ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭିନେଶଙ୍କ ହ୍ୟାଟ୍ରିକ୍, ରବି, ନବୀନଙ୍କୁ ସ୍ବର୍ଣ୍ଣ; କୁସ୍ତିରୁ ଆଉ ୬ ପଦକ

Advertisment
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭିନେଶଙ୍କ ହ୍ୟାଟ୍ରିକ୍, ରବି, ନବୀନଙ୍କୁ ସ୍ବର୍ଣ୍ଣ; କୁସ୍ତିରୁ ଆଉ ୬ ପଦକ

ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁସ୍ତି ଆଖଡ଼ାରେ ଭାରତୀୟ ପହିଲମାନଙ୍କ କମାଲ ପୁଣି ଥରେ ଦେଖିବାକୁ ମିଳିଛି। ଶନିବାର ନବମ ଦିନରେ ଏହି ପାରମ୍ପରିକ କ୍ରୀଡ଼ାରୁ ତିନିଟି ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ଜିତିଛି ଭାରତ। ତା’ ସହ କେବଳ କୁସ୍ତିରୁ ଏଥର ଭାରତର ପଦକ ସଂଖ୍ୟାକୁ ୧୨କୁ ବଢ଼ିଛି। ଶୁକ୍ରବାର ମଧ୍ୟ ଭାରତୀୟ କୁସ୍ତିଯୋଦ୍ଧା ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ଜିତିଥିଲେ। ଦୁଇ ଦିନକୁ ମିଶାଇ କୁସ୍ତିରୁ ମୋଟ ୬ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୫ କାଂସ୍ୟ ପଦକ ଜିତିଛି ଭାରତ।

ରବି ଦାହିଆ, ଭିନେଶ ଫୋଗଟ ଓ ନବୀନ ଆଜି ନିଜ ନିଜ ବର୍ଗର ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ପୂଜା ଗେହଲଟ, ପୂଜା ସିହାଗ ଓ ଦୀପକ ନେହରା କାଂସ୍ୟ ପଦକ ହାସଲ କରିଥିଲେ। ଭିନେଶ ଫୋଗଟ ପୂର୍ବରୁ ୨୦୧୪, ୨୦୧୮ରେ ସ୍ବର୍ଣ୍ଣ ଜିତିଥିବାରୁ ଏଥରର ସ୍ବର୍ଣ୍ଣିମ ସଫଳତାକୁ ମିଶାଇ ହ୍ୟାଟ୍ରିକ୍ ଅର୍ଜନ କରିବାର ଗୌରବ ଲାଭ କରିଥିଲେ।

ଶନିବାର କୁସ୍ତି ଆଖଡ଼ାରୁ ଭାରତ ପାଇଁ ପ୍ରଥମ ପଦକ ପୂଜା ଗେହଲେଟ୍‌ ଜିତିଥିଲେ। ମହିଳା ୫୦ କି‌ଲୋଗ୍ରାମ ଫ୍ରିଷ୍ଟାଇଲ୍‌ କାଂସ୍ୟ ପଦକ ମ୍ୟାଚ୍‌ରେ ସ୍କଟଲାଣ୍ଡର କ୍ରିଷ୍ଟି‌ଲେ ଲେମୋଫ୍ୟାକ୍ ଲିଚିଜିଓଙ୍କୁ ଉନ୍ନତ ବୈଷୟିକ କୌଶଳ ବଳରେ ୧୨-୨ରେ ହରାଇଥିଲେ ସେ। କ୍ରିଷ୍ଟିଲେ ଲଢ଼େଇ ଆରମ୍ଭରୁ ଆଗୁଆ ରହିଥିଲେ। ତେବେ ଠିକଣା ସମୟରେ ତାଙ୍କୁ ସଂପୂର୍ଣ୍ଣ ଧରାଶାୟୀ କରି ପୂଜା କାଂସ୍ୟ ପଦକ ଜିତି ନେଇଥିଲେ। ୨୫ ବର୍ଷୀୟା ପୂଜାଙ୍କର ବ୍ୟକ୍ତିଗତ ଭାବେ ଏହା ପ୍ରଥମ ପଦକ ଥିଲା।

publive-image

ଏହା ପରେ ପୁରୁଷ ୫୭ କିଲୋଗ୍ରାମରୁ ରବି ଦାହିଆ ଭାରତ ପାଇଁ ନବମ ଦିନର ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ଅଂଶଗ୍ରହଣ କରି ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲେ ରବି। ଫାଇନାଲ୍‌ରେ ସେ ପ୍ରତିପକ୍ଷ ତଥା ନାଇଜେରିଆର ଦୁଇ ଥର ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ଏବିକେୱିନିମୋ ୱଲସନ୍‌ଙ୍କୁ ପ୍ରଥମ ରାଉଣ୍ଡରେ ହିଁ ଚିତ୍ କରି ଦେଇଥିଲେ। ତା’ ସହ ଭାରତ ପାଇଁ କୁସ୍ତିରୁ ଚତୁର୍ଥ ଏବଂ ମୋଟ ଉପରେ ଦଶମ ସ୍ବର୍ଣ୍ଣ ପଦକ କରାୟତ୍ତ କରି ନେଇଥିଲେ।

ଏହି ମ୍ୟାଚ୍ ଜିତିବାକୁ ରବି ମାତ୍ର ୨ ମିନିଟ୍ ୧୬ ସେକେଣ୍ଡ ସମୟ ନେଇଥିଲେ। ଲଢ଼େଇ ଏତେ ଏକତରଫା ଥିଲା ବେଳେ ରବି ୧୦-୦ରେ ଆଗୁଆ ହେବା ପରେ ରେଫରି ତାଙ୍କୁ ଟେକ୍ନିକାଲ ସୁପିରିଓରିଟି ବା ଉନ୍ନତ ବୈଷୟିକ କୌଶଳ ଆଧାରରେ ବିଜୟୀ ଘୋଷଣା କରିଥିଲେ। ସେଥିପାଇଁ ଦ୍ବିତୀୟ ରାଉଣ୍ଡ ବି ଆଉ ଖେଳିବାକୁ ପଡ଼ି ନଥିଲା। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରବି କୁମାର ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ସୁରଜ ସିଂହ ଏବଂ ପାକିସ୍ତାନର ଅସଦ ଅଲ୍ଲୀଙ୍କୁ ମଧ୍ୟ ଟେକ୍ନିକାଲ ସୁପିରିଓରିଟିରେ ପରାସ୍ତ କରିଥିଲେ।

publive-image

ତୃତୀୟ ଭାରତୀୟ ଭାବେ ଲଢ଼ିବାକୁ ଆସିଥିବା ଭିନେଶ ଫୋଗଟ ମଧ୍ୟ ନିରାଶ କରି ନଥିଲେ। ୫୩ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ରେ ଶ୍ରୀଲଙ୍କାର ଚାମୋଦ୍ୟା କେଶାନି ମଦୁରାଭଲେଜଙ୍କୁ ମାତ୍ର କିଛି ସେକେଣ୍ଡର ସମୟ ନେଇଥିଲେ ସେ। ଚାମୋଦିଙ୍କୁ ପ୍ରଥମେ ଡେଞ୍ଜରିଅସ୍ ପୋଜିସନ୍‌କୁ ନେଇ ତା ପରେ ତାଙ୍କ ଉପରେ ମାଡ଼ି ବସିଥିଲେ ଭିନେଶ। ଚାମୋଦ୍ୟାଙ୍କ ଦୁଇ କାନ୍ଧ ମ୍ୟାଟ୍‌କୁ ଲାଗିବା ସହ ରେଫରି ଭିନେଶକୁ ବିଜୟୀ ଘୋଷଣା କରିଥିଲେ। ଭିନେଶଙ୍କର ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଗାତାର ତୃତୀୟ ସ୍ବର୍ଣ୍ଣ ପଦକ ଥିଲା। ୨୭ ବର୍ଷୀୟା ଭିନେଶ ଏହାପୂର୍ବରୁ ୨୦୧୮ ଗୋଲ୍ଡକୋଷ୍ଟ ଏବଂଳ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଅନନ୍ୟ ସଫଳତା ଲାଭ କରିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଥିଲେ ସେ।

ସେହିଭଳି ଭାରତ ପାଇଁ ଆଜିର ତୃତୀୟ ତଥା ଶେଷ ସ୍ବର୍ଣ୍ଣ ଜିତିଥିଲେ ନବୀନ ମଲିକ। ୭୪ କିଲୋଗ୍ରାମ ପୁରୁଷ ଫ୍ରିଷ୍ଟାଇଲ୍‌ରେ ପାକିସ୍ତାନର ମହମ୍ମଦ ସରିଫ ତାହିରଙ୍କୁ ୯-୦ରେ ପରାସ୍ତ କରି ରାଜ୍ୟ‌ଗୋଷ୍ଠୀ କୁସ୍ତି ଆଖଡ଼ାରେ ତ୍ରିରଙ୍ଗା ଉଡ଼ାଇଥିଲେ ସେ। ଦର୍ଶକଙ୍କ ସମର୍ଥନ ସୁଅ ଭିତରେ ପ୍ରଥମ ରାଉଣ୍ଡକୁ ୨-୦ରେ ନିଜ ନାଁରେ କରି ନେଇଥିଲେ ନବୀନ। ଦ୍ବିତୀୟ ରାଉଣ୍ଡ୍‌ରେ ଆଉ ୭ ପଏଣ୍ଟ୍‌ ଯୋଡ଼ି ଏକତରଫା ଭାବେ ସ୍ବର୍ଣ୍ଣ ପଦକ କବଜା‌ କରି ନେଇଥିଲେ ସେ। କୁସ୍ତିରୁ ଭାରତ ପାଇଁ ଏହା ଥିଲା ଷଷ୍ଠ ସ୍ବର୍ଣ୍ଣ। ନବୀନଙ୍କ କୌଶଳ ଆଗରେ ପାକିସ୍ତାନର ମହମ୍ମଦ ସରିଫ ତାହିର ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଗୋଟିଏ ହେଲେ ବି ପଏଣ୍ଟ୍‌ ଅର୍ଜନ କରି ପାରି ନଥିଲେ।

ପୂଜା ସିହାଗ ମହିଳା ୭୬ କିଲୋଗ୍ରାମରେ କାଂସ୍ୟ ପଦକ ହାସଲ କରିଥିଲେ। କାଂସ୍ୟ ପଦକ ଲଢ଼େଇରେ ଅଷ୍ଟ୍ରେଲିଆର ନାଓମି ଡ’ବ୍ରୁଇନଙ୍କୁ ଉନ୍ନତ ବୈଷୟିକ କୌଶଳ ବଳରେ ହରାଇଥିଲେ। କୁସ୍ତିରୁ ଏହା ଥିଲା ଭାରତର ଏକାଦଶ ପଦକ। କୁସ୍ତିରୁ ଭାରତ ପାଇଁ ଦ୍ବାଦଶ ପଦକ ୯୭ କିଲୋଗ୍ରାମରେ ଦୀପକ ନେହରା ପାଇଥିଲେ। କାଂସ୍ୟ ପଦକ ମୁକାବିଲାରେ ପାକିସ୍ତାନର ତୟବ ରାଜାଙ୍କୁ ୧୦-୨ରେ ପରାସ୍ତ କରିଥିଲେ ସେ। ପ୍ରଥମ ରାଉଣ୍ଡ ସୁଦ୍ଧା ୩-୨ରେ ଆଗୁଆ ଥିଲେ ଦୀପକ। ଦ୍ବିତୀୟ ରାଉଣ୍ଡରେ ପୂରା ଆଧିପତ୍ୟ ବିସ୍ତାର କରି ଆଉ ୮ ପଏଣ୍ଟ ଅର୍ଜନ କରିନେବା ସହ କାଂସ୍ୟ ପଦକ ହାସଲ କରି ନେଇଥିଲେ ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe