ଲକ୍‌ଡାଉନ୍ ଯୋଗୁଁ ଦୈନିକ ସଂକ୍ରମଣ କମୁଛି, ଏବେ ଦିନକୁ ହାରାହାରି ୧୧୫୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି

Advertisment

ଶ୍ବାସକ୍ରିୟାରେ ଅସୁବିଧା ହେଲେ ୧୯୨୯ରେ ଫୋନ୍‌ କରନ୍ତୁ, ମାସ୍‌ ଟେଷ୍ଟିଂକୁ ଗୁରୁତ୍ବ

ଶ୍ବାସକ୍ରିୟାରେ ଅସୁବିଧା ହେଲେ ୧୯୨୯ରେ ଫୋନ୍‌ କରନ୍ତୁ, ମାସ୍‌ ଟେଷ୍ଟିଂକୁ ଗୁରୁତ୍ବ

ଲକ୍‌ଡାଉନ୍ ଯୋଗୁଁ ଦୈନିକ ସଂକ୍ରମଣ କମୁଛି, ଏବେ ଦିନକୁ ହାରାହାରି ୧୧୫୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି

cdc

ଭୁବନେଶ୍ବର: ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପ୍ରଭାବ ଦେଖିବାକୁ ମିଳିଲାଣି। ଦୈନିକ ସଂକ୍ରମଣ ସଂଖ୍ୟା କମୁଥିବାରୁ କୋଭିଡ୍ ହସ୍ପିଟାଲରେ ଶଯ୍ୟା ବି ଖାଲି ହେଲାଣି। ତେଣୁ ଆମକୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ନିୟମ କଡ଼ାକଡ଼ି ମାନିବାକୁ ହେବ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି।

ଆଜି ଶ୍ରୀ ସିଂହ କହିଛନ୍ତି ଯେ ମେ’ ୧୫ରେ ରାଜଧାନୀରେ ସର୍ବାଧିକ ୧୩୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଏହା ସର୍ବାଧିକ ଥିଲା। କିନ୍ତୁ ଏହା ପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବ‌ାରେ ଲାଗିଛି। ଗତ ୫ ଦିନର ଆକ୍ରାନ୍ତଙ୍କ ତାଲିକା ଦେଖିଲେ ଦୈନିକ ହାରାହାରି ୧୧୫୦ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଆମେ ଯଦି ଲକ୍‌ଡାଉନ୍ ନିୟମ କଡ଼ାକଡ଼ି ପାଳନ କରିବା, ତେବେ ଏହା ଆହୁରି କମିବ। ଯେଉଁ କିଛି ଲୋକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜଧାନୀବାସୀ ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ, ନିୟମିତ ହାତ ବିଶୋଧନ କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ। ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କୋଭିଡ୍ ହସ୍ପିଟାଲରେ ଶଯ୍ୟା ଚାପ କମିଛି ବୋଲି କମିସନର କହିଛନ୍ତି।

ଏବେ ହସ୍ପିଟାଲରେ ଅକ୍ସିଜେନ୍ ଶଯ୍ୟା, ଏଚ୍‌ଡିୟୁ ଶଯ୍ୟା ଅଧିକ ଖାଲିଥିବା ବେଳେ ଆଇସିୟୁ ଶଯ୍ୟା କିଛି ଖାଲି ଅଛି। ସବୁ ହସ୍ପିଟାଲକୁ ଯେପରି ଆବଶ୍ୟକ ମୁତାବକ ଅକ୍ସିଜେନ୍ ଯୋଗାଣ ହେବ, ଯେପରି ପ୍ରତି ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଯୋଗାଇ ହେବ, ସେଥିପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ଯେଉଁମାନେ ଗୃହ ପୃଥକବାସରେ ଅଛନ୍ତି, ସେମାନଙ୍କର ଯଦି କିଛି ଶ୍ବାସକ୍ରିୟା ଜନିତ ସମସ୍ୟା ହେଉଛି, ସେମାନେ ୧୯୨୯ ନମ୍ବରରେ ଫୋନ୍‌ କରନ୍ତୁ। ସେମାନଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇବା ସହ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଆକ୍ରାନ୍ତଙ୍କୁ ଯେପରି ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରିବ, ସେଥିପାଇଁ ପ୍ରତି ଜୋନ୍‌ରେ ୧୦ଟି ଲେଖାଏଁ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଏହାବାଦ୍ କେନ୍ଦ୍ରୀୟ ପରିଚାଳନା ପାଇଁ ଅଧିକ ଆମ୍ବୁଲାନ୍ସ କ୍ୟାପିଟାଲରେ ରଖାଯାଇଛି ବୋଲି କମିସନର କହିଛନ୍ତି।

ମାସ୍‌ ଟେଷ୍ଟିଂକୁ ଗୁରୁତ୍ବ
ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ ବଢ଼ାଇ ଦିଆଯାଇଛି। ଏପରିକି ଯେଉଁଠି ଲୋକମାନେ ମାସ୍‌ ଟେଷ୍ଟିଂ କରିବାକୁ ବିଏମ୍‌ସିର ଜୋନାଲ୍ ଡେପୁଟି କମିସନରଙ୍କୁ ଫୋନ୍‌ କରିବେ କିମ୍ବା ୧୯୨୯ରେ ଫୋନ୍‌ କରିବେ, ସେଠାରେ ବିଏମ୍‌ସି ପକ୍ଷରୁ କ୍ୟାମ୍ପ କରି ଟେଷ୍ଟିଂ କରାଯିବ। ବିଶେଷକରି ଯେଉଁ ଆପାର୍ଟମେଣ୍ଟ ଏବଂ ବିଭିନ୍ନ ଅଞ୍ଚଳରେ ଥିବା ଆବାସିକ କଲ୍ୟାଣ ସଂଘ ସେମାନଙ୍କ ସୋସାଇଟି/ କଲୋନିରେ ମାସ୍‌ ଟେଷ୍ଟିଂ କରିବାକୁ ଚାହୁଥିଲେ କରିପାରିବେ ବୋଲି ବିଏମ୍‌ସି କମିସନର କହିଛନ୍ତି।
ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍
ଯେପରି ବରିଷ୍ଠ ନାଗରିକ ଓ ଗର୍ଭବତୀ ମହିଳା ୧୯୨୯ ନମ୍ବରରେ ଫୋନ୍‌ କଲେ ତାଙ୍କ ଘରକୁ ଆସି ସ୍ବାବ୍‌ ସଂଗ୍ରହ କରାଯାଉଥିଲା, ଏବେ ସେହି ସୁବିଧା ଭିନ୍ନକ୍ଷମ ଲୋକଙ୍କୁ ମିଳିବ। ଏହାବାଦ୍ ଯେଉଁମାନେ ରୋଗାକ୍ରାନ୍ତ ବା ଶଯ୍ୟାରେ ଚିକିତ୍ସା ହେଉଛନ୍ତି, ସେମାନେ ବି ୧୯୨୯ ନମ୍ବରରେ ଫୋନ୍‌ କଲେ ତାଙ୍କୁ ସେହି ସୁବିଧା ମିଳିବ। ବରିଷ୍ଠ ନାଗରିକ ଯେପରି ଫୋନ୍‌ କଲେ ତାଙ୍କୁ ଟିକାଦାନ କେନ୍ଦ୍ରକୁ ନେଇ ଟିକା ଦିଆଯାଉଛି, ସେହିପରି ଭିନ୍ନକ୍ଷମଙ୍କୁ ସୁବିଧା ଯୋଗାଇ ଦିଆଯିବ।
୭ଲକ୍ଷ ୨୧ହଜାର ଡୋଜ୍ ଦିଆଗଲାଣି
ଭୁବନେଶ୍ବରରେ ପ୍ରାୟ ୧୮ଲକ୍ଷ ଡୋଜ୍ ଟିକା ଦେବାକୁ ବିଏମ୍‌ସି ଟାର୍ଗେଟ୍ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ଅଧା ଡୋଜ୍‌ ବି ଦିଆଯାଇନି। ଅର୍ଥାତ୍ ରାଜଧାନୀର ସବୁ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ମିଳିନି। ମେ’ ୨୧ ସୁଦ୍ଧା ରାଜଧାନୀରେ ୭ଲକ୍ଷ ୨୧ହଜାର ୫୯୩ ଡୋଜ୍ ଟିକା ଦିଆଯାଇଛି। ଏଥିରେ ୧୮ରୁ ୪୪ ବର୍ଷ ବୟସ ବ୍ୟକ୍ତିଙ୍କୁ ୧ ଲକ୍ଷ ୨୫ ହଜାର ୨୩୨ ଡୋଜ୍‌ ଏବଂ ୪୫ ବର୍ଷରୁ ଅଧିକ ଲୋକଙ୍କୁ ୩ ଲକ୍ଷ ୯ହଜାର ୮୦୦ ଡୋଜ୍‌ ଟିକା ଦିଆଯାଇଥିବା ବେଳେ ବାକି ଡୋଜ୍ ଆଗଧାଡ଼ିର କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe