ଆଇପିଏଲ୍‌ରେ ଗୁଜରାଟଠୁ ଜିତିନି ସିଏସ୍‌କେ

ଆଇପିଏଲ୍‌ରେ ଗୁଜରାଟଠୁ ଜିତିନି ସିଏସ୍‌କେ

ଅହମଦାବାଦ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଷୋଡ଼ଶ ସଂସ୍କରଣ ଆଉ ଦିନକ ପରେ ଆରମ୍ଭ ହେବ। ଆସନ୍ତା ୩୧ ତାରିଖ ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ପଡ଼ିଆ ବାହାରର ଦୁଇ ଉତ୍ତମ ବନ୍ଧୁ ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦିକ୍‌ ପାଣ୍ଡ୍ୟା। ଧୋନି ୪ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ବ ନେଉଥିଲା ବେଳେ ପାଣ୍ଡ୍ୟା ଗତ ସଂସ୍କରଣରେ ପ୍ରଥମ ଥର ଖେଳି ବିଜେତା ହୋଇଥିବା ଗୁଜରାଟ ଟାଇଟାନ୍ସର ଅଧିନାୟକ ଅଛନ୍ତି। ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ରେ ଗୋଟିଏ ଋତୁ ଖେଳିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍‌ସ ୧୩ ଋତୁ ଧରି ଖେଳିସାରିଛି। ଚଳିତ ଋତୁର ଉଦ୍‌ଘାଟନୀ ମୁକାବିଲା ପୂର୍ବରୁ ଏହି ଦୁଇ ଦଳ ଆଇପିଏଲ୍‌ରେ ୨ ଥର ମୁହାଁମୁହିଁ ହୋଇଛନ୍ତି। ଗତ ସଂସ୍କରଣରେ ଉଭୟ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଜିତିଥିଲା। ପ୍ରଥମକୁ ୩ ୱିକେଟ୍‌ (୧ ବଲ୍‌ ପୂର୍ବରୁ) ଏବଂ ଦ୍ବିତୀୟକୁ ୭ ୱିକେଟ୍‌ (୫ ବଲ୍‌ ପୂର୍ବରୁ)ରେ ଗୁଜରାଟ ଜିତିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍‌ସ ଶତ ପ୍ରତିଶତ ପରାଜୟ ପାର୍ଶ୍ବରେ ରହିଛି।

ଗୁଜରାଟ ବ୍ୟାଟିଂରେ ହାର୍ଦିକ୍‌ ପାଣ୍ଡ୍ୟା, ଶୁବମନ ଗିଲ୍‌, କେନ୍‌ ୱିଲିୟମ୍‌ସନ ଏବଂ ଡେଭିଡ୍‌ ମିଲର ଏବଂ ବୋଲିଂରେ ମହମ୍ମଦ ସାମି, ରସିଦ୍‌ ଖାନ୍‌, ଲୋକି ଫର୍ଗୁସନଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଗତ ପଦାର୍ପଣ ଋତୁରେ ପାଣ୍ଡ୍ୟା (୪୮୭ ରନ୍‌, ୧୫ ମ୍ୟାଚ୍‌, ୪ ଅର୍ଦ୍ଧଶତକ, ସର୍ବାଧିକ ୮୭*), ଗିଲ୍‌ (୪୮୩ ରନ୍‌, ୧୬ ମ୍ୟାଚ୍‌, ୪ ଅର୍ଦ୍ଧଶତକ, ସର୍ବାଧିକ ୯୬) ଏବଂ ମିଲର (୪୮୧ ରନ୍‌, ୧୬ ମ୍ୟାଚ୍‌, ୨ ଅର୍ଦ୍ଧଶତକ, ସର୍ବାଧିକ ୯୪*) ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରହିଥିଲା ବେଳେ ବୋଲିଂରେ ସାମି (୨୦ ୱିକେଟ୍‌, ୧୬ ମ୍ୟାଚ୍‌, ଶ୍ରେଷ୍ଠ ୩/୨୫), ରସିଦ୍‌ (୧୯ ୱିକେଟ୍‌, ୧୬ ମ୍ୟାଚ୍‌, ଶ୍ରେଷ୍ଠ ୪/୨୪) ଏବଂ ଫର୍ଗୁସନ (୧୨ ୱିକେଟ୍‌, ୧୩ ମ୍ୟାଚ୍‌, ଶ୍ରେଷ୍ଠ ୪/୨୮) ଶ୍ରେଷ୍ଠ ପ୍ରଦର୍ଶନ ପାଇଥିଲେ।

ଚେନ୍ନାଇ ସୁପର କିଙ୍ଗ୍‌ସ ବ୍ୟାଟିଂରେ ଋତୁରାଜ ଗାଏକ୍ବାଡ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ମୋଇନ ଅଲ୍ଲୀ, ବେନ୍‌ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା ଏବଂ ବୋଲିଂରେ ମହେଶ ତୀକ୍ଷ୍‌ଣା, ମୁକେଶ ‌ଚୌଧୁରୀ, ମିଚେଲ ସାଣ୍ଟନରଙ୍କ ଉପରେ ଅଧିକ ନିର୍ଭର କରିବ। ଗତ ଋତୁରେ ଗାଏକ୍ବାଡ (୩୬୮ ରନ୍‌, ୧୪ ମ୍ୟାଚ୍‌, ୩ ଅର୍ଦ୍ଧଶତକ, ସର୍ବାଧିକ ୯୯), ଦୁବେ (୨୮୯ ରନ୍‌, ୧୧ ମ୍ୟାଚ୍‌, ୨ ଅର୍ଦ୍ଧଶତକ, ସର୍ବାଧିକ ୯୫*) ଏବଂ ରାୟୁଡୁ (୨୭୪ ରନ୍‌, ୧୩ ମ୍ୟାଚ୍‌, ୧ ଅର୍ଦ୍ଧଶତକ, ସର୍ବାଧିକ ୭୮) ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ବେଳେ ବୋଲିଂରେ ଡ୍ବାନ୍‌ ବ୍ରାଭୋ (୧୬ ୱିକେଟ୍‌, ୧୦ ମ୍ୟାଚ୍‌, ଶ୍ରେଷ୍ଠ ୩/୨୦), ମୁକେଶ (୧୬ ୱିକେଟ୍‌, ୧୩ ମ୍ୟାଚ୍‌, ଶ୍ରେଷ୍ଠ ୪/୪୬) ଏବଂ ମହେଶ (୧୨ ୱିକେଟ୍‌, ୯ ମ୍ୟାଚ୍‌, ଶ୍ରେଷ୍ଠ ୪/୩୩) ଶ୍ରେଷ୍ଠ ପ୍ରଦର୍ଶନ ପାଇଥିଲେ।

ଉଦ୍‌ଘାଟନୀରେ ବଲିଉଡ୍‌ ଝଲକ
୩୧ ତାରିଖରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲା ପୂର୍ବରୁ ଆୟୋଜିତ ହେବାକୁ ଥିବା ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହରେ ବଲିଉଡ୍‌ ଝଲକ ଦେଖିବାକୁ ମିଳିବ। ରଶ୍ମିକା ମାଣ୍ଡାନା ଏବଂ ତମନ୍ନା ଭାଟିଆଙ୍କ ପ୍ରଦର୍ଶନରେ ଦର୍ଶକମାନେ ଝୁମିବେ। ଏହି ଦୁଇ ଜଣଙ୍କ ବ୍ୟତୀତ କାଟ୍ରିନା କୈଫ୍‌, ଟାଇଗର ସ୍ରଫ୍ ଏବଂ କଣ୍ଠଶିଳ୍ପୀ ଅରିଜିତ ସିଂହ ମଧ୍ୟ ମନୋରଞ୍ଜନର ଆକର୍ଷଣ ସାଜିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe