ତାଲାବନ୍ଦରେ ତୀରନ୍ଦାଜ ପ୍ରେମୀ ଯୁଗଳ : ଚିକେନ ତରକାରୀ ରୋଷେଇ ଶିଖୁଛନ୍ତି ଦୀପିକା

Advertisment
ତାଲାବନ୍ଦରେ ତୀରନ୍ଦାଜ ପ୍ରେମୀ ଯୁଗଳ : ଚିକେନ ତରକାରୀ ରୋଷେଇ ଶିଖୁଛନ୍ତି ଦୀପିକା

Outlook India

୫ ମିଟର ଲକ୍ଷ୍ୟରେ ଅଭ୍ୟାସ କରୁଛନ୍ତି ଦୀପିକା-ଅତନୁ
ଅଲିମ୍ପିକ୍ସ ବାତିଲ ଯୋଗୁଁ ଚଳିତ ବର୍ଷ ବିବାହ ପାଇଁ‌ ଯୋଜନା

ନୂଆଦିଲ୍ଲୀ : ଭାରତୀୟ ତୀରନ୍ଦାଜ ପ୍ରେମୀଯୁଗଳ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ୨୦୧୮ ଡିସେମ୍ବରରୁ ନିର୍ବନ୍ଧ ଶେଷ ହୋଇଥିଲାବେଳେ ଟୋକିଓ ଅଲମ୍ପିକ୍ସ ପରେ ବିବାହ କରିବାକୁ ଯୋଜନା ରହିଥିଲା। କିନ୍ତୁ କୋଭିଡ-୧୯ ଯୋଗୁଁ ବିବାହ ସୂଚୀରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚିଯାଇଥିବାରୁ ସ୍ଥିତି ସ୍ବାଭାବିକ୍‌ ହେବାପରେ ଉଭୟଙ୍କ ବିବାହ ହୋଇପାରେ ବୋଲି କୁହାଯାଉଛି। ତେବେ ତାଲାବନ୍ଦ ସମୟରେ ନୂଆ ରୋଷେଇ କୌଶଳ ଶିଖୁଥିବା ବିଷୟରେ ଦୀପିକା ଏକ ସାକ୍ଷତକାରରେ କହିଛନ୍ତି।

ଦୀପିକାଙ୍କ ଦିନ ପ୍ରାଣାୟମରୁ ଆରମ୍ଭ ହୋଇଥାଏ ଏବଂ ୪୫ ମିନିଟ୍‌ ଧରି ସେ ଅଭ୍ୟାସ କରିଥାନ୍ତି। ଜଳଖିଆ ଖାଇସାରିବା ପରେ ରୋଷେଇ ଶିଖିବାରେ ଲାଗିପଡିଥାନ୍ତି। ଆଗରୁ ଭାତ, ଡାଲି ରୋଷେଇ କରିବା ଜାଣିଥିଲେ। ଏବେ ଆମିଷ, ବିଷେଶକରି ଚିକେନ୍‌ ତରକାରୀ ରୋଷେଇ ଶିଖୁଥିବା ସେ କହିଛନ୍ତି। ଏଥିପାଇଁ ତାଙ୍କ ମା’ ଅନ୍‌ଲାଇନ୍‌ରେ ଚିକେନ ତରକାରୀ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ତାଲିମ ଦେଉଛନ୍ତି। ଏହାବ୍ୟତୀତ ଘର ଭିତରେ ଏହି ଦୁଇ ପ୍ରେମୀଯୁଗଳ ଏକାଠି ରହୁଥିବା ସମୟରେ ୫ ମିଟର ଦୂତାର ଏକ ଲକ୍ଷ୍ୟ ପ୍ରସ୍ତୁତ କରି ସେଥିରେ ଦେଢ ଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରୁଛନ୍ତି। ଯଦିଓ ଏହା ତାଙ୍କର ବାସ୍ତବିକ ଅଭ୍ୟାସଠୁ ସଂପୂର୍ଣ୍ଣ ଅଲଗା, ତଥାପି ଘର ଭିତରେ ରହୁଥିବା ବେଳେ ଅଭ୍ୟାସ ନଛାଡ଼ିବା ପାଇଁ ଏଭଳି ବିକଳ୍ପ କରିଥିବା ସେ କହିଛନ୍ତି।

ଦୀପିକା ୨୩ଟି ବିଶ୍ବକପ୍‌ ପଦକ ପାଇଥିଲା ବେଳେ ସେଥିମଧ୍ୟରେ ୫ ସ୍ବର୍ଣ୍ଣ ପଦକ ଅନ୍ତର୍ଭୁକ୍ତ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୨ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ସେହିବର୍ଷ ଏସୀୟ କ୍ରୀଡ଼ାରେ ସେ କାଂସ୍ୟ ପଦକ ପାଇଥିଲେ। ଏବେ ସେ ଲଣ୍ଡନ ଓ ରିଓ ଅଲିମ୍ପକ୍ସ ପରେ ତୃତୀୟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦ୍ବିତୀୟ ଅଲିମ୍ପିକ ପଦକ ପାଇଁ ଆଶାୟୀ ଅଛନ୍ତି।

ଅତନୁ ଦାସ କହିଛନ୍ତି ଯେ ଉଭୟଙ୍କର ପ୍ରଥମ ଧ୍ୟାନ କେବଳ ଅଲିମ୍ପିକ୍ସ ଉପରେ ଥିଲା ଓ ଏହା ଶେଷ ହେବାପରେ ସେମାନେ ବିବାହ କରିଥ‌ାନ୍ତେ। କିନ୍ତୁ ଅଲିମ୍ପିକ୍ସ ବାତିଲ ହେବା ପରେ ଦ୍ବିତୀୟ ପସନ୍ଦକୁ ସେମାନେ ବାଛିଛନ୍ତି। ପାଖାପାଖି ଦୁଇବର୍ଷ ହେଲାଣି ନିର୍ବନ୍ଧ ହୋଇଗଲାଣି। କରୋନା ପରିସ୍ଥିତି ଦୂର ହେବା ପରେ ଚଳିତ ବର୍ଷ ବିବାହ କରିବା ପାଇଁ ଯୋଜନା ରହିଥିବା ଅତନୁ ପ୍ରତିକ୍ରିୟା ରଖିଛନ୍ତି। ଅଲିମ୍ପିକ୍ସ ପାଇଁ ଭାରତୀୟ ତୀରନ୍ଦାଜି ଦଳରେ ଏହି ଦୁଇଜଣ ସ୍ଥାନ ପାଇଛନ୍ତି। ତଥାପି ଏବେ କୌଣସି ପ୍ରତିଯୋଗିତା କିମ୍ବା ପ୍ରଶିକ୍ଷଣ ପାଇଁ ସେମାନେ ଚିନ୍ତିତ ନାହାନ୍ତି। ବର୍ତ୍ତମାନ ନିଜ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଘରେ ରହିବା ଉପରେ ସେମାନେ ଧ୍ୟାନ ଦେଉଥିବା ଦୀପିକା କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସହ ହୋଇଥିବା ୪୯ ଜଣିଆ କ୍ରୀଡ଼ାବିତ୍‌ଙ୍କ ବାର୍ତ୍ତାଳାପରେ ଦୀପିକା ସାମିଲ ଥିଲେ। ଆମେ ଘରେ ସୁରକ୍ଷିତ ରହିଲେ, ପ୍ରତିଯୋଗିତାକୁ ଫେରିପାରିବା ‌ବାର୍ତ୍ତା ଦେବା ସହ ଖୁବ୍‌ଶୀଘ୍ର ଏହି ଭୂତାଣୁର ଟୀକା ପ୍ରସ୍ତୁତ ହୋଇ‌ଗଲେ ସବୁକିଛି ସ୍ବାଭାବିକ ହେବ ବୋଲି ଉଭୟ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe