11 minutes ago NDTV Sports
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୫୩ ରନ୍ର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୪ ୱିକେଟ ହରାଇ ଏହା ହାସଲ କରିଥିଲା । ଦିଲ୍ଲୀ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଶିଖର ଧାୱନ ୪୧ ବଲରେ ୫୪ ରନ୍ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୪୬ ବଲରେ ୬୦ ରନ୍ କରିଥିଲେ ।
ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଶାହାବାଜ ଅହମ୍ମଦ୨ଟି ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଓ ମହମ୍ମଦ ସିରାଜ ୧-୧ ୱିକେଟ ନେଇଥିଲେ । ଫଳରେ ଦିଲ୍ଳୀ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ୪ଟି ମ୍ୟାଚରେ ପରାଜୟ ପରେ ଏହି ମ୍ୟାଚରେ ବିଜୟ ସହ ୧୬ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୨ୟ ସ୍ଥାନରେ ରହିଛି । ଏହା ସହ ଚଳିତ ସିଜିନ୍ରେ ଦ୍ବିତୀୟ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫକୁ ଯାଇଛି । ଅନ୍ୟ ପକ୍ଷରେ ପରାଜୟ ବରଣ କରିଥିଲେ ମଧ୍ୟ ବାଙ୍ଗାଲୋର ଭଲ ରନ୍ ରେଟ୍ କାରଣରୁ ପ୍ଲେ ଅଫକୁ ଉତ୍ତୀର୍ଣ୍ଣ ହୋଇଛି।
ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ଟିମ୍ ବ୍ୟାଟିଂ କରିଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା । ଯୋଶ ଫିଲିପ୍ ଓ ଦେବଦତ୍ତ ପଡିକ୍କଲ ବାଙ୍ଗାଲୋରର ଇନିଂସ ଆରମ୍ଭ କରିଥିଲେ। ଫିଲିପ୍ ୧୭ଟି ବଲ୍ର ସମ୍ମୁଖୀନ ହୋଇ ୧୨ ରନ୍ ସଂଗ୍ରହ କରିବା ପରେ ଦିଲ୍ଲୀର ପ୍ରଥମ ଶିକାର ହୋଇଥିଲେ। ବାଙ୍ଗାଲୋର ଦଳ ୨୫ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇଥିବା ବେଳେ ୮୨ ରନ୍ରେ ୨ୟ ଓ୍ଵିକେଟ୍ ଭାବେ କୋହଲି (୨୯ ରନ୍, ୨୪ବଲ, ୨ ଚୌକା, ୧ ଛକା)ଙ୍କୁ ହରାଇଥିଲା। ସେତେବେଳକୁ ଦଳର ସ୍କୋର ୮୨ ରନ୍ ହୋଇସାରିଥିଲା।
ଦେବଦତ୍ତ ୫୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ସେ ୪୧ଟି ବଲର ସମ୍ମୁଖୀନ ହୋଇ ୫ଟି ଚୌକା ମାରିଥିଲେ। ଦିଲ୍ଲୀର ୩ୟ ଶିକାର ହୋଇଥିଲେ ଦେବଦତ୍ତ। ଏବି ଡିଭିଲିୟର୍ସ ୩୫ ରନ୍ ଯୋଡ଼ିଥିବା ବେଳେ ଦଳ ପାଇଁ ଶିଭମ୍ ଦୁବେ ୧୭ ରନ୍ ସଂଗ୍ରହ କରିଥିଲେ। ପଛଧାଡ଼ିର ବ୍ୟାଟ୍ସମ୍ୟାନ୍ମାନେ ଭଲ ବ୍ୟାଟିଂ କରି ନପାରିବାରୁ ଦଳ ବଡ଼ ସ୍କୋର କରିପାରି ନଥିଲା।
Follow Us