କ୍ରିକେଟ୍‌ର ଅଲିମ୍ପିକ୍ସ ଆଶା ବଢ଼ିଲା

କ୍ରିକେଟ୍‌ର ଅଲିମ୍ପିକ୍ସ ଆଶା ବଢ଼ିଲା

Financial Times

ଦୁବାଇ: କ୍ରିକେଟ୍‌କୁ ପୁଣି ଥରେ ଅଲିମ୍ପିକ୍ସରେ ସାମିଲ କରିବାର ପ୍ରୟାସକୁ ଆଇସିସି ତୀବ୍ରତର କରିଛି। ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ବିଶ୍ବ କ୍ରିକେଟ୍‌ର ଏହି ସର୍ବୋଚ୍ଚ ସଂସ୍ଥା ଗୁରୁବାର ସଦସ୍ୟ ବୋର୍ଡଗୁଡ଼ିକୁ ଆହ୍ବାନ କରିଛି। ସଦସ୍ୟମାନଙ୍କୁ ଏଥିନେଇ ଏକ ପ୍ରଶ୍ନ ତାଲିକା ମଧ୍ୟ ପଠାଇଛି ଆଇସିସି। ନଭେମ୍ବର ସୁଦ୍ଧା ଏହି ପ୍ରଶ୍ନ ତାଲିକାକୁ ପୂରଣ କରି ପଠାଇବାକୁ ଆଇସିସି କହିଛି। ସଦସ୍ୟମାନେ ମତ ଦେବା ପରେ ଆସନ୍ତା ଆଇସିସି ବୋର୍ଡ ବୈଠକରେ ଏଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଆଇସିସି ଏପର୍ଯ୍ୟନ୍ତ ୨୦୨୩ ମସିହା ପରର ଗସ୍ତସୂଚୀ ନିର୍ଦ୍ଧାରଣ କରିନାହିଁ। ତେବେ ସବୁକିଛି ଠିକ୍ ରହିଲେ ଏବଂ ସହମତି ହୋଇପାରିଲେ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପ୍ରଶଂସକ କ୍ରିକେଟ୍‌ ଖେଳକୁ ଦେଖିପାରିବେ।

ଦୁଇ ବର୍ଷ ପୂର୍ବେ ମଧ୍ୟ କ୍ରିକେଟ୍‌ର ଅଲିମ୍ପିକ୍ସ ପ୍ରତ୍ୟାବର୍ତ୍ତନ ନେଇ ଏଭଳି ଏକ ଅଭିଯାନ ଆରମ୍ଭ କରିଥିଲା। ତେବେ କ୍ରିକେଟ୍‌କୁ ଅଲିମ୍ପିକ୍ସରେ ସାମିଲ କରିବା ଲାଗି ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ରାଜି ନଥିବା ଜଣାପଡ଼ିଛି। କାରଣ ଏହା ହେଲେ ଏହି ତିନି କ୍ରିକେଟ୍‌ ବୋର୍ଡ ଲାଭ ପରିବର୍ତ୍ତେ ଆର୍ଥିକ କ୍ଷତି ସହିବେ। ଅଲିମ୍ପିକ୍ସ ପାଇଁ ସମୟ ବାହାର କରିବାକୁ ହେଲେ ଦ୍ବିପାକ୍ଷିକ ଶୃଙ୍ଖଳା ପ୍ରଭାବିତ ହେବ ବୋଲି ଏମାନେ ଅତୀତରେ ଯୁକ୍ତି କରିଥିଲେ। ଏବେ ମଧ୍ୟ ଏମାନେ ନିଜ ଆଭିମୁଖ୍ୟ ବଦଳାଇ ନଥିବାର ସଙ୍କେତ ମିଳିଛି। ସୂଚନାଯୋଗ୍ୟ ଯେ କ୍ରିକେଟ୍ ୧୯୦୦ ମସିହା ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ବେଲଜିୟମ ଓ ନେଦରଲାଣ୍ଡ୍ସ ଓହରି ଯାଇଥିଲେ। ଫଳରେ ଗ୍ରେଟ୍ ବ୍ରିଟେନ୍ ଏବଂ ଫ୍ରାନ୍ସ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଗ୍ରେଟ୍ ବ୍ରିଟେନ୍ ୧୫୮ ରନ୍‌ରେ ଫ୍ରାନ୍ସକୁ ପରାସ୍ତ କରିଥିଲା। ବିଜେତା ଦଳକୁ କିନ୍ତୁ ରୌପ୍ୟ ପଦକ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe