ଭୁବନେଶ୍ବର: ରଣଜୀ ଅଭିଯାନର ପ୍ରଥମ ୪ ମ୍ୟାଚ୍ରୁ ୩ଟି ହାରି, କେଉଁଠି ଭୁଲ୍ ରହିଲା ସେ କଥା ଜାଣିପାରୁ ନଥିବା ଓଡ଼ିଶା କ୍ରିକେଟ୍ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍ରେ ଏକ ନିଆରା ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବ। କିଟ୍ ଷ୍ଟାଡିୟମ୍ରେ ରବିବାରଠୁ ଖେଳିବାକୁ ଥିବା ନିଜ ପଞ୍ଚମ ମୁକାବିଲାରେ ନାଗାଲାଣ୍ଡକୁ ଭେଟିବ ହେଲେ ନିଜ ପୂର୍ବତନ ପ୍ରଶିକ୍ଷକଙ୍କ ରଣନୀତିର ମୁକାବିଲା କରିେବ। ପ୍ରତିପକ୍ଷ ନାଗାଲାଣ୍ଡ ଥିଲେ ମଧ୍ୟ ପରୋକ୍ଷରେ ରାଜ୍ୟ ଦଳ ଏକପ୍ରକାର ନିଜ କ୍ରିକେଟ୍ ଇତିହାସର ସଫଳତମ ତାରକା ଦେବାଶିଷ ମହାନ୍ତିଙ୍କ ବିପକ୍ଷରେ ଖେଳିବ। କାରଣ ଏକଦା ଓଡ଼ିଶା ଦଳର ପ୍ରଶିକ୍ଷକ ଓ ପ୍ରମୁଖ ଅସ୍ତ୍ର ଥିବା ଦେବାଶିଷ ଏହି ମ୍ୟାଚ୍ରେ ନିଜ ରାଜ୍ୟକୁ କିଭଳି ହରାଇବେ ସେ ଯୋଜନା କରିବେ। ଦେବାଶିଷ ସଂପ୍ରତି ନାଗାଲାଣ୍ଡ ରଣଜୀ ଦଳର ପ୍ରଶିକ୍ଷକ ଥିଲା ବେଳେ ଓଡ଼ିଶା ବିପକ୍ଷରେ କୌଣସି ବାହାର ଦଳକୁ ପ୍ରଶିକ୍ଷଣ ଦେବା ମଧ୍ୟ ତାଙ୍କ ପାଇଁ ନିଆରା ଅନୁଭୂତି ନେଇ ଆସିବ। ତେବେ ଏକଥା ତାଙ୍କ ଅପେକ୍ଷା ଆତ୍ମବିଶ୍ବାସଭରା ଓଡ଼ିଶା ଦଳକୁ ଅଧିକ ପରୀକ୍ଷାରେ ପକାଇବ। ଦେବାଶିଷ କିଟ୍ ଷ୍ଟାଡିୟମ୍ର ପିଚ୍ ଓ ପରିବେଶକୁ ଭଲ ଭାବରେ ଜାଣିଛନ୍ତି। ଓଡ଼ିଶା ଖେଳାଳିଙ୍କ ଦକ୍ଷତାକୁ ମଧ୍ୟ ଅତି ନିକଟରୁ ଦେଖିଛନ୍ତି।
ଏଣୁ ନାଗାଲାଣ୍ଡକୁ ହରାଇ ଚଳିତ ଋତୁର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିବା ଓଡ଼ିଶାର ଏହି ଆଶାକୁ ପାଣିଚିଆ କରିବା ଲାଗି ସେ ପୂରା ସକ୍ଷମ। ସେଥିଲାଗି ପୂରା ପଏଣ୍ଟ୍ ପାଇବା ଲାଗି ଶୁଭ୍ରାଂଶୁ ସେନାପତିଙ୍କ ଦଳକୁ ଦେବାଙ୍କ ଦଳର ଦୁର୍ବଳତା ଏବଂ ତାଙ୍କ ରଣନୀତିର ସଫଳ ଆକଳନ କରିବାକୁ ହେବ। ଦେବା ପ୍ରଶିକ୍ଷକ ଥିଲା ବେଳେ ଓଡ଼ିଶା ଏକଦା ଚାରି ଚାରି ଜଣ ପେସର୍ଙ୍କୁ ନେଇ ଖେଳୁଥିଲା। ବହୁତ ଭଲ ନହେଲେ ବି ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଚଳିତ ଋତୁ ଭଳି ଆରମ୍ଭରୁ ତିନିଟି ମ୍ୟାଚ୍ ହାରି ନଥିଲା। ସଂପ୍ରତି ସୁରେନ୍ଦ୍ର ଭାବେଙ୍କ ପ୍ରଶିକ୍ଷଣ ଶୈଳୀକୁ ନେଇ ଅନେକ ଆଶଙ୍କା ରହିଥିଲା ବେଳେ କିଟ୍ ଲଢ଼େଇ ତାଙ୍କ ପାଇଁ ଏକପ୍ରକାର ସମ୍ମାନର ପ୍ରଶ୍ନ ହେବ। କିଛି ଖେଳାଳିଙ୍କ ପାଇଁ ବି ଏହି ମ୍ୟାଚ୍ କର ବା ମର ସଦୃଶ ହେବ। ଓଡ଼ିଶାକୁ ବିଜୟର ମିଠା ମିଠା ସ୍ବାଦ ଚାଖିବା ଲାଗି କିନ୍ତୁ ଉଭୟ ବଲ୍ ଓ ବ୍ୟାଟ୍ରେ ଭଲ କରିବାକୁ ହେବ। ପ୍ରଥମ ଚାରି ମ୍ୟାଚ୍ରେ ଦିଶାହୀନ ବୋଲିଂ ଓ ବ୍ୟାଟିଂ କରିଥିବା ଓଡ଼ିଶା ଖେଳାଳିଙ୍କୁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ଘରୋଇ ପରିବେଶ ପାଇଁ ଗ୍ରୁପ-ଏ’ର ଶେଷ ଦୁଇ ସ୍ଥାନ ଥିବା ଦୁଇ ଦଳ ଭିତରେ ହେବାକୁ ଥିବା ଏହି ଲଢ଼େଇରେ ଓଡ଼ିଶା ପଲା ସାମାନ୍ୟ ଭାରୀ ରହିପାରେ। ତେବେ ତାମିଲନାଡ଼ୁ ଭଳି ଦଳ ହାତରୁ ୧ ପଏଣ୍ଟ୍ ଛଡ଼ାଇ ଆଣିଥିବା ନାଗାଲାଣ୍ଡ ମଧ୍ୟ ଓଡ଼ିଶାର ଅସ୍ଥିର ପ୍ରଦର୍ଶନରୁ ଫାଇଦା ନେଇ ବଡ଼ ଓଲଟପାଲଟ କଲେ ବିସ୍ମିତ ହେବାର କିଛି ନାହିଁ।
ଏଲିଟ୍ ଗ୍ରୁପ୍-ଏ’ରେ ଉଭୟ ଓଡ଼ିଶା ଓ ନାଗାଲାଣ୍ଡ ଚାରିଟି ଲେଖାଏଁ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛନ୍ତି। ଦୁଇ ଦଳର ପ୍ରଦର୍ଶନ ଧାରା ବି ସମାନ ରହିଛି। ଉଭୟ ନିଜ ନିଜ ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ବିତୀୟକୁ ଅମୀମାଂସିତ ରଖିଥିଲେ। ପୁଣି ତୃତୀୟ ଓ ଚତୁର୍ଥ ମୁକାବିଲାରେ ଲଗାତାର ପରାଜୟ ବରଣ କରିଥିଲେ। କଟକରେ ବରୋଦାଠାରୁ ୭ ୱିକେଟ୍ରେ ହାରି ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା। କାନପୁରରେ ଖେଳିଥିବା ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍କୁ ଡ୍ର’ କରି ପ୍ରଥମ ପଏଣ୍ଟ୍ ପାଇଥିଲା। ପୁଣି କଟକରେ ଆନ୍ଧ୍ରପ୍ରଦେଶଠାରୁ ଗୋଟିଏ ପାଳି ଓ ୧୯୬ ରନ୍ରେ ହାରିବା ପରେ ନାଗପୁରରେ ବିଦର୍ଭଠାରୁ ୧୦୦ ରନ୍ରେ ପରାଜିତ ହୋଇଥିଲା। ସେହିଭଳି ନାଗାଲାଣ୍ଡ ନିଜ ପ୍ରଥମ ମୁକାବିଲାରେ ବିଦର୍ଭଠାରୁ ଗୋଟିଏ ପାଳି ଓ ୧୭୯ ରନ୍ରେ ହାରିଥିଲା। ତାମିଲନାଡ଼ୁ ବିପକ୍ଷରେ ଲଢ଼ୁଆ ଖେଳ ଖେଳି ଏହାକୁ ଅମୀମାଂସିତ ରଖି ୧ ପଏଣ୍ଟ୍ ଅର୍ଜନ କରିଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶଠାରୁ ପାଳି ପରାଜୟ ବରଣ କରିଥିଲା। ସେଥିପାଇଁ ନାଗାଲାଣ୍ଡ ସବାଶେଷ ସ୍ଥାନରେ ଥିଲା ବେଳେ ଓଡ଼ିଶା ରନ୍ ରେଟ୍ରେ ସାମାନ୍ୟ ଆଗୁଆ ରହି ସପ୍ତମ ସ୍ଥାନରେ ରହିଛି। ନାଗାଲାଣ୍ଡକୁ ହରାଇବାକୁ ହେଲେ ତା’ର ଦୁଇ ଶତକ ହାସଲକାରୀ ଦେବା ନିଶ୍ଚଲ ଓ ଇମତିୱାତି ଲେମତୁରଙ୍କୁ ରୋକିବାକୁ ହେବ। ଶୁଭ୍ରାଂଶୁଙ୍କ ସହ ବରିଷ୍ଠ ବ୍ୟାଟର୍ ଗୋବିନ୍ଦ ପୋଦ୍ଦାରଙ୍କୁ ଫ୍ରଣ୍ଟ୍ଫୁଟ୍ରେ ଖେଳିବାକୁ ହେବ।
ବିପ୍ଳବ ଫେରିଲେ
ନାଗାଲାଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍ ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ଦଳକୁ ଅଲ୍ରାଉଣ୍ଡର ବିପ୍ଳବ ସାମନ୍ତରାୟ ଫେରିଥିଲା ବେଳେ ୱିକେଟ୍କିପର ବ୍ୟାଟର୍ ସାୱନ ପହରିଆ ସାମିଲ ହୋଇଛନ୍ତି। ତେବେ ଦଳରୁ ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପର ଓ ଜାମଲା ଭଞ୍ଜନ ମହାପାତ୍ର ବାଦ୍ ପଡ଼ିଛନ୍ତି। ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସାୱନ ପହରିଆ (ୱିକେଟ୍ରକ୍ଷକ), ସୌରଭ କୁମାର ଗୌଡ଼ (ୱିକେଟ୍ରକ୍ଷକ), ଅନୀଲ ପରିଡ଼ା, ସମ୍ବିତ ଏସ୍ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ରାଜେଶ ମହାନ୍ତି, ତରିଣୀ ସ’, ତାପସ ଦାସ, ପ୍ରଶାନ୍ତ କୁମାର ରଣା।
Follow Us