ଦୀପାଙ୍କ ଅବସର

ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କରିଛନ୍ତି। ଭାରତର ପ୍ରଥମ ଅଲିମ୍ପିଆନ୍‌ ମହିଳା ଜିମ୍ନାଷ୍ଟ ୩୧ ବର୍ଷୀୟା ଦୀପା ସୋମବାର ସାମାଜିକ ଗଣମାଧ୍ୟମରେ ଏହି ଅବସର ବିଷୟରେ ସୂଚନା ଦେଇଛନ୍ତି।

dgjdjgjgjgdjdg

ନୂଆଦିଲ୍ଲୀ: ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କରିଛନ୍ତି। ଭାରତର ପ୍ରଥମ ଅଲିମ୍ପିଆନ୍‌ ମହିଳା ଜିମ୍ନାଷ୍ଟ ୩୧ ବର୍ଷୀୟା ଦୀପା ସୋମବାର ସାମାଜିକ ଗଣମାଧ୍ୟମରେ ଏହି ଅବସର ବିଷୟରେ ସୂଚନା ଦେଇଛନ୍ତି। ନିଜ ‘ଏକ୍ସ’ରେ ଗୋଟିଏ ପୃଷ୍ଠା ପୋଷ୍ଟ କରି ଲେଖିଛନ୍ତି  ‘‘ବହୁ ଚିନ୍ତା କରିବା ପରେ ମୁଁ ଜିମ୍ନାଷ୍ଟିକ୍ସରୁ ଅବସର ନେବା ଲାଗି ନିଷ୍ପତ୍ତି ନେଇଥିଲି। ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା କିନ୍ତୁ ଏହା ଠିକ୍‌ ସମୟ। ଜିମ୍ନାଷ୍ଟିକ୍ସ ମୋ ଜୀବନର ଏକ ବଡ଼ ଅଂଶ ଏବଂ ମୁଁ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ କୃତଜ୍ଞ। ଏହା ଭିତରେ ଅନେକ ଉପର ଓ ତଳ ମଧ୍ୟ ରହିଛି। ମୋ ପାଞ୍ଚ ବର୍ଷ ବୟସର କଥା ମନେ ପଡ଼ୁଛି। ଯାହାକୁ କୁହାଯାଇଥିଲା, ସମତୁଲ ପାଦ ‌ଯୋଗୁଁ ଏହାଦ୍ବାରା କେବେ ଜିମ୍ନାଷ୍ଟ ହୋଇପାରିବନି। ଆଜି ମୋ ସଫଳତା ଦେଖି ବହୁତ ଗର୍ବ କରୁଛନ୍ତି। ବିଶ୍ବ ଦରବାରରେ ଭାରତକୁ ପ୍ରତିନିଧିତ୍ବ କରିବା ଏବଂ ପଦକ ଜିତିବା ଗର୍ବର ବିଷୟ। ମୋ କ୍ୟାରିୟରରେ ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହେଉଛି ରିଓ ଅଲିମ୍ପିକ୍ସରେ ଭଲ୍‌ଟରେ ଚମତ୍କାର ପ୍ରଦର୍ଶନ ଦେବା। ମୋତେ ଆଜି ସେହି ଦୀପାକୁ ଦେଖି ଖୁସି ଲାଗୁଛି, ‌ଯିଏ ସ୍ବପ୍ନ ଦେଖିବାର ସାହସ ରଖିଛି। ମୋର ଶେଷ ବିଜୟ ହେଉଛି ତାସ୍‌କେଣ୍ଟରେ ହୋଇଥିବା ଏସୀୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନ୍‌ସିପ୍‌।

ଏହା ମୋ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା। କାରଣ ମୋତେ ସେତେବେଳେ ଜଣା ପଡ଼ିଲା, ମୋ ଶରୀରକୁ ଆଉ ଟାଣିବାକୁ ପଡ଼ିବ। କିନ୍ତୁ ଏବେ ବିଶ୍ରାମର ସମୟ ଆସିଗଲା ବୋଲି ଆମ ଶରୀର ‌ଜଣାଇଦେଇଥାଏ। ହେଲେ ମନ ମାନି ନଥାଏ। ମୁଁ ମୋର ପ୍ରଶିକ୍ଷକ ବିଶ୍ବେଶ୍ବର ନନ୍ଦି ସାର୍‌ ଓ ସୋମା ମ୍ୟାଡାମ୍‌ଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି, ଯିଏ ମୋତେ ଗତ ୨୫ ବର୍ଷ ହେଲା ମାର୍ଗଦର୍ଶନ ଓ ଶକ୍ତି ଦେଇ ଆସୁଛନ୍ତି। ମୋତେ ଯେଉଁ ସହଯୋଗ ମିଳିଛି ଏଥିପାଇଁ ତ୍ରିପୁରା ସରକାର, ଜିମ୍ନାଷ୍ଟିକ୍ସ ମହାସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ, ମେରାକି ସ୍ପୋର୍ଟ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟକୁ ବହୁତ ଧନ୍ୟବାଦ ଦେବାକୁ ଚାହୁଛି। ଶେଷରେ ମୋ ପରିବାରକୁ, ଯେଉଁମାନେ ମୋ ଭଲ ଓ ଖରାପ ଦିନରେ ସବୁବେଳେ ମୋ ସାଥୀରେ ଥିଲେ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ମୁଁ ଅବସର ନେଉଛି, ହେଲେ ଜିମ୍ନାଷ୍ଟିକ୍ସ ସହ ମୋର ସମ୍ପର୍କ କେବେ ତୁଟିବନି। ଏହି କ୍ରୀଡ଼ାକୁ କିଛି ଫେରେଇବାକୁ ଚାହେ।

ଯେପରିକି ପରାମର୍ଶଦାତା, ପ୍ରଶିକ୍ଷକ ହୋଇ ମୋ ଭଳି ଅନ୍ୟ ଝିଅଙ୍କୁ ସହଯୋଗ କରିପାରିବି। ମୋ ଯାତ୍ରାରେ ଯେଉଁମାନଙ୍କ ହାତ ଥିଲା ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେବାକୁ ଚାହୁଛି’’। ଦୀପା ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ‌ରିଓ ଅଲିମ୍ପିକ୍ସ ଭଲ୍ଟରେ ସେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଜିମ୍ନାଷ୍ଟିକ୍ସର ସବୁଠୁ କଷ୍ଟକର ପ୍ରଣ୍ଡୁନୋଭା ଭଲ୍ଟରେ ସଫଳତା ପାଇଥିବା ୫ ମହିଳାଙ୍କ ମଧ୍ୟରେ ସେ ଅନ୍ୟତମ। ଖେଳ ଜୀବନରେ ‌ଦୀପା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ ଚାମ୍ପିଅନ୍‌ସିପ୍‌ରେ କାଂସ୍ୟ ପାଇଛନ୍ତି। ଏଥିସହ ୨୦୧୯ ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ୍‌ କପ୍‌ରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟ ଭାବେ ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲେ। ଦୀପାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଓ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe