ଆଜି ତୃତୀୟ ଟେ୍ଵଣ୍ଟି-୨୦ : ନିର୍ଣ୍ଣାୟକ ମୁକାବିଲା, ନଜରରେ ମାହି

Advertisment
ଆଜି ତୃତୀୟ ଟେ୍ଵଣ୍ଟି-୨୦ : ନିର୍ଣ୍ଣାୟକ ମୁକାବିଲା, ନଜରରେ ମାହି

ଥିରୁବନ୍ତପୁରମ୍‌: ଲଗାତାର ଅଷ୍ଟମ ଶୃଙ୍ଖଳା ବିଜୟର ଆଶା ନେଇ ଭାରତୀୟ କ୍ରିକେଟ୍‌ ଦଳ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ଖେଳିବା ଲାଗି ସ୍ଥାନୀୟ ଗ୍ରିନ୍‌ଫିଲ୍ଡ ଅନ୍ତର୍ଜାତୀୟ ପଡ଼ିଆକୁ ଓହ୍ଲାଇବ। ତିନି ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ସ୍ତରରେ ଥିବାରୁ ଏହି ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଥିରୁବନ୍ତପୁରମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳା ଯିବାକୁ ଥିଲା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ପ୍ରଥମ ଟେ୍ଵଣ୍ଟି-୨୦ ଶୃଙ୍ଖଳା ବିଜୟର ସୁଯୋଗ ରହିବ। ସେପଟେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିବା ସତ୍ତ୍ୱେ ପରବର୍ତୀ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରି ଶୃଙ୍ଖଳା ହାତଛଡ଼ା କରିଥିବା ନ୍ୟୁଜିଲାଣ୍ଡକୁ ପ୍ରତିଶୋଧ ନେବାର ଶେଷ ସୁଯୋଗ ମିଳିବ। ମଙ୍ଗଳବାର ଯିଏ ଜିତିବ ସିଏ ଏକପ୍ରକାର ନୂଆ ଇତିହାସ ରଚିବ। ଆସନ୍ତାକାଲି ବିଜୟୀ ହେଲେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପଇଁ ଭାରତକୁ ଭାରତରେ ଏକ ପୂର୍ଣ୍ଣକାଳୀନ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ପରାସ୍ତ କରିବ।
ରାଜକୋଟରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରିଥିବାରୁ ତାଙ୍କୁ ଦଳରୁ ବିଦା କରିବା ଦାବି ଜୋର ଧରିଛି। ସେଥିପାଇଁ ଥିରୁବନ୍ତପୁରମ୍‌ ମ୍ୟାଚ୍‌ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଢେର ମହତ୍ୱ ବହନ କରିବ। ସମସ୍ତଙ୍କ ନଜର ମାହିଙ୍କ ଉପରେ ରହିବ। ବ୍ୟାଟିଂ ବେଳେ ପଟ ବଦଳାଇବା ଲାଗି ଗତ ଏକ ବର୍ଷ ହେବ ମାହି ସଂଘର୍ଷ କରୁଥିବାରୁ ପୂର୍ବତନ ଅନ୍ତର୍ଜାତୀୟ ତାରକା ଭିଭିଏସ୍‌ ଲକ୍ଷ୍ମଣ ଓ ଅଜିତ ଅଗରକର ପ୍ରମୁଖ ଟେ୍ଵଣ୍ଟି-୨୦ ଛାଡ଼ି କେବଳ ଦିନିକିଆ ଖେଳିବାକୁ ତାଙ୍କୁ ଖୋଲା ପରାମର୍ଶ ଦେଇ ସାରିଛନ୍ତି। ସେଥିପାଇଁ ଥିରୁବନ୍ତପୁରମ୍‌ ଲଢ଼େଇ ଦଳଗତ ଭାବେ ଭାରତ ଏବଂ ବ୍ୟକ୍ତିଗତ ଭାବେ ଧୋନିଙ୍କ ପାଇଁ ପରୀକ୍ଷା ଭଳି ହେବ।
ଭାରତ ପ୍ରଥମ ଦିନିକିଆରେ ୫୩ ରନ୍‌ରେ ବିଜୟୀ ହୋଇଥିଲା। ହେଲେ ଦ୍ୱିତୀୟରେ କଲିନ ମୁନ୍ରୋଙ୍କ ଶତକ ଆଗରେ ମୁଣ୍ଡ ନୁଆଁଇ ୪୦ ରନ୍‌ରେ ହାରି ଯାଇଥିଲା। ଅଧିକାଂଶ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଥିରୁବନ୍ତପୁରମରେ ଏହି ଧାରା ନ ବଦଳିଲେ ନ୍ୟୁଜିଲାଣ୍ଡ ନିଶ୍ଚିତ ଭାବେ ଭାରତ ଉପରେ ଭାରି ପଡ଼ିବ। ଶୃଙ୍ଖଳା ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା। ଶୃଙ୍ଖଳାର ପ୍ରଥମ ମୁକାବିଲା ହାରିଲା ପରେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଥିଲା। ଅନ୍ୟପଟେ ପାକିସ୍ତାନ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ବିଜୟୀ ହେଲେ କିଓ୍ଵି ଦଳ ପୁଣି ଥରେ ଏକ ନମ୍ବର ସ୍ଥାନ ଅଧିକାର କରିନେବ।
ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ଲାଗି ଭାରତୀୟ ଦଳରେ ବଡ଼ଧରଣର ଅଦଳ ବଦଳ ଆଶା କମ୍‌। ନ୍ୟୁଜିଲାଣ୍ଡ ମଧ୍ୟ ଅପରିବର୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ଈଶ୍‌ ସୋଢୀ ଓ ଟ୍ରେଣ୍ଟ ବୋଲ୍ଟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଦ୍ୱିତୀୟ ମୁକାବିଲାରେ ଘାଇଲା କରିଥିଲେ। ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ବିଶେଷ କିଛି କରି ପାରି ନଥିଲେ। ନବାଗତ ଶ୍ରେୟସ ଆୟର ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍‌ ଶାନ୍ତ ରହିଥିବାରୁ ମଙ୍ଗଳବାର ଭାରତ ବିଜୟୀ ହେବାକୁ ହେଲେ ତାଙ୍କ ନିଜ ଅସଲ ରୂପ ଦେଖାଇବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe