ହାର୍ପରଙ୍କ ଅବସର ପଛରେ ଧୋନିଙ୍କ ସମାଲୋଚନା

Advertisment
ହାର୍ପରଙ୍କ ଅବସର ପଛରେ ଧୋନିଙ୍କ ସମାଲୋଚନା

ମୁମ୍ବାଇ : ୱେଷ୍ଟଇଣ୍ଡିଜର ଷ୍ଟିଭ୍ ବକନରଙ୍କ ଭଳି ଅଷ୍ଟ୍ରେଲୀୟ ଅମ୍ପାୟାର ଡାରେଲ ହାର୍ପର ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ବିପକ୍ଷରେ ଅନେକ ଭୁଲ ନିଷ୍ପତ୍ତି ଦେଇଥିଲେ। ସେଥିପାଇଁ ଭାରତୀୟ ଖେଳାଳି ଏହି ଦୁଇ ଅମ୍ପାୟାରଙ୍କୁ ଆଦୌ ପସନ୍ଦ କରୁ ନଥିଲେ। ଭାରତର ୧୯୯୯ ଅଷ୍ଟ୍ରେଲିଆ ଗସ୍ତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସୋଲଡର ବିଫୋର ଆଉଟ୍ (ବଲ୍ କାନ୍ଧରେ ବାଜିବାରୁ ଆଉଟ୍ ଘୋ‌ଷଣା କରି ଦେଇଥିଲେ) ଦେଇ ବିବାଦୀୟ ହୋଇଥିବା ହାର୍ପର ଭାରତର ୨୦୧୧ ୱେଷ୍ଟଇଣ୍ଡିଜ୍ ଗସ୍ତରେ ମଧ୍ୟ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ। ଏପରିକି ଜାମାଇକାର କିଙ୍ଗଷ୍ଟନଠାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ଅବସରରେ ପ୍ରବୀଣ କୁମାରଙ୍କୁ ହାର୍ପର ବୋଲିଂ କରିବାରୁ ବାସନ୍ଦ କରି ଦେଇଥିଲେ। ସେହିଭଳି ମ୍ୟାଚ୍‌ରେ ଭାରତ ବିରୋଧରେ ମଧ୍ୟ ଏକାଧିକ ଭୁଲ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏଭଳି ଆଚରଣ ସବୁବେଳେ ବରଫ ଭଳି ଶାନ୍ତ ରହୁଥିବା ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ଅତ୍ୟନ୍ତ କ୍ଷୁବ୍ଧ କରିଥିଲା। ପ୍ରବୀଣଙ୍କୁ ବାସନ୍ଦ କରିବା ପରେ ଧୋନି ପଡ଼ିଆ ଭିତରେ ହିଁ ହାର୍ପରଙ୍କୁ ପଦେ ଦୁଇ ପଦ ଶୁଣାଇ ଦେଇଥିଲେ। ଏକଥା ନିଜ‌େ ହାର୍ପର ହିଁ ଉଜାଗର କରିଛନ୍ତି।

ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଧୋନି ମୋ ପାଖକୁ ଆସି ଅତୀତରେ ମଧ୍ୟ ଆପଣଙ୍କ ପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ ବୋଲି କହିଥିଲେ। ହେଲେ ମୁଁ କେବଳ ହସି ଦେଇଥିଲି। କାରଣ ଏହା ପୂର୍ବରୁ ପିଚ୍‌ର ସୁରକ୍ଷିତ ଅଞ୍ଚଳରେ ବାରମ୍ବାର ଚାଲୁଥିବାରୁ ପ୍ରବୀଣଙ୍କୁ ମୁଁ ବଳକା ମ୍ୟାଚ୍ ପାଇଁ ବାସନ୍ଦ କରିଦେଇଥିଲି। ପ୍ରବୀଣ ନବାଗତ ଥିବାରୁ ତାଙ୍କ ବିପକ୍ଷରେ କୋହଳ ନୀତି ଆପଣାଇବାକୁ ସମ୍ଭବତଃ ଧୋନି ଚାହୁଥିଲେ। ହେଲେ ଟେଷ୍ଟ୍ କ୍ରିକେଟ୍ ଖେଳିବା ପୂର୍ବରୁ ପ୍ରବୀଣ ୫୨ ଦିନିକିଆ ମ୍ୟାଚ୍ ଖେଳି ସାରିଥିଲେ। ଏଣୁ ମୋ ନଜରରେ ସେ ଆଦୌ ନବାଗତ ନଥି‌ଲେ। ହାର୍ପରଙ୍କ ଏକାଧିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ସତ୍ତ୍ବେ ଭାରତ ଏହି ମ୍ୟାଚ୍‌କୁ କିନ୍ତୁ ୬୨ ରନ୍‌ରେ ଜିତି ନେଇଥିଲା। ତେବେ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଧୋନି ଖୋଲାଖୋଲି ଭାବେ ହାର୍ପରଙ୍କୁ ସମାଲୋଚନା କରିଥିଲେ। ଠିକ୍ ନିଷ୍ପତ୍ତି ନିଆଯାଇଥିଲେ ମୁଁ କେତେବେଳୁ ହୋଟେଲରେ ପହଞ୍ଚି ସାରନ୍ତିଣି ବୋଲି ସେ ହାର୍ପରଙ୍କୁ କଟାକ୍ଷ କରି କହିଥିଲେ। ସେହି ମ୍ୟାଚ୍‌ରେ ଦୁଇଟି ଭୁଲ ନିଷ୍ପତ୍ତି ଦେଇଥିବା ବୁଧବାର ଦେଇଥିବା ସାକ୍ଷାତକାରରେ ହାର୍ପର ସ୍ବୀକାର କରିଥିଲେ। ତେବେ କିଛି କ୍ୟାଚ୍ ଧରିଥିଲେ ମଧ୍ୟ ଭାରତ ଆଗରୁ ମ୍ୟାଚ୍ ଜିତି ଯାଇପାରିଥା'ନ୍ତା ବୋଲି ମଧ୍ୟ ମୁହଁଫୁଟାଣି ମାରିଥିଲେ। ଧୋନିଙ୍କ ସମାଲୋଚନା ପରେ କିନ୍ତୁ ତାଙ୍କ ଅମ୍ପାୟାରିଂ ଜୀବନ ଅଟକି ଯାଇଥିଲା। ହାର୍ପର ଏହା ପରେ ୯୬ ଟେଷ୍ଟ୍ ପରିଚାଳନା କରି ଅବଦସର ଘୋଷଣା କରି ନେଇଥିଲେ। ତେବେ ଧୋନିଙ୍କ ବିରୋଧରେ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଅଭିମାନରେ ମୁଁ ଅବସର ନେଇଯାଇଥିଲି ବୋଲି ହାର୍ପର କହିଥିଲେ। ସୂଚନାଯୋଗ୍ୟ ଯେ ୨୦୦୦ ମସିହାର ଜିମ୍ବାୱେ ଗସ୍ତରେ ମଧ୍ୟ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ହାର୍ପର ଅନୁରୂପ ଭାବେ ବାସନ୍ଦ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe