କେକେଆର୍‌କୁ କାଟିଲେ ଜାଦେଜା, ଶେଷ ୨ ବଲ୍‌ ଛକା, ଚେନ୍ନାଇର ଚମକପ୍ରଦ ବିଜୟ

ରୋମାଞ୍ଚକର ମ୍ୟାଚରେ କୋଲକାତାକୁ ୬ ୱିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍

NDTV Sports

ଦୁବାଇ: ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆଇପିଏଲ୍‌-୧୩ରେ ରୋମାଞ୍ଚ ସରିନାହିଁ। ଗୁରୁବାର ଆଉ ଏକ ଅନ୍ତିମ ବଲ୍ ଉତ୍କଣ୍ଠାରେ ବାଜି ମାରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ନାଟକୀୟ ଭାବେ ୬ ୱିକେଟ୍‌ରେ ହରାଇଛି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)। ଉତ୍ଥାନ ପତନ ଓ ଘଟଣା ବହୁଳ ଏହି ମୁକାବିଲା ଅଷ୍ଟାଦଶ ଓଭର ପର୍ଯ୍ୟନ୍ତ ଏକପ୍ରକାର କୋଲକାତା କବ୍‌ଜାରେ ଥିଲା। ହେଲେ ଶେଷ ଦୁଇ ଓଭରରେ ଚେନ୍ନାଇ ସୁବିକଛି ବଦଳାଇ ଦେଇଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା (୩୧* ରନ୍, ୧୧ ବଲ୍, ୨ ଚୌକା, ୩ ଛକା) ହିଁ ‌ନିଜ ବିସ୍ଫୋରକ ରୂପରେ ‌କୋଲକାତା ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ବିଜୟ ପାଇଁ ଚେନ୍ନାଇକୁ ଆଜି ଶେ‌ଷ ୧୨ ବଲ୍‌ରୁ ୩୦ ରନ୍‌ ଦରକାର ଥିଲା। ପିଚ୍‌ ମଧ୍ୟ ବୋଲରଙ୍କୁ ସୁହାଉଥିଲା। କଠିନ ପରିସ୍ଥିତିରେ ଜାଦେଜା ଧମାକାଦାର ବ୍ୟାଟିଂ କରି ଚତୁରତାର ସହ ପ୍ରଥମେ ଚେନ୍ନାଇ ପଲ୍ଲା ଭାରି କରିଥିଲେ ଏବଂ ପରେ ବିଜୟ ରେଖା ପାର କରାଇଥିଲେ।

ଗୁରୁତ୍ବପୂର୍ଣ୍ଣ ଊନ୍ନବିଂଶ ଓଭରର ଚତୁର୍ଥ ବଲ୍‌ରେ ଲୋକି ଫର୍ଗୁସନ ନୋ’ ବଲ୍ ପକାଇବା କୋଲକାତା ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହିଠାରୁ ହିଁ ମ୍ୟାଚ୍‌ର ମୋଡ଼ ବଦଳି ଯାଇଥିଲା। ଫ୍ରି-ହିଟ୍‌ରୁ ଛକା ସହ ଏହି ଓଭରରୁ ୨୦ ରନ୍ ଅମଳ କରିଥିଲେ ଜାଦେଜା। ଫଳରେ କମଲେଶ ନାଗରକୋଟୀଙ୍କ ବିଂଶତମ ଓଭରରୁ ବିଜୟ ପାଇଁ ଚେନ୍ନାଇକୁ ୧୦ ରନ୍‌ର ଦରକାର ଥିଲା। ତାଙ୍କ ପ୍ରଥମ ୪ ବଲ୍‌ରୁ ଜାଦେଜା ଓ ସାଥୀ ସାମ୍ କରନ (୧୩ ରନ୍, ୧୪ ବଲ୍, ୧ ‌ଚୌକା) ୩ ରନ୍ ନେଇଥିଲେ। ତେବେ ଚତୁର୍ଥ ଓ ପଞ୍ଚମ ବଲ୍‌କୁ ଛକାରେ ରୂପାନ୍ତର କରି ଜାଦେଜା ଷ୍ଟାଇଲ୍‌ରେ ବିଜୟ ମୁଣ୍ଡି ମାରିଥିଲେ। ଏହି ବିଜୟ ପରେ ପ୍ଲେ ଅଫ୍‌ରୁ ବାଦ ପଡ଼ି ସାରିଥିବା ଚେନ୍ନାଇ ୧୩ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ସେହି ୧୩ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିଥିଲା କୋଲକାତା।

କୋଲକାତା ଏବେ ବି ପ୍ଲେ ଅଫ୍ ଦୌଡ଼ରେ ଥିଲେ ମଧ୍ୟ ଏହି ପର୍ଯ୍ୟାୟକୁ ଯିବା ଲାଗି ଶେଷ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହ ଭାଗ୍ୟ ସାଥ୍ ଦେବା ଏହି ଦଳ ପାଇଁ ଏବେ ଏକାନ୍ତ ଅପରିହାର୍ଯ୍ୟ ହୋଇଛି। ଚେନ୍ନାଇର ୨୪ ବର୍ଷୀୟ ଯୁବ ତାରକା ଋତୁରାଜ ଗାଏକ୍ବାଡ୍ (୭୨ ରନ୍, ୫୩ ବଲ୍, ୬ ଚୌକା, ୨ ଛକା) ଲଗାତାର ଅର୍ଧଶତକ ଅର୍ଜନ କରି ଚେନ୍ନାଇ ପଶ୍ଚାତଧାବନର ନେତୃତ୍ବ ନେଇଥିଲେ। ଅମ୍ବାତି ରାୟୁଡୁ ମଧ୍ୟ ୩୮ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ତେବେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚଳିତ ଆଇପିଏଲ୍‌ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ବୋଲ୍ଡ କରିଥିଲେ। ସେପଟେ ଗାଏକ୍ବାଡ୍ ଲଗାତାର ଦ୍ବିତୀୟ ଥର ପାଇଁ ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ନୀତୀଶଙ୍କ ଅର୍ଦ୍ଧଶତକ ବେକାର
ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ଏକ ପ୍ରକାର କର ବା ମର ସ୍ଥିତିରେ ଥିବା କେକେଆର ଗୁରୁବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଯୁବ ପ୍ରାରମ୍ଭିକ ଯୋଡ଼ି ଶୁଭମନ ଗିଲ୍‌ (୨୬) ଓ ନୀତୀଶ ରାଣା (୮୭) ପ୍ରଥମ ୱିକେଟ୍‌ରେ ୫୩ ରନ୍ ଯୋଡ଼ିଥିଲେ। କର୍ଣ୍ଣ ଶର୍ମା ଚତୁରତାର ସହ ଅଷ୍ଟମ ଓଭରର ଦ୍ବିତୀୟ ବଲ୍‌ରେ ଗିଲ୍‌ଙ୍କୁ ବୋଲ୍ଡ କରିବା‌ ପରେ କିନ୍ତୁ କେକେଆର୍‌ ମଝି ଓଭରଗୁଡ଼ିକରେ ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରିନଥିଲା। ନୀତୀଶ ଗୋଟିଏ ପଟେ ଆକ୍ରମଣ କରିଥିଲେ। ଅନ୍ୟପଟୁ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ପଡ଼ିବା ଧାରା ଜାରି ରହିଥିଲା। ସୁନିଲ ନାରାୟଣ (୭), ରିଙ୍କୁ ସିଂହ (୧୧) ଓ ଅଧିନାୟକ ଇଅନ ମୋର୍ଗାନ (୧୫) ବିଫଳ ହୋଇଥିଲେ। ନୀତୀଶ ଅବଶ୍ୟ ସାହସର ସହ କିଛି ବଡ଼ ଓ ଦର୍ଶନୀୟ ସଟ୍ ଖେଳି ଚାଲିଥିଲେ। ୪୪ ବଲ୍‌ରୁ ୭ ଚୌକା ଓ ଗୋଟିଏ ଛକା ବଳରେ ସେ ୫୦ ରନ୍ ପୂରଣ କରିଥିଲେ। ଯାହା ଚଳିତ ଆଇପିଏଲ୍‌ରେ ବ୍ୟକ୍ତିଗତ ଭାବେ ତାଙ୍କର ତୃତୀୟ ଅର୍ଧଶତକ ଥିଲା। ଲିଗ୍ ପର୍ଯ୍ୟାୟ ଅଧାରୁ ମୋର୍ଗାନଙ୍କୁ ଅଧିନାୟକ ଭାର ହସ୍ତାନ୍ତର କରିଥିବା ଦୀନେଶ କାର୍ତ୍ତିକ ପୁଣି ଥରେ ଏକ ଉପଯୋଗୀ ପାଳି ଖେଳିଥିଲେ। ମାତ୍ର ୧୦ ବଲ୍‌ରୁ ୩ ଚୌକା ବଳରେ ୨୧ ରନ୍ କରିଥିଲେ ସେ। ଯାହା ଫଳରେ କେକେଆର ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍‌ର ଆହ୍ବାନପୂର୍ଣ୍ଣ ସ୍କୋର କରି ନେଇଥିଲା। ସିଏସ୍‌କେର ପୁରୁଖା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବୋଲର ପରିଚାଳନା ପୁଣି ଥରେ ବିତର୍କ ଭିତରକୁ ଆସିଥିଲା। ନୀତୀଶ ଦ୍ରୁତ ବୋଲରଙ୍କୁ ଖେଳିବାକୁ ଅସହଜ ଅନୁଭବ କରୁଥିଲା ବେଳେ ପାୱାର ପ୍ଲେ ଭିତରେ ହିଁ ସେ ସ୍ପିନର ମିଚେଲ ସାଣ୍ଟନରଙ୍କୁ ବୋଲିଂ ପାଇଁ ଡାକିଥିଲେ। କେକେଆର୍‌ ଏକଦା ୧୮୦ ରନ୍ ଟପିଯିବାର ସମ୍ଭାବନା ଥିଲେ ମଧ୍ୟ ଶେଷ ଦୁଇ ଓଭରରେ ଲୁଙ୍ଗି ଏନଗିଡ଼ି ଓ ସାମ୍ କରନ୍ ମାପଚୁପ ବୋଲିଂ କରି କେକେଆରକୁ ଏହି ଲକ୍ଷ୍ୟ ହାସଲ କରିବାରୁ ସଫଳତାର ସହ ରୋକିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe