରୁ ବାହାରିବା ପରେ ଅଧିନାୟକ ଶୁଭ୍ରାଂଶୁ ଦଳର ନିରାଶାଜନକ ପ୍ରଦର୍ଶନକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ‘‘କଣ କହିବି? ଆମେ ବ୍ୟାଟିଂ ଓ ବୋଲିଂରେ ଭଲ କରିପାରୁ ନାହୁଁ। ଛୋଟ ଛୋଟ ପାଳିକୁ ବଡ଼ରେ ରୂପାନ୍ତର କରିପାରୁ ନାହୁଁ। ଅର୍ଦ୍ଧଶତକକୁ ଆଗକୁ ନେଇପାରୁନାହୁଁ। ଯାହାକି ବ୍ୟକ୍ତିଗତ ଭାବେ କି ଦଳଗତ ଭାବେ କାହାରିକୁ ଫାଇଦା ଦେଉନାହିଁ। ବ୍ୟକ୍ତିଗତ ଭାବେ ମୁଁ, ଗୋବିନ୍ଦ, ସ୍ବସ୍ତିକ ବି ବଡ଼ ଅବଦାନ ରଖିପାରିନାହୁଁ। ବୋଲିଂ ମଧ୍ୟ ସେଭଳି ପ୍ରଭାବୀ ହୋଇପାରୁନାହୁଁ। ଆଶା ରଖୁଛି ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଦଳ ଭଲ କରିବ’’ ବୋଲି ପ୍ରକାଶ କରିଥ‌ିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି। ‘‘ଓଡ଼ିଶା କ୍ରିକେଟ୍‌ର ଭବିଷ୍ୟତ କୁହାଯାଉଥିବା ଯୁବ ୱିକେଟ୍‌ରକ୍ଷକ ଆଶୀର୍ବାଦ ସ୍ବାଇଁ ଓ ସ୍ପିନର ସୁମିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ରହିଛି। ନିରନ୍ତର ଭଲ ବ୍ୟାଟିଂ କରୁଥିବା ଓମ୍ ଟି ମୁଣ୍ଡେଙ୍କ ନାମ ବିଚାରକୁ ନେବୁ’’ ବୋଲି କହିଥିଲେ ମୁଖ୍ୟ ଚୟନକର୍ତ୍ତା ସୌରଜିତ ମହାପାତ୍ର।

‘ଭବି‌‌ଷ୍ୟତ ଅନ୍ଧକାର’

‘‘ଆମ ପେସ୍‌ ବୋଲରଙ୍କ ଗତି ନାହିଁ କି ଲୟ ନାହିଁ। ଦ୍ବିତୀୟ ପାଳି ପଛ କଥା, ପ୍ରଥମ ୩ ମ୍ୟାଚ୍‌ରେ ଆମେ ପ୍ରତିପକ୍ଷଙ୍କୁ ପ୍ରଥମ ପାଳିରେ ବି ଅଲ୍‌ଆଉଟ୍ କରିପାରି ନାହୁଁ। ସେମାନଙ୍କୁ ପାଳି ଘୋଷଣା କରିବାକୁ ଦେଉଛୁ। ପ୍ରତି ମ୍ୟାଚ୍‌ରେ ସେମାନେ ୪୦୦+ ରନ୍‌ କରିଛନ୍ତି। ଆମ ସ୍ପିନର ବି ଫଳପ୍ରଦ ନୁହନ୍ତି। ବ୍ୟାଟର୍‌ ବି ଏକାଠି କ୍ଲିକ୍ କରୁନାହାନ୍ତି, ଯାହା ଦଳକୁ ତଳକୁ ନେଇଛି। ଆମ ପାଖରେ ସେଭଳି ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ବି ନାହାନ୍ତି। କନିଷ୍ଠ ବର୍ଗରେ ବି ଦଳ ଭଲ କରୁନାହିଁ। ଭବିଷ୍ୟତ ଅନ୍ଧାର ଲାଗୁଛି’’ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା କ୍ରିକେଟ୍‌କୁ ଅତି ପାଖରୁ ଦେଖୁଥିବା ଜଣେ ପୂର୍ବତନ ଖେଳାଳି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe