ଅମ୍ପାୟାରଙ୍କ ଉପରେ ଚାପ ପକାଇ ଧୋନି ସମାଲୋଚିତ

ମାତ୍ର ୪୦ ଟଙ୍କାରେ ଏହି ବୈଦ୍ୟଙ୍କ ପାଖରୁ ଔଷଧ ଆଣନ୍ତି ମହେନ୍ଦ୍ର ସିଂହ ଧୋନି

NDTV Sports

ଦୁବାଇ: ମଙ୍ଗଳବାରର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) -ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟା‌ଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାର ପଲ୍‌ ରିଫେଲଙ୍କ ଉପରେ ନିଷ୍ପତ୍ତି ବଦଳାଇବାକୁ ଚାପ ପକାଇ ତୀବ୍ର ସମାଲୋଚିତ ହୋଇଛନ୍ତି। ସିଏସ୍‌କେ ଦ୍ରୁତ ବୋଲର ସାର୍ଦୁଲ ଠାକୁର ହାଇଦ୍ରାବାଦ ବ୍ୟାଟ୍ସମ୍ୟ‌ାନ୍‌ ରସିଦ୍‌ ଖାନ୍‌ଙ୍କୁ ୧୯ତମ ଓଭର ବୋଲିଂ କରୁଥିଲା ବେଳେ ଅଫ୍‌ ଷ୍ଟମ୍ପ୍‌ ବାହାରେ ଏକ ବଲ୍‌ ପକାଇଥିଲେ। ଏହାକୁ ରିଫେଲ ୱାଇଡ୍‌ ଡାକିବାକୁ ବାହୁ ଉଠାଇବା ପରେ ହଠାତ୍‌ ଅଟକି ଯାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ୩୫ ଟେଷ୍ଟ୍‌ ଖେଳିବାର ଅଭିଜ୍ଞତା ରଖିଥିବା ରିଫେଲ ଉଭୟ ବାହୁକୁ କାନ୍ଧ ଉଚ୍ଚାରେ ଉଠାଇ ୱାଇଡ୍‌ ସଂକେତ ଦେବାବେଳେ ଧୋନି ପ୍ରତିବାଦ କରିବା ଆରମ୍ଭ କରିଦେଇଥିଲେ। ଏପରିକି ମତ ବଦଳାଇବାକୁ ଚାପ ପ୍ରୟୋଗ କରି ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏହାପରେ ଅମ୍ପାୟାର ତାଙ୍କ ମତ ବଦଳାଇଥିବା ଦେଖାଯାଇଥିଲା।

ଏହାକୁ କିନ୍ତୁ ଭାଷ୍ୟକାର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଆନ୍ତର୍ଜାତିକ ଦ୍ରୁତ ବୋଲର ଇଆନ୍‌ ବିଶପ୍‌ ସହଜରେ ଗ୍ରହଣ କରିପାରିନଥି‌ଲେ। ରିଫେଲ ମତ ବଦଳାଇ ବଡ଼ ତ୍ରୁଟି କରିଥିଲେ ବୋଲି କହିଥିଲେ। ‘‘ସେ ଏକ ୱାଇଡ୍‌ ଡାକିବା ଆରମ୍ଭ କରିଥିଲେ। ପୁଣି ଉପରକୁ ଚାହିଁଲେ, ‌‌ଧୋନିଙ୍କୁ ଦେଖିଲେ ଏବଂ ତାଙ୍କ ନିଷ୍ପତ୍ତି ବଦଳାଇଦେଲେ ବୋଲି ବିଶପ୍‌ କହିଛନ୍ତି। କ୍ରିକେଟ୍‌ ମ୍ୟାଚ୍‌ ପରିଚାଳନା କରିବା ଅତି କଷ୍ଟକର କାର୍ଯ୍ୟ ହୋଇଥିବାରୁ ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଅମ୍ପାୟାରମାନଙ୍କ ପ୍ରତି ସମବେଦନା ଜଣାଇଥାଏ। ହେଲେ ମଙ୍ଗଳବାର ରାତିର ଏହି ଘଟଣାରେ ରିଫେଲ ତ୍ରୁଟି କରିଥିଲେ ବୋଲି ମୁଁ କହିବି’’ବୋଲି ବିଶପ୍‌ କହିଛନ୍ତି। ହାଇଦ୍ରାବାଦ ଅଧିନାୟକ ଡେଭିଡ଼୍‌ ୱର୍ନର ମଧ୍ୟ ରିଫେଲଙ୍କ ମତ ପରିବର୍ତନ ପାଇଁ ଅସୁଖୀ ଜଣାପଡୁଥିଲେ। ମ୍ୟାଚ୍‌କୁ ସିଏସ୍‌କେ ୨୦ ରନ୍‌ ବ୍ୟବଧାନରେ ଜିତି ନେଇଥିଲେ ମଧ୍ୟ ଧୋନିଙ୍କ କାର୍ଯ୍ୟକଳାପକୁ ନେଇ ସାମାଜିକ ଗଣାମଧ୍ୟମରେ ସମାଲୋଚନା ଜାରି ରହିଥିଲା। ବିଭିନ୍ନ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଧୋନିଙ୍କୁ ନିନ୍ଦା କରିବାକୁ ପଛାଉନଥିଲେ। ଅନ୍ୟ କେତେକ ପ୍ରଶଂସକ ମଧ୍ୟ ଧୋନିଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଥିବାରୁ ଅମ୍ପାୟାର ରିଫେଲଙ୍କୁ ସମାଲୋଚନା କରୁଥିଲେ। ଗତବର୍ଷ ଆଇପିଏଲ୍‌ ବେଳେ ଅମ୍ପାୟାରିଂ ନିଷ୍ପତ୍ତିକୁ ନେଇ ଧୋନି ପଡ଼ିଆ ଭିତରକୁ ଜବରଦସ୍ତ ପଶି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ସେଥିପାଇଁ ତାଙ୍କୁ ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ଜରିମାନା ଦଣ୍ଡ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe