ଧୋନି ପୁଣି ନିଜ ଉପରୁ ନିୟନ୍ତ୍ରଣ ହରାଇଲେ, ଟମ୍‌ କରନ୍‌ଙ୍କ ଆଉଟ ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ

Advertisment
ଆଇପିଏଲ୍‌ ପ୍ରସ୍ତୁତି ପାଇଁ ଚେନ୍ନାଇରେ ଧୋନି

ସାରଜା: କ୍ୟାପଟେନ୍‌ କୁଲ୍‌ ଭାବେ ଜଣାଶୁଣା ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ଦେଖାଯାଇଛି। ମଙ୍ଗଳବାର ସାରଜାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ବେଳେ ଏକ ଆଉଟ୍‌ ନିଷ୍ପତ୍ତିକୁ ନେଇ ଧୋନି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା। ଆଇପିଲ୍‌ରେ ଦ୍ବିତୀୟଥର ପାଇଁ ଧୋନିଙ୍କର ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବରୁ ୨୦୧୯ ସଂସ୍କରଣରେ ଧୋନିଙ୍କ ଶାନ୍ତ ସ୍ବଭାବ ଭଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା।

ମଙ୍ଗଳବାର ମ୍ୟାଚ୍‌ର ୧୮ତମ ଓଭରରେ ରାଜସ୍ଥାନ ରୟାଲ୍ସର ଟମ୍‌ କରନଙ୍କୁ ୱିକେଟ୍‌ ପଛରେ କ୍ୟାଚ୍‌ ପାଇଁ ଆଉଟ ଘୋଷଣା କରାଯାଇଥିଲା। ଏହାପରେ କରନ୍‌ ରିଭ୍ୟୁ ମାଗିଥିଲେ ବି ଦଳର କୋଟା ପୂରଣ ସରିଯାଇଥିବାରୁ ସେ ନିରୁପାୟ ଥିଲେ। ଫଳରେ ସେ ପାଭିଲିୟନ ଆଡ଼କୁ ଚାଲିଯାଉଥିଲା ବେଳେ ଲେଗ୍‌ ଅମ୍ପାୟାର ତାଙ୍କୁ ଅଟକାଇଥିଲେ। ଦୁଇ ଅମ୍ପାୟାର ପରସ୍ପର ଆଲୋଚନା କରିବା ପରେ ବୈଷୟିକ ସହାୟତା ନେବାକୁ ସ୍ଥିର କରିଥିଲେ। ଏଥିରେ ବଲ୍‌ କରନ୍‌ଙ୍କ ବ୍ୟାଟ୍‌ରେ ବାଜିନଥିବା ସ୍ପଷ୍ଟ ହୋଇଥିଲା ବେଳେ ଧୋନି ମଧ୍ୟ କ୍ୟାଚ୍‌ ନେବା ପୂର୍ବରୁ ବଲ୍‌ ଭୂଇଁ ଛୁଇଁଥିବା ଦେଖାଯାଇଥିଲା। ତେଣୁ ଅମ୍ପାୟାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରି କରନ୍‌ଙ୍କୁ ବ୍ୟାଟିଂ କରିବାକୁ ଅନୁମତି ଦେଇଥିଲେ। ଯାହାକି ଧୋନିଙ୍କୁ ପସନ୍ଦ ଆସିନଥିଲା ଓ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ।

ଏଥିପୂର୍ବରୁ ୨୦୧୯ରେ ଏହି ଦୁଇ ଦଳର ଜୟପୁରରେ ହୋଇଥିବା ମ୍ୟାଚ୍ ‌ବେଳେ ଧୋନିଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା। ବେନ୍‌ ଷ୍ଟୋକ୍ସ ଏକ ଉଚ୍ଚ ଫୁଲ୍‌ଟସ୍‌ ବଲ୍‌ ମିଚେଲ୍‌ ସାଣ୍ଟନରଙ୍କୁ ପକାଇଥିଲେ। ହେଲେ ଅମ୍ପାୟାର ଏହାକୁ ନୋ' ବଲ୍‌ ଘୋଷଣା କରିନଥିଲେ। ସେତେବେଳକୁ ଚେନ୍ନାଇକୁ ଜିତିବା ପାଇଁ ଶେଷ ୩ ବଲ୍‌ରୁ ୮ ରନ୍‌ ଆବଶ୍ୟକ ହେଉଥିଲା। ଯଦିଓ ମୁଖ୍ୟ ଅମ୍ପାୟାର ଉଲ୍ଲାସ ଗାନ୍ଧୀ ଏହାକୁ ନୋ' ବଲ୍‌ ଦେଇଥିଲେ, ହେଲେ ହଠାତ୍‌ ଲେଗ୍‌ ଅମ୍ପାୟାରଙ୍କ ସହ ଆଲୋଚନା କରିବା ପରେ ଏହାକୁ ନାକଚ କରିଦେଇଥିଲେ। ଏହି ସମୟରେ ରବୀନ୍ଦ୍ର ଜାଦେଜା ଅମ୍ପାୟାରଙ୍କ ସହ ବଲ୍‌ ସଂକ୍ରାନ୍ତରେ ଆଲୋଚନା କରୁଥିଲା ବେଳେ ପଡ଼ିଆ ବାହାରୁ ସବୁ ଦେଖୁଥିବା ଧୋନି ଉତ୍ତ୍ୟକ୍ତ ହେବା ସହ ଭିତରକୁ ଯାଇ ଅମ୍ପାୟାରଙ୍କ ସହିତ ପ୍ରବଳ ଯୁକ୍ତିତର୍କ କରିଥିଲେ। ସେ ସମୟରେ ଏହା ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା।

ଅନ୍ୟପକ୍ଷରେ ମଙ୍ଗଳବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌‌ରେ ଧୋନି ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ବିଷୟରେ ମଧ୍ୟ କହିଛନ୍ତି ଯେ ସେ ଦୀର୍ଘ ସମୟ ଧରି ବ୍ୟାଟିଂ କରିନାହାନ୍ତି। ତେଣୁ ୧୪ ଦିନିଆ ସଙ୍ଗରୋଧ ସମୟ ମଧ୍ୟ ତାଙ୍କୁ ଯଥେଷ୍ଟ ହୋଇନଥିଲା। ଏଥିସହ ସାମ୍‌ କରନ୍‌ଙ୍କୁ ଏକ ସୁଯୋଗ ଦେବାକୁ ଚାହୁଁଥିବାରୁ ସେ ତଳେ ବ୍ୟାଟିଂ କରିବାକୁ ଚାହିଁଥିଲେ। ଏହି ମ୍ୟାଚ୍‌ରେ ଚେନ୍ନାଇ ଯେତେବେଳେ ୧୪ ଓଭରରେ ୧୧୪ ରନ୍‌ କରି ୫ ୱିକେଟ ହରାଇଥିଲା ସେତେବେଳେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କ ପାଳିରେ ସେ ୧୭ ବଲ୍‌ରୁ ୩ ଛକା ସହ ଅପରାଜିତ ୨୯ ରନ୍‌ ସଂଗ୍ରହ କରିଥିଲେ। ତଥାପି ଚେନ୍ନାଇକୁ ୧୬ ରନ୍‌ରେ ପରାସ୍ତ ହେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe