Times of India
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ୍ ହରାଇ ୧୫୬ ରନ କରିଥିଲା। ମୁମ୍ବାଇ ୧୫୭ ରନ୍ର ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୮ ୱିକେଟ ହରାଇ ୧୩୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ବିଜୟ ହାତଛଡ଼ା ହୋଇଯାଇଥିଲା। ମୁମ୍ବାଇ ପକ୍ଷରୁ ସୌରଭ ତିୱାରୀ ସର୍ବାଧିକ ୫୦ ରନ୍ କରିଥିବା ବେଳେ ଅନମୋଲପ୍ରୀତ ସିଂ ୧୬ରନ୍ ଓ କ୍ୱିଣ୍ଟନ୍ ଡି କକ୍ ୧୭ ରନ୍ କରିଥିଲେ । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ବ୍ରାଭୋ ୩ଟି ୱିକେଟ ଓ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଜୋସ୍ ହାଜେଲଉଡ୍, ଶାର୍ଦ୍ଦୁଲ ଠାକୁର ୧-୧ ୱିକେଟ ନେଇଥିଲେ । ଫଳରେ ଚେନ୍ନାଇ ଏହି ମ୍ୟାଚ୍ରେ ବିଜୟ ହାସଲ କରି ଟେବୁଲ ତାଲିକାରେ ପ୍ରଥମରେ ରହିଛି।
ପ୍ରଥମ ପାଳିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଚେନ୍ନାଇ ଟିମ୍ ଯୁବ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକୱାଡ ସର୍ବାଧିକ ୮୮ ରନ୍ ସଂଗ୍ରହ କରିଥିଲେ। ସେ ୫୮ଟି ବଲ୍ ଖେଳି ୯ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଚେନ୍ନାଇ ମାତ୍ର ୧ ରନ୍ରେ ଫାପ୍ ଡୁ ପ୍ଲେସିସ୍ ଓ ୨ ରନ୍ ବେଳକୁ ମୋଇନ୍ ଅଲୀଙ୍କୁ ହରାଇଥିଲା। ସେହିପରି ଦଳୀୟ ସ୍କୋର ୭ ରନ୍ ଥିବା ବେଳେ ସୁରେଶ ରାଇନା ଏବଂ ୨୪ ରନ୍ରେ ଅଧିନାୟକ ମହେନ୍ଦ୍ରେ ସିଂହ ଧୋନୀ ଆଉଟ୍ ହୋଇ ପାଭଲିଅନ୍କୁ ଫେରିଥିଲେ। କିନ୍ତୁ ଯୁବ ବ୍ୟାଟ୍ସମ୍ୟାନ ଗାୟକୱାଡ ଧୈର୍ଯ୍ୟର ସହିତ କ୍ରିଜରେ ଛିଡ଼ା ହୋଇ ବଡ଼ ସ୍କୋର କରିଥିଲେ।
ଚେନ୍ନାଇର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍ ଡୁପ୍ଲେସିସ, ମୋଇନ ଅଲୀ ଓ ଅମ୍ବାତି ରାୟଡୁ ଖାତା ଖୋଲିପାରି ନ ଥିଲେ। ଅଭିଜ୍ଞ ଖେଳାଳି ସୁରେଶ ରାଇନା ମାତ୍ର ୪ ରନ୍ରେ ଆଉଟ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ୩ ରନ୍ ସଂଗ୍ରହ କରି ଅଟକି ଯାଇଥିଲେ। କିନ୍ତୁ ଦଳ ପାଇଁ ସଂକଟମୋଚକ ସାଜିଥିଲେ ରବୀନ୍ଦ୍ର ଜାଦେଜା। ସେ ୩୩ଟି ବଲ୍ ଖେଳି ୨୬ ରନ୍ କରିଥିବା ବେଳେ ଡ୍ବେନ୍ ବ୍ରାଭୋ ୮ଟି ବଲ ଖେଳି ୨୩ ରନ୍ ସଂଗ୍ରହ କରିଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ଆଜି ପ୍ରାରମ୍ଭରୁ ଆକ୍ରମଣାତ୍ମକ ବୋଲିଂ କରିଥିଲା। ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଟ୍ରେଣ୍ଟ ବୋଲ୍ଟ, ଆଦମ ମିଲନେ ଓ ଜସପ୍ରୀତ ବୁମରାଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା।
Follow Us