ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲ୍‌ରେ ପୁରୁଷ ୪୦୦ ମିଟର ରିଲେ ଦଳ

Advertisment
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲ୍‌ରେ ପୁରୁଷ ୪୦୦ ମିଟର ରିଲେ ଦଳ

କୁସ୍ତି ପଦକ ବିଜେତା ଅଂଶୁ ମଲ୍ଲିକ (ମହିଳା ୫୭ କେଜି, ରୌପ୍ୟ), ଦିବ୍ୟା କାକ୍ରନ୍‌ (ମହିଳା ୬୮ କେଜି, କାଂସ୍ୟ) ମୋହିତ ଗ୍ରେୱାଲ୍‌ (ପୁରୁଷ ୧୨୫ କେଜି, କାଂସ୍ୟ)

ବର୍ମିଂହାମ : ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାର ଯୋଗ୍ୟତାପର୍ଯ୍ୟାୟର ହିଟ୍‌-୨ରେ ମହମ୍ମଦ ଆନସ ୟାହିୟା, ନୋହା ନିର୍ମଳ ଟମ, ମହମ୍ମଦ ଆଜମଲ ଭାରିୟାଥୋଡ଼ି ଓ ଆମୋଜ ଜାକବଙ୍କୁ ନେଇ ଗଠିତ ଭାରତୀୟ ଦଳ ଦ୍ବିତୀୟ ସ୍ଥନରେ ରହିଥିଲା। ଏହି ଦଳ ୩:୦୬.୯୭ ସେକେଣ୍ଡରେ ରେସ ଶେଷ କରି ହିଟ୍‌ରେ ଦ୍ବିତୀୟ ଏବଂ ମୋଟରେ ଷଷ୍ଠ ସ୍ଥାନରେ ରହି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ତେବେ ମହିଳା ୧୦୦ ମିଟର ବାଧାଦୌଡ଼ ଏବଂ ଲମ୍ବ ଡିଆଁର ଫାଇନାଲ୍‌ରେ ଯଥାକ୍ରମେ ଜ୍ୟୋତି ୟାରାଜି ଓ ଆନ୍‌ସି ‌ସୋଜାନ ଇଦାପାଲି ପହଞ୍ଚିବାରେ ବିଫଳ ହୋଇଛନ୍ତି। ହିଟ୍‌-୨ ବାଧାଦୌଡ଼ରେ ଜ୍ୟୋତି ୧୩.୧୮ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ଫଳରେ ସେ ହିଟ୍‌ରେ ଚତୁର୍ଥ ଏବଂ ମୋଟରେ ଦଶମ ସ୍ଥାନରେ ରହିଥିଲେ। ସେହିପରି ଲମ୍ବ ଡିଆଁରେ ଇଦାପାଲି ୬.୨୫ ମିଟର ଡେଇଁ ଗ୍ରୁପ୍‌-ବିରେ ସପ୍ତମ ଏବଂ ମୋଟରେ ୧୩ତମ ସ୍ଥାନରେ ରହିଥିଲେ।

ଲନ୍‌ ବଲ୍‌ରେ ଆଉ ଏକ ପଦକ ପକ୍କା
ଲନ୍‌ ବଲ୍‌ରେ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇଛି। ଭାରତୀୟ ପୁରୁଷ ଫୋର୍‌ ଲନ୍‌ ବଲ୍‌ ଦଳ ଫାଇନାଲ୍‌ରେ ପହଞ୍ଚି ଅତି କମ୍‌ରେ ରୌପ୍ୟ ପଦକ ପକ୍କା କରିଛି। ପୂର୍ବରୁ ଭାରତୀୟ ମହିଳା ଫୋର୍‌ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା। ଶୁକ୍ରବାର ସେମିଫାଇନାଲ୍‌ରେ ସୁନିଲ ବାହାଦୁର, ନଭନୀତ ସିଂହ, ଚନ୍ଦନ କୁମାର ସିଂହ ଓ ଦୀନେଶ କୁମାରଙ୍କୁ‌ ନେଇ ଗଠିତ ଭାରତୀୟ ଫୋର୍‌ ଦଳ ୧୩-୧୨ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ପୂର୍ବରୁ ଏହି ଦଳ ୧୪-୧୦ରେ କାନାଡ଼ାକୁ ମାତ୍‌ ଦେଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା।ସେମିଫାଇନାଲ୍‌ରେ ଏହି ଦଳ ଇଂଲଣ୍ଡକୁ ଭେଟିବ। ତେବେ ଭାରତୀୟ ମହିଳା ପେୟାର ଦଳ କ୍ବାର୍ଟରରୁ ହାରି ବିଦାୟ ନେଇଛନ୍ତି। ଭାରତୀୟ ପେୟାର ଲଭଲି ଚୌବେ ଓ ନୟନମୋନି ସାଇକାଇ ୧୪-୧୮ରେ ଇଂଲଣ୍ଡର ସୋଫି ଟୋଲଚାର୍ଡ ଓ ଆମି ଫରୋଙ୍କଠୁ ହାରି ଯାଇଥିଲେ।

୨୦୦ ମିଟର ସେମିରେ ଅଟକିଲେ ହୀମା

ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ରେସ୍‌ ସେମିଫାଇନାଲ୍‌ ଆଗକୁ ବଢ଼ିପାରିନଥିଲେ ଭାରତୀୟ ଧାବିକା ହୀମା ଦାସ। ଗୁରୁବାର ନିଜ ହିଟ୍‌ରେ ୨୩.୪୨ ସେକେଣ୍ଡ ଟାଇମିଂ ସହ ହୀମା ସେମିଫାଇନାଲ୍‌ ପହଞ୍ଚିଥିଲେ। ହେଲେ ସେମିଫାଇନାଲ୍‌ରେ ୨୩.୪୨ ସେକେଣ୍ଡ ସମୟ ସହ ତୃତୀୟ ସ୍ଥାନରେ ରହି ଫାଇନାଲ୍‌କୁ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲେ। ସମସ୍ତ ୩ ସେମିଫାଇନାଲ୍‌ ହିଟ୍ସରୁ ଶ୍ରେଷ୍ଠ ଦୁଇଜଣ ଲେଖାଏଁ ଫାଇନାଲକୁ ଯୋଗ୍ୟତା ହାସଲ କରିଥିଲା ବେଳେ ପରବର୍ତ୍ତି ଦୁଇ ଦ୍ରୁତତମ ଧାବିକା ମଧ୍ୟ ଫାଇନାଲ୍‌ ଯିବେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe