Hindustan Times
ମୁମ୍ବାଇ: ଚଳିତ ଆଇପିଏଲ୍ର ଏକ ଗୁରୁତ୍ବହୀନ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏକ ପରାଜୟ ବରଣ କରିଛି। ନିଜ ନିଜର ଅନ୍ତିମ ଲିଗ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ୧୮ ରନ୍ରେ ହରାଇ ଦେଇଛି। ଉଭୟ ଦଳ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଥିବାରୁ କେବଳ ସମ୍ମାନ ପାଇଁ ଖେଳିଥିଲେ। ଘରୋଇ ମାଟିରେ କିନ୍ତୁ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସାନ୍ତ୍ବନାମୂଳକ ବିଜୟଟିଏ ବି ପାଇପାରି ନଥିଲା। ଏଲ୍ଏସ୍ଜିର ୨୧୪ ରନ୍ ଜବାବରେ ମୁମ୍ବାଇ ୧୯୬ ରନ୍ରେ ଅଟକିଯାଇଥିଲା। କେବଳ ରୋହିତ ଶର୍ମା (୩୮ ବଲ୍ରୁ ୬୮ ରନ୍) ଓ ନମନ ଧୀର (୨୮ ବଲ୍ରୁ ୬୨* ରନ୍) ଲଢ଼ୁଆ ପାଳି ଖେଳିପାରିଥିଲେ। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ୍ ଟେବୁଲ୍ର ଶେଷ ସ୍ଥାନରେ ରହି ଲଜ୍ଜାଜନକ ଭାବେ ଅଭିଯାନ ଶେଷ କରିଛି। ୨୦୨୨ ସିଜନ୍ ଭଳି ପୁଣି ଥରେ ୧୦ ମ୍ୟାଚ୍ ହାରିଯାଇଛି ଏହି ସଫଳ ଦଳ। କୋଲ୍କାତା, ରାଜସ୍ଥାନ, ହାଇଦ୍ରାବାଦ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଶନିବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲା ନକ୍ ଆଉଟ୍ ଭଳି ହୋଇଛି। ଚେନ୍ନାଇକୁ କେବଳ ବିଜୟ ଆବଶ୍ୟକ ରହିଛି। ଆର୍ସିବିକୁ କିନ୍ତୁ ଉନ୍ନତ ଏନ୍ଆର୍ଆର୍ ସହ ଜିତିବା ଆବଶ୍ୟକ ରହିଛି।
ପ୍ଲେଅଫ୍ ଆଶା ମଉଳିଯିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦମଦାର ବ୍ୟାଟିଂ କରିଥିଲା। ମୁମ୍ବାଇ ଘରୋଇ ପଡ଼ିଆରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ତିନୋଟି ପରିବର୍ତ୍ତନ କରିଥିଲା। ଯଶପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ କଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଏହି ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିବାକୁ ସୁଯୋଗ ଦିଆଯାଇଥିଲା। ସେହିପରି ଆହତ ଯୋଗୁଁ ତିଳକ ବର୍ମା ଓ ଟିମ୍ ଡେଭିଡ୍ ମଧ୍ୟ ଶେଷ ମ୍ୟାଚ୍ରେ ଖେଳିପାରି ନାହାନ୍ତି। ତଥାପି ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣ କରିଥିଲେ ମୁମ୍ବାଇ ବୋଲର୍। ପ୍ରଥମ ଓଭରରେ ଦେବଦତ୍ତ ପଡ଼ିକଲ୍ଙ୍କୁ ନୂୱାନ୍ ତୁଷାରା ଆଉଟ୍ କରିଥିଲା ବେଳେ ପାୱାରପ୍ଲେ ଭିତରେ ଅର୍ଜୁନ୍ ୨ ଓଭରରେ ମାତ୍ର ୧୦ ରନ୍ ବ୍ୟୟ କରିଥିଲେ। ଫଳରେ ଲକ୍ଷ୍ନୌ ପ୍ରଥମ ୬ ଓଭରରେ ମାତ୍ର ୪୯ ରନ୍ ସଂଗ୍ରହ କରିଥିଲା। ମାର୍କସ ଷ୍ଟୋଇନିସ୍ (୨୮) ଓ ଦୀପକ ହୁଡ଼ା (୧୧) ଅଧିକ ସମୟ ବ୍ୟାଟିଂ କରିପାରି ନଥିଲେ। ଅଧିନାୟକ କେଏଲ୍ ରାହୁଲ୍ଙ୍କ ସହ ନିକୋଲାସ ପୂରନ୍ ଚତୁର୍ଥ ୱିକେଟ୍ରେ ୪୪ ବଲ୍ରୁ ୧୦୯ ରନ୍ର ଭାଗୀଦାରି ଗଢ଼ି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ୧୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ପୂରନ (୭୫ ରନ୍, ୨୯ ବଲ୍) ଙ୍କୁ ତୁଷାରା ସପ୍ତଦଶ ଓଭରରେ ଆଉଟ୍ କରିବା ପରେ ମୁମ୍ବାଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ଓଭରର ପଞ୍ଚମ ବଲ୍ରେ ପୂରନ୍ ଓ ଷଷ୍ଠ ବଲ୍ରେ ଅର୍ଶଦ ଖାନ୍ (୦) ଙ୍କୁ ତୁଷାରା ଆଉଟ୍ କରିବା ପରେ ପରବର୍ତ୍ତୀ ଓଭରର ପ୍ରଥମ ବଲ୍ରେ କେଏଲ୍ ରାହୁଲ୍ (୫୫ରନ୍, ୪୧ ବଲ୍)ଙ୍କୁ ପୀୟୂଷ ଚାୱଲା ଆଉଟ୍ କରି ଦଳର ରନ୍ଗତିରେ ବ୍ରେକ୍ ଲଗାଇଥିଲେ। ଶେଷ ଆଡ଼କୁ ଆୟୁଷ ବଡ଼ୋନୀ (୨୨*) ଓ କ୍ରୁନାଲ ପାଣ୍ଡ୍ୟା (୧୨*) ଦଳକୁ ୨୧୪/୬ରେ ପହଞ୍ଚାଇଥିଲେ।
ସଂକ୍ଷିପ୍ତ ସ୍କୋର: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୦ ଓଭରରେ ୨୧୪/୬ (ନିକୋଲାସ ପୂରନ୍-୭୫, କେଏଲ୍ ରାହୁଲ-୫୫, ମାର୍କସ ଷ୍ଟୋଇନିସ୍-୨୮, ନୁୱାନ୍ ତୁଷାରା-୩/୨୮, ପୀୟୂଷ ଚାୱଲା-୩/୨୯)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୬/୬ (ରୋହିତ ଶର୍ମା-୬୮, ନମନ ଧୀର-୬୨*, ରବି ବିଷ୍ଣୋଇ-୨/୩୭, ନବୀନ ଉଲ୍ ହକ୍-୨/୫୦)।
Follow Us