କ୍ରିକେଟ୍ ବିଡିଂ ଯୁଦ୍ଧ ଆରମ୍ଭ: ଆଇସିସି ଆଗରୁ ବିଗୁଲ ଫୁଙ୍କିଲା ବିସିସିଆଇ, ଆଇପିଏଲ୍ ପ୍ରସାରଣ ଅଧିକାର ଲାଗି ଟେଣ୍ଡର ଜାରି ହେଲା

Advertisment

ଅକ୍ଟୋବର ୨୫ରେ ଦୁଇଟି ନୂଆ ଦଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି, ୮ ବର୍ଷିୟା ଚକ୍ର ଲାଗି ପ୍ରସାରଣ ଅଧିକାର ବିକିବାକୁ ପ୍ରସ୍ତୁତ ହେଉଛି ଆଇସିସି

ଅକ୍ଟୋବର ୨୫ରେ ଦୁଇଟି ନୂଆ ଦଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି, ୮ ବର୍ଷିୟା ଚକ୍ର ଲାଗି ପ୍ରସାରଣ ଅଧିକାର ବିକିବାକୁ ପ୍ରସ୍ତୁତ ହେଉଛି ଆଇସିସି

କ୍ରିକେଟ୍ ବିଡିଂ ଯୁଦ୍ଧ ଆରମ୍ଭ: ଆଇସିସି ଆଗରୁ ବିଗୁଲ ଫୁଙ୍କିଲା ବିସିସିଆଇ, ଆଇପିଏଲ୍ ପ୍ରସାରଣ ଅଧିକାର ଲାଗି ଟେଣ୍ଡର ଜାରି ହେଲା

ଦୁବାଇ/ନୂଆଦିଲ୍ଲୀ: ପ୍ରସାରଣ ଅଧିକାର ବିକ୍ରିକୁ ନେଇ ବିସିସିଆଇ ଓ ଆଇସିସି ପୁଣି ଥରେ ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆଇସିସି ୨୦୨୩ରୁ ୮ ବର୍ଷୀୟା ଚକ୍ର ଲାଗି ନିଜସ୍ବ ପ୍ରସାରଣ ଅଧିକାର ବିକ୍ରି ପାଇଁ ଟେଣ୍ଡର ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ବିସିସିଆଇ ୨୦୨୩ରୁ ୨୦୨୭ ମସିହା ପର୍ଯ୍ୟନ୍ତ ଆଇପିଏଲ୍ ପ୍ରସାରଣ ଅଧିକାର ବିକ୍ରି ଲାଗି ଟେଣ୍ଡର ଜାରି କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହା କରି ବିସିସିଆଇ ଗୋଟିଏ ଗୁଳିରେ ଏକାଧିକ ଶିକାର କରିବା ଲକ୍ଷ୍ୟରେ ରହିଛି। ଆ‌ଇପିଏଲ୍ ପ୍ରସାରଣ ଅଧିକାର ଲାଗି ଆଗୁଆ ଟେଣ୍ଡର ଜାରି ହେଲେ ସମ୍ଭାବ୍ୟ କ୍ରେତା ଏଥିନେଇ ଅଧିକ ଆଗ୍ରହ ପ୍ରକାଶ କରିବେ। ସେହିଭଳି ଆଇପିଏଲ୍‌ରେ ଦୁଇଟି ନୂଆ ଦଳ ସାମିଲ କରାଯାଉଥିବାରୁ ପ୍ରସାରଣ ଅଧିକାର କିଣିବାର ଚାହିଦା ପୂର୍ବାପେକ୍ଷା ବଢ଼ିବ। ତା ସହ ଥରେ ଆଇସିସି ନିଜସ୍ବ ଟେଣ୍ଡର ଆହ୍ବାନ କଲେ ଏହାର ପ୍ରତିକୂଳ ପ୍ରଭାବ ହୁଏତ ଆଇପିଏଲ୍ ବିଡିଂ ପ୍ରକ୍ରିୟା ଉପରେ ପଡ଼ିପାରେ ବୋଲି ବିସିସିଆଇ ଆଶଙ୍କା କରୁଛି। ମଙ୍ଗଳବାର ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ ବିସିସିଆଇ କହିଛି ଯେ ଦୁଇଟି ନୂଆ ଦଳକୁ ସାମିଲ କରାଯିବାର ଠିକ୍ ପରେ ପରେ ୨୦୨୩ରୁ ୨୦୨୭ ଲାଗି ପ୍ରସାରଣ ଅଧିକାର ଟେଣ୍ଡର ପ୍ରକାଶ କରି ଦିଆଯିବ।

ଅକ୍ଟୋବର ୨୫ରେ ହିଁ ଏହି ଦୁଇଟି ନୂଆ ଦଳ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏଣୁ ଅକ୍ଟୋବର ଶେଷ ସପ୍ତହରେ ହିଁ ୫ ବର୍ଷୀୟ ପ୍ରସାରଣ ଅଧିକାର ଲାଗି ଟେଣ୍ଡର ଜାରି ହୋଇଯିବ। ଏଥିଲାଗି ବିଡ୍ ଦାଖଲ କରିବାକୁ ଆଗ୍ରହୀ ଥିବା କଂପାନି ଏବଂ ବ୍ୟକ୍ତିବି‌‌ଶେଷଙ୍କ ଲାଗି ବିସିସିଆଇ କିଛି ସର୍ତ୍ତ ରଖିଥିବା ଜଣାପଡ଼ିଛି। ‌ସେଗୁଡ଼ିକ ହେଲା ୧) ପ୍ରସାରଣ ଅଧିକାର ବିକ୍ରି କେବଳ ଇ-ନିଲାମ ଜରିଆରେ କରାଯିବ। ପ୍ରସାରଣ ଅଧିକାର ୫ ବର୍ଷ ପାଇଁ ବିକ୍ରି କରାଯିବ। ପ୍ରସାରଣ ଅଧିକାର ଜୋନାଲ ସହ ବିଭିନ୍ନ ପ୍ଲାଟଫର୍ମ ଅର୍ଥାତ୍ ଭାରତୀୟ ଉପମହାଦେଶ, ବିଶ୍ବସ୍ତରୀୟ, ଟେଲିଭିଜନ୍ ଓ ଡିଜିଟାଲ ଆଦି ଭିତ୍ତିରେ ବିକ୍ରି କରାଯିବ। ଆଗ୍ରହୀ ଚ୍ୟାନେଲ ଓ ସଂସ୍ଥା ଗୋଟିଏ କିମ୍ବା ସମଗ୍ର ଚାରିଟି ଯାକ ପ୍ଲାଟଫର୍ମ ପାଇଁ ବିଡ୍ ଦାଖଲ କରିପାରିବେ। ଷ୍ଟାର ସ୍ପୋର୍ଟସ ସଂପ୍ରତି ମ୍ୟାଚ୍ ପିଛା ଦେଉଥିବା ୫୪.୫ କୋଟି ଟଙ୍କା ମୂଳଦର ହୋଇପାରେ। ତେବେ ଏଥିନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଏବେ ନିଆଯାଇନି।

ବିଡ୍ ଆହ୍ବାନ ପ୍ରକ୍ରିୟା ଆରମ୍ଭ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରି ଆଇସିସିକୁ ବିସିସିଆଇ ତାରି ଗୁଳିରେ ଘାଇଲା କରିବାକୁ ଯୋଜନା କରିଛି। କାରଣ ଆଇସିସିର ବିଡ୍ ଆହ୍ବାନ ପ୍ରକ୍ରିୟାକୁ ବିସିସିଆଇ ସମର୍ଥନ କରୁନି। ଏହି ବିଷୟରେ ନିଜ ମତ ପ୍ରକାଶ କରିବାକୁ ଯାଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଇସିସିର ପ୍ରସ୍ତାବିତ ଏଫ୍‌ଟିପି ଆରମ୍ଭ ହେବାକୁ ଆହୁରି ୨୮ ମାସ ସମୟ ବାକି ଅଛି। କାରଣ ୨୦୨୩ ଏକଦିବସୀୟ ବିଶ୍ବକପ୍ ଶେଷ ନେହେବା ପର୍ଯ୍ୟନ୍ତ ଆଇସିସିର ପରବର୍ତ୍ତୀ ଚକ୍ର ଆରମ୍ଭ ‌ହେବାର ନାହିଁ। ଏବେଠୁ ଏଥିନେଇ ବିଡ୍ ଆହ୍ବାନ କରିବା‌ର କୌଣସି ଯଥାର୍ଥତା ନାହିଁ। ସେଥିପାଇଁ ନଭେମ୍ବର ୧୬ରେ ହେବାକୁ ଥିବା‌ ଆଇସିସି ବୋର୍ଡ ବୈଠକରେ ଆମେ ଏହାକୁ ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବିସିସିଆଇର କ୍ଷତି କରିବା ଲାଗି ଆଇସିସିର କିଛି ସଦସ୍ୟ ଷଡ଼ଯନ୍ତ୍ର କରୁଥିବାରୁ ଏହାକୁ ପ୍ରତିହତ କରିବା ଲାଗି ମଧ୍ୟ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବରେ ରଣନୀତି ପ୍ରସ୍ତୁତ ହୋଇସାରିଛି। ସବୁଠୁ ବଡ଼ କଥା ହେଲା ୨୦୨୩ରୁ ୨୦୩୨ ଚକ୍ରରେ ହେବାକୁ ଥିବା ପ୍ରତିଯୋଗିତା ଲାଗି ଆଇସିସି ଆୟୋଜକ ଦେଶ ବାଛିନି। ଏଭଳି ସ୍ଥିତିରେ ଆଗୁଆ ପ୍ରସାରଣ ଅଧିକାର ଲାଗି ବିଡ୍ ଆହ୍ବାନ କରି କେବଳ ବିସିସିଆଇକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରାଯାଉଛି ବୋଲି ସଂପୃକ୍ତ ଅଧିକାରୀଜଣକ ମତ ପ୍ରକାଶ କରିଛନ୍ତି। ଆଇସିସି ତାର ପ୍ରତିଯୋଗିତାଗୁଡ଼ିକରେ ୪୩.୩ ପ୍ରତିଶତ କର ରିହାତି ଚାହୁଥିଲା ବେଳେ ସଦସ୍ୟ ଦେଶଗୁଡ଼ିକ ଏଥିରେ ରାଜି ହେବାର ସମ୍ଭାବନା ମଧ୍ୟ କମ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe