ଧୋନି-କେଦାର କମାଲ: ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ହାରିଲା, ଭାରତ ୧-୦ରେ ଆଗୁଆ

Advertisment
ହାଇଦ୍ରାବାଦ୍‌ ଦିନିକିଆ: ଧୋନି-ଯାଦବଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ତା’ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଛି। ଶନିବାରର ଏହି ଲୋ ସ୍କୋରିଂ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୨୩୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୪୮.୨ ଓଭରରେ ୪ ୱିକେଟ୍ ବିନିମୟରେ ୨୪୦ ରନ୍ କରି ବିଜୟର ମିଠା ସ୍ବାଦ ଚାଖିଥିଲା। ୨୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ଆରମ୍ଭରୁ ଶକ୍ତ ଧକ୍କା ଲାଗିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୦) ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ହିଁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୩୭) ଓ ଅଧିନାୟକ ବିରାଟ କୋହଲି (୪୪) ଭାରତ ପାଳିକୁ ଧିରେ ଧିରେ ଆଗେଇ ‌ନେଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୭୬ ରନ୍ ଯୋଡ଼ିଥିଲେ। ଏହି ଦୁଇ ଜଣଙ୍କ ସହ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ (୧୩) ମାତ୍ର ୧୯ ରନ୍ ଭିତରେ ପ୍ୟାଭିଲିୟନ ଫେରିଯିବା ପରେ କିନ୍ତୁ ଚାପ ବଢ଼ିବା ଆରମ୍ଭ ହୋଇ ଯାଇଥିଲା। ତେବେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି (୫୯* ରନ୍, ୭୨ ବଲ୍, ୬ ଚୌକା, ୧ ଛକା) ଓ ଅଲରାଉଣ୍ଡର କେଦାର ଯାଦବ (୮୧* ରନ୍, ୮୭ ବଲ୍, ୯ ଚୌକା, ୧ ଛକା) ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୧୪୧ ରନ୍ ସଂଗ୍ରହ କରି ଭାରତ ବିଜୟକୁ ସୁନିଶ୍ଚିତ କରିଥିଲେ। ଧୋନି ଏହି ଅବସରରେ ୭୧ତମ ଏବଂ କେଦାର ପଞ୍ଚମ ଅର୍ଧଶତକ ହାସଲ କରିଥିଲେ। ମାର୍କ ଷ୍ଟୋଇନିସଙ୍କ ୪୯ତମ ଓଭରର ପ୍ରଥମ ଓ ଦ୍ବିତୀୟ ବଲ୍‌କୁ ଲଗାତାର ଚୌକା ମାରି ଧୋନି ଆଶାଜନକ ଭାବେ ଭାରତ ବିଜୟରେ ମୁଣ୍ଡି ପାରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ କେଦାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଅଷ୍ଟ୍ରେଲିଆ ମଧ୍ୟ ଉପଲ ଷ୍ଟାଡିୟମରେ ପ୍ରଥମ ପରାଜୟ ବରଣ କରିଥିଲା। ପୂର୍ବରୁ ଏଠାରେ କଙ୍ଗାରୁ ଦଳ ଦୁଇଟି ଦିନିକିଆ ଖେଳି ଦୁଇଟି ଯାକରେ ବିଜୟୀ ହୋଇଥିଲା। ଦ୍ବିତୀୟ ମୁକାବିଲା ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯିବ। ହାଇଦ୍ରାବାଦର ଉପଲ ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଶନିବାର କିନ୍ତୁ ଏହି ପିଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ବୋଲର ଆଧିପତ୍ୟ ବିସ୍ତାର କରିଥିଲେ। ଭାରତୀୟ ସ୍ପିନର (କୁଲଦୀପ ଯାଦବ ୪୬/୨), ରବୀନ୍ଦ୍ର ଜାଦେଜା (୩୩/୦) ଓ କେଦାର ଯାଦବ (୩୧/୧) ମିଳିତ ଭାବେ ୨୭ ଓଭର ବୋଲିଂ କରି ମାତ୍ର ୧୧୦ ରନ୍ ବିନିମୟରେ ୩ ୱିକେଟ୍ ନେଇଥିଲେ। ଏମାନଙ୍କ ଛଡ଼ା ଦ୍ରୁତ ବୋଲର ମହମ୍ମଦ ସାମି (୧୦-୨-୪୪-୨) ମଧ୍ୟ ଶାଣିତ ବୋଲିଂ କରିଥିଲେ। ନିଜ ଶତକୀୟ ଦିନିକିଆ ଖେଳୁଥିବା ଅଧିନାୟକ ଆରୋନ ଫିଞ୍ଚ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ଝଟ୍‌କାରୁ ଅଷ୍ଟ୍ରେଲିଆ ଶେଷ ପର୍ଯ୍ୟନ୍ତ ମୁକୁଳି ପାରି ନଥିଲା। ଅଷ୍ଟ୍ରେଲିଆ ଖେଳାଳିମାନେ ନିଜ ପାଳିରେ ମିଳିତ ଭାବେ ୧୬୮ ଡଟ୍ ବଲ୍ ଖେଳିଥିଲେ। ତେବେ ଉସମାନ ଖୱାଜା (୫୦)ଙ୍କ ପଞ୍ଚଦଶ ଅର୍ଧଶତକ ସହ ଗ୍ଲେନ୍ ମ୍ୟା‌କ୍ସୱେଲଙ୍କ ଉପଯୋଗୀ ୪୦ ବଳରେ ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୬ ରନ୍ କରିଥିଲା। ପିଟର ହ୍ୟାଣ୍ଡ୍ସକମ୍ବଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ ଦାୟିତ୍ବ ତୁଲାଇଥିବା ଆଲେକ୍ସ କ୍ୟାରି ୩୬ ଓ ଅଲରାଉଣ୍ଡର କୁଲ୍‌ଟର ନାଇଲ୍‌ ଦ୍ରୁତ ୨୮ ରନ୍ କରିଥିଲେ। ଭାରତ ପକ୍ଷରୁ ସାମି, ଯଶ୍‌ପ୍ରୀତ ବୁମରା ଓ କୁଲଦୀପ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ହେଲେ ବୁମରା (୬୦/୨) ତୁଳନାତ୍ମକ ଭାବେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe