ଡିଣ୍ଡ୍ରା ଡଟିନ୍‌ଙ୍କ ୱେଷ୍ଟଇଣ୍ଡିଜ୍‌ ଅବସର

ଡିଣ୍ଡ୍ରା ଡଟିନ୍‌ଙ୍କ ୱେଷ୍ଟଇଣ୍ଡିଜ୍‌ ଅବସର

India TV News

ବର୍ମିଂହାମ୍‌: ‌ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଦ୍ରୁତତମ ଶତକ ହାସଲକାରୀ ଡିଣ୍ଡ୍ରା ଡଟିନ୍‌ ୱେଷ୍ଟଇଣ୍ଡିଜ୍ ପାଇଁ ଆଉ ଖେଳିବେ ନାହିଁ। ଟ୍ବିଟର୍ ଜରିଆରେ ସେ ନିଜ ଅବସର ଘୋଷଣା କରି ଦେଇଛନ୍ତି। କିନ୍ତୁ ଏହି ପ୍ରତିଷ୍ଠିତ ଅଲରାଉଣ୍ଡର୍‌ ବିଶ୍ବବ୍ୟାପୀ ଘରୋଇ କ୍ରିକେଟ୍‌ ଲିଗ୍‌ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଦଳୀୟ ଶିବିର ଏବଂ ଏହାର ପରିବେଶ ଗ୍ରହଣୀୟ ନଥିବାର ଆରୋପ ସହିତ ଡଟିନ୍‌ଙ୍କ ଅବସର ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ର ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି। ସମ୍ପ୍ରତି ବାର୍ବାଡସ୍ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳୁଛନ୍ତି ଡଟିନ୍‌। ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ମହିଳା ସିପିଏଲ୍‌ରେ ସେ ତ୍ରିନିବାଗୋ ନାଇଟ୍ ରାଇଡର୍ସର ଅଧିନାୟକ ନିଯୁକ୍ତ ହୋଇଥିଲେ।

ଏହି ପ୍ରତିଯୋଗିତା ୱେଷ୍ଟଇଣ୍ଡିଜ୍ ଅଧିନରେ ଖେଳାଯାଉଥିବାରୁ ଡଟିନ୍ ଓହରି ବ୍ରିଟେନ୍‌ରେ ଦ୍ବିତୀୟ ଋତୁର ‘ଦ ହଣ୍ଡ୍ରେଡ୍‌’ରେ ମା‌‌ଞ୍ଚେଷ୍ଟର୍‌ ଅରିଜିନାଲ୍ସ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଖେଳ ଜୀବନରେ ଅନେକ ବାଧା ଅତିକ୍ରମ କରିଛି, କିନ୍ତୁ ଏବେକାର ୱେଷ୍ଟଇଣ୍ଡିଜ୍‌ ଦଳୀୟ ପରିବେଶକୁ ଗ୍ରହଣ କରିବା ମୋ କ୍ଷମତା ବାହାରେ’ ବୋଲି ଡଟିନ୍ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡଟିନ୍‌ ୱେଷ୍ଟଇଣ୍ଡିଜ୍‌ର ସର୍ବାଧିକ ମ୍ୟାଚ୍‌ ଖେଳାଳି ଗୌରବ ବହନ କରିଛନ୍ତି। ୧୨୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି ଏବଂ ୧୪୩ ଦିନିକିଆରେ ପ୍ରତିନିଧିତ୍ବ କରିଛନ୍ତି। ଦିନିକିଆରୁ ୩୦.୫୪ ହାରରେ ୩ ଶତକ ସହ ୩୭୨୭ ରନ୍‌ ଏବଂ ଟ୍ବେଣ୍ଟି-୨୦ରେ ୨୫.୯୩ ହାରରେ ୨ ଶତକ ସହ ୨୬୯୭ ରନ୍ ସଂଗ୍ରହ କରିଛନ୍ତି। ୨୦୧୦ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୩୮ ବଲରୁ ଶତକ ହାସଲ କରି ରେକର୍ଡର ଅଧିକାରିଣୀ ଅଛନ୍ତି। ସେଥର ୪୫ ବଲରୁ ସେ ୧୧୨ ରନ୍ କରିଥିଲେ। ଦିନିକିଆରୁ ୭୨ ଓ ଟ୍ବେଣ୍ଟି-୨୦ରୁ ୬୨ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe