କରୋନା ପ୍ରଭାବ: ଫିଫା ଯୁବା ବିଶ୍ବକପ୍‌ ଝୁଲିଲା

Advertisment
କରୋନା ପ୍ରଭାବ: ଫିଫା ଯୁବା ବିଶ୍ବକପ୍‌ ଝୁଲିଲା

ଭୁବ‌ନେଶ୍ବର/ଲଣ୍ଡନ୍‌: ଭାରତରେ ଚଳିତ ବର୍ଷ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ବିଶ୍ବକପ୍‌ ମଧ୍ୟ କରୋନା ଭୂତାଣର ପ୍ରଭାବରେ ବାତିଲ ହେବାର ଆଶଙ୍କା ଭିତରେ ରହିଛି। ବୁଧବାର କିନ୍ତୁ ଫୁଟ୍‌ବଲ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ କହିଛି, ଭାରତରେ କୋଭିଡ୍‌-୧୯ ମହାମାରୀର କିଭଳି ପ୍ରଭାବ ରହୁଛି ଆମେ ଦେଖିବା ପରେ ଚୂଡାନ୍ତ ନିଷ୍ପତ୍ତି ନେବୁ। ନଭେମ୍ବର ମାସରେ ଏହି ସମ୍ମାଜନକ ପ୍ରତ‌ିଯୋଗିତା ଭାରତର ୫ ସହର ମୁମ୍ବାଇ (ନଭି ମୁମ୍ବାଇ), କୋଲକାତା, ଅହମ୍ମଦାବାଦ, ଭୁବନେଶ୍ବର ଏବଂ ଗୁଆହାଟୀରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଫିଫା ପୁଣି କହିଛି ଯେ ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରାଯାଉଛି। କରୋନା ଭୂତାଣୁ କାରଣରୁ ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୨୧,୦୦୦ ଟପିଥିବା ବେଳେ ୪.୭୫ ଲକ୍ଷ ଆକ୍ରାନ୍ତ ରହିଛନ୍ତି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ ରହିଛି। ‘‘ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ମନରେ ରଖି ଫିଫା ସ୍ଥାନୀୟ ଆୟୋଜନ ସମିତି ସହିତ ଆଲୋଚନା କରୁଛି। ପ୍ରସ୍ତୁତି ଉପରେ କୋଭିଡ୍‌-୧୯ର କିଭଳି ପ୍ରଭାବ ରହୁଛି ତାହା ନଜର ରଖାଯାଇଛି। ଭାରତରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ବିକଳ୍ପ ସମାଧାନ ମଧ୍ୟ ଦୃଷ୍ଟିରେ ରଖାଯାଇଛି’’ ବୋଲି ଫିଫା ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ୍‌ରେ ମୋଟ ୧୬ ଦେଶ ଭାଗନେବାର ଖେଳସୂଚୀ ରହିଛି। କିନ୍ତୁ ମାତ୍ର ୩ ଦେଶ ଏଥି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ଆୟୋଜକ ଦେଶ ଭାବେ ପଦାର୍ପଣ ସୁଯୋଗ ପାଇଥିବା ବେଳେ ଏସୀୟ ମହାଦେଶୀୟ ପ୍ରତିଯୋଗିତାର ବିଜେତା ଏବଂ ଉପବିଜେତା ଭାବେ ଯଥାକ୍ରମେ ଉତ୍ତର‌ କୋରିଆ ଓ ଜାପାନ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। କରୋନା ମହାମାରୀ ଯୋଗୁଁ ଅଲିମ୍ପିକ୍ସ ସହିତ ଫୁଟ୍‌ବଲ୍‌ର ଅନ୍ୟତମ ବଡ଼ ପ୍ରତିଯୋଗିତା ୟୁରୋ କପ୍‌ ମଧ୍ୟ ସ୍ଥଗିତ ହୋଇସାରିଛି। ୨୦୧୭ରେ ଭାରତ ୧୭ ବର୍ଷରୁ କମ୍‌ ଫିଫା ପୁରୁଷ ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିଥିଲା। ଏଥରର ବିଶ୍ବକପ୍‌ ଓଡ଼ିଶାର ଭୁବନେଶ୍ବର ସହିତ ନଭି ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ‌ଗୁଆହାଟୀରେ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଥି ଲାଗି ଆହୁରି ୭ ମାସରୁ ଅଧିକ ସମୟ ରହିଥିବା ସତ୍ତ୍ବେ ଏହି ଫିଫା ପ୍ରତିଯୋଗିତାର ଭାଗ୍ୟ ଝୁଲି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe