ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଚାନୁ ଦେଲେ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଚାନୁ ଦେଲେ ସ୍ୱର୍ଣ୍ଣ

ବର୍ମିଂହାମ : ଦିନେ ସେ ବଣ ଜଙ୍ଗଲରୁ କାଠ ଉଠାଉଥିଲେ। ଆଜି ବିଶ୍ବସ୍ତରରେ ଦେଶକୁ ଗର୍ବିତ କରୁଛନ୍ତି। ଗୋଲ୍‌ଡେନ୍ ଗାର୍ଲ ସାଇଖମ ମୀରାବାଇ ଚାନୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକ ଦେଖାଇ ଭାରତକୁ ସ୍ବର୍ଣ୍ଣ ପଦକ ଉପହାର ଦେଇଛନ୍ତି। ସ୍ନାଚ୍‌ରେ (୮୮ କିଲୋ‌ଗ୍ରାମ) ଓ କ୍ଲିନ୍ ଆଣ୍ଡ ଜର୍କ (୧୧୩ କିଲୋଗ୍ରାମ)କୁ ମିଶାଇ ମୋଟ ୨୦୧ କିଲୋଗ୍ରାମ ଭାର ଉଠାଇବା ସହ ଦେଶ ପାଇଁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି।। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଆୟୋଜିତ ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ାର ଗତ ସଂସ୍କରଣରେ ମଧ୍ୟ ଚାନୁ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ଚଳିତ ଥର ଚାନୁ ମଧ୍ୟ ସ୍ନାଚ୍‌ ଓ ଟୋଟାଲରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବାର ସଫଳତା ଲାଭ କରିଥିଲେ। ଟୋଟାଲରେ ରାଜ୍ୟଗୋଷ୍ଠୀର ପୂର୍ବ କୀର୍ତ୍ତିମାନ ୧୯୭ କିଲୋଗ୍ରାମ ଥିଲାବେଳେ ଚାନୁ ତା’ଠାରୁ ୪ କିଲୋଗ୍ରାମ ଅଧିକ ଭାର ଉଠାଇଥିଲେ। ଏହି ଐତିହାସିକ ସଫଳତା ପରେ ଚାରିଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।

publive-image India Today

ଭାରତୀୟ ଭାରୋତ୍ତୋଳନ ପାଇଁ ସ୍ମରଣୀୟ ଦିନରେ ଚାନୁଙ୍କ ସହ ପୁରୁଷ ୫୫ କିଲୋଗ୍ରାମ ବର୍ଗରେ ସଙ୍କେତ ସର୍ଗର ରୌପ୍ୟ ପଦକ ଜିତିଥିଲେ। ଭାରତ ପାଇଁ ଏହା ଥିଲା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ପଦକ। ଏହା ପରେ ଗୁରୁରାଜ ପୂଜାରୀ ପୁରୁଷ ୬୧ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲା। ଏହା ମଧ୍ୟ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ଲଗାତାର ଦ୍ବିତୀୟ ପଦକ ଥିଲା। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ପାଇଥି‌ଲେ ସେ। ତେବେ ଦିନର ସବୁଠାରୁ ବଡ଼ ଖୁସି ଚାନୁ ହିଁ ‌ଦେଇଥିଲେ।

ମହିଳା ଭାରୋତ୍ତୋଳନର ୪୯ କିଲୋଗ୍ରାମରେ ସ୍ବର୍ଣ୍ଣ ପଦକର ପ୍ରମୁଖ ଦାବିଦାର ଭାବେ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଥିଲେ ସେ। ୧୩୫ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାକୁ ପୂରଣ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ମଣିପୁରର ଏହି ମହାନାୟିକା ସ୍ନାଚରେ ନିଜ ଦ୍ବିତୀୟ ପ୍ରୟାସରେ ୮୮ ଏବଂ କ୍ଲିନ୍ ଆଣ୍ଡ ଜର୍କର ଦ୍ବିତୀୟ ପ୍ରୟାସରେ ୧୧୩ କିଲୋଗ୍ରାମ ଭାର ଉଠାଇଥିଲେ। ଉଭୟ ବର୍ଗରେ ନିଜ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ। ସ୍ନାଚ୍‌ରେ ୯୦ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୫ କିଲୋଗ୍ରାମ ଭାର ଉଠାଇ ପାରିନଥିଲେ। ତେବେ ଦ୍ବିତୀୟ ପ୍ରୟାସର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ଦ୍ବିତୀୟ ସ୍ଥାନରେ ରହିଥିବା ମରିସସ୍‌ର ରୋଲିୟା ରାନାଇ ଭଶୋଭା (୭୬, ୯୬)ଙ୍କଠାରୁ ସେ ପୂରା ୨୯ କିଲୋଗ୍ରାମ ଅଧିକ ଭାର ଉଠାଇଥିଲେ। କାନାଡାର ହାନା କମିନେସ୍‌କି (୭୪,୯୭) କାଂସ୍ୟ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe