ସୁଜୁକା: ମର୍ସିଡିଜ୍ର ଫିନ୍ଲାଣ୍ଡ ଚାଳକ ଭାଲଟେରି ବୋଟ୍ଟାସ ରବିବାର ଜାପାନିଜ୍ ଗ୍ରାଁ ପ୍ରି ମୁକୁଟ ଜିତି ନେଇଛନ୍ତି। ସେ ୧ ଘଣ୍ଟା ୨୧ ମିନିଟ୍ ୪୬.୭୫୫ ସେକେଣ୍ଡ ସମୟ ନେଇ ରେସ୍ ଶେଷ କରିଥିଲେ। ଫେରାରିର ସେବାସ୍ତିଆନ୍ ଭିଟ୍ଟଲ ଦ୍ବିତୀୟ ଏବଂ ବୋଟ୍ଟାସ୍ଙ୍କ ମର୍ସିଡିଜ୍ ସାଥୀ ଲୁଇସ ହାମିଲଟନ୍ ତୃତୀୟରେ ରହି ପୋଡିୟମ୍ ଫିନିସ୍ କରିଥିଲେ। ରେଡ୍ବୁଲ ରେସିଂ ହୁଣ୍ଡାର ଆଲେକ୍ଜାଣ୍ଡର ଆଲ୍ବନ ଚତୁର୍ଥ ଓ ମ୍ୟାକ୍ଲରେନ୍ ରେନଲ୍ଟର କାର୍ଲୋସ ସାଁଜ ପଞ୍ଚମରେ ରହିଥିଲେ। ବୋଟ୍ଟାସଙ୍କ ଏହା ଚଳିତ ବର୍ଷର ଦ୍ବିତୀୟ ଏବଂ ଜୀବନର ୫୭ ତମ ଗ୍ରାଁ ପ୍ରି ବିଜୟ।
ଜାପାନ୍ରେ ବୋଟ୍ଟାସ ପ୍ରଥମ ଏବଂ ହାମିଲଟନ୍ ତୃତୀୟ ସ୍ଥାନରେ ରହିବାରୁ ମର୍ସିଡିଜ୍ ଚଳିତ ବର୍ଷର ୪ ରେସ୍ ପୂର୍ବରୁ ଫର୍ମୁଲା ୱାନ୍ ମୁକୁଟ କରାୟତ କରିନେଇଛି। ଏଥିସହ ମର୍ସିଡିଜ୍ ଲଗାତାର ଷଷ୍ଠ ଥର ଲାଗି ଏହି ମୁକୁଟ ଜିତିବାରେ ଫେରାରି (୧୯୯୯-୨୦୦୪)ର ସମକକ୍ଷ ହୋଇଛି। ସଂପ୍ରତି ମର୍ସିଡିଜ୍ ୬୧୨ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲା ବେଳେ ଫେରାରି ୪୩୩ ପଏଣ୍ଟ୍ ପାଇ ଦ୍ବିତୀୟରେ ରହିଛି। ଫେରାରି ଏବେ ବି ୧୭୯ ପଏଣ୍ଟ ପଛରେ ରହିଥିବାରୁ ଆଉ ବାକି ଥିବା ୪ ରେସ୍ରେ ମର୍ସିଡିଜ୍କୁ ଟପିବା ଅସମ୍ଭବ ହୋଇପଡ଼ିଛି। ଫଳରେ ମର୍ସିଡିଜ୍ ଅନାୟାସରେ ଷଷ୍ଠ ଥର ଲାଗି ଫର୍ମୁଲା ୱାନ୍ ମୁକୁଟ କରାୟତ କରିନେଇଛି।
Follow Us