ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ା ଦଳରେ ବି କେବଳ ଦୀପଗ୍ରେସ୍

ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ା ଦଳରେ ବି କେବଳ ଦୀପଗ୍ରେସ୍

ଭୁବନେଶ୍ବର: ବିଶ୍ବକପ୍ ଭଳି ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି ଦଳରେ ମଧ୍ୟ କେବଳ ଜଣେ ଓଡ଼ିଆଙ୍କୁ ଦେଖିବାକୁ ମିଳିବ। କାରଣ ହକି ଇଣ୍ଡିଆ ଘୋଷଣା କରିଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୀପଗ୍ରେସ୍ ଏକ୍କାଙ୍କ ରୂପରେ ଓଡ଼ିଶାର ଜଣେ ମାତ୍ର ଖେଳାଳି ରହିଛନ୍ତି। ୪ ବର୍ଷ ତଳେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ସଂସ୍କରଣରେ କିନ୍ତୁ ଦୀପଗ୍ରେସ୍, ନମିତା ଟପ୍ପୋ, ସୁନିତା ଲାକ୍ରା ଓ ଲିଲିମା ମିଞ୍ଜ୍‌ଙ୍କୁ ମିଶାଇ ଚାରି ଜଣ ଖେଳାଳି ଥିଲେ। ଯାହା ଓଡ଼ିଶା ହକି ପାଇଁ ଏକ ସତର୍କ ଘଣ୍ଟି ‌ହୋଇଛି। ତୁରନ୍ତ ଏଦିଗରେ ପଦକ୍ଷେପ ନିଆ ନଗଲେ ଆଗାମୀ ସମୟରେ ଭାରତୀୟ ଦଳରେ ଓଡ଼ିଶା ମହିଳା ଖେଳାଳିଙ୍କ ସଂଖ୍ୟା ଶୂନକୁ ଖସି ଆସିବ ବୋଲି ମଧ୍ୟ ହକି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ଗୁରୁବାର ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ ପାଇଁ ଘୋଷିତ ହୋଇଥିବା ଏହି ଦଳରୁ ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟିକା ରାଣୀ ରାମପାଲ ବି ବାଦ୍ ପଡ଼ିଛନ୍ତି। ବିଶ୍ବକପ୍ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳି ନଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମଙ୍ଗଳବାର ଘୋଷିତ ହୋଇଥିବା ବିଶ୍ବକପ୍‌ ଦଳରୁ କେବଳ ତିନିଟି ପରିବର୍ତ୍ତନ କରାଯାଇଛି। ବିଚୁଦେବୀ ଖରିବାମଙ୍କ ସ୍ଥାନରେ ରଜନୀ ଏତିମାପ୍ରୁ ଦ୍ବିତୀୟ ଗୋଲ୍‌ରକ୍ଷକ ପଦ ପାଇଛନ୍ତି। ବିଶ୍ବକପ୍ ଦଳରେ ଥିବା ମଧ୍ୟଭାଗ ଖେଳାଳି ସୋନିକା ରାଜ୍ୟଗୋଷ୍ଠୀ ଦଳରୁ ବାଦ ପଡ଼ିଛନ୍ତି। ଅଗ୍ରଭାଗ ଖେଳାଳି ସଂଗିତା କୁମାରୀଙ୍କୁ ରାଜ୍ୟଗୋଷ୍ଠୀ ଦଳରେ ନିଆଯାଇଛି। ସବିତା ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ଦୀପଗ୍ରେସ୍‌ଙ୍କୁ ଉପଅଧିନାୟିକା ନିଯୁକ୍ତ କରାଯାଇଛି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କାଂସ୍ୟ ପଦକ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ହାରି ଭାରତ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ତେବେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ପ୍ରଥମ ଥର ଖେଳି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଏଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପଦକ ଜିତିବ ବୋଲି ଆଶା ରଖିଛି। ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆମେ ଏକ ଅଭିଜ୍ଞ ଦଳ ବାଛିଛୁ। ଏଥର ଆମେ ପଦକ ଜିତିପାରିବୁ ବୋଲି ଖେଳାଳିଙ୍କର ଆତ୍ମବିଶ୍ବାସ ରହିଛି।

ଭାରତୀୟ ଦଳ: ଗୋଲ୍‌ରକ୍ଷକ: ସବିତା ପୁନିଆ (ଅଧିନାୟିକା), ରଜନୀ ଏତିମାପ୍ରୁ, ରକ୍ଷଣଭାଗ: ଦୀପଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା। ମଧ୍ୟଭାଗ: ନିଶା, ସୁଶିଳା ଚାନୁ ପୋଖରମବାମ୍, ମୋନିକା, ନେହା, ଜ୍ୟୋତି, ନଭଜ୍ୟୋତ କୌର, ସଲିମା ଟେଟେ, ଅଗ୍ରଭାଗ: ବନ୍ଦନା କଟାରିଆ, ଲାଲରେମସିଆମି, ନଭନୀତ କୌର, ଶର୍ମିଳା ଦେବୀ, ସଙ୍ଗୀତା କୁମାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe