ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଶାଜନକ ଭାବେ ବାଦ୍ ପଡ଼ିଛନ୍ତି। କ୍ରିକେଟ୍ରୁ ଧୋନିଙ୍କ ଆତ୍ମଘୋଷିତ ଦୁଇ ମାସିଆ ବିରତି ଶେଷ ହୋଇ ଯାଇଥିଲେ ମଧ୍ୟ ଚୟନକର୍ତାମାନେ ତାଙ୍କୁ ଏହି ଶୃଙ୍ଖଳା ଲାଗି ବିଚାରକୁ ନେଇ ନାହାନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାକୁ ୩-୦ର ପୋଛି ନେଇଥିବା ଦଳକୁ ଅପରିବର୍ତିତ ରଖା ଯାଇଛି। ଏହା କରି ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପକୁ ନଜରରେ ରଖି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଥିବା ଚୟନକର୍ତା ସଙ୍କେତ ଦେଇଛନ୍ତି। ତେବେ ମାତ୍ରାଧିକ କ୍ରିକେଟ୍ରୁ ସୁରକ୍ଷିତ ରଖିବା ଲାଗି ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଏହି ଦଳରେ ନିଆଯାଇ ନାହିଁ। ଅନ୍ୟପକ୍ଷରେ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦଳକୁ ପ୍ରତ୍ୟାବର୍ତନ କରିଛନ୍ତିି।
ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଆସନ୍ତାମାସରେ ଭାରତ ଆସି ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଟେଷ୍ଟ ଖେଳିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ଧର୍ମଶାଳାଠାରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ। ଦ୍ବିତୀୟ ଟ୍ବେଣ୍ଟି-୨୦ ସେପ୍ଟେମ୍ବର ୧୮ (ମୋହାଲି) ଓ ସେପ୍ଟେମ୍ବର ୨୨ (ବେଙ୍ଗାଲୁରୁ)ରେ ଖେଳାଯିବ। ସେହିଭଳି ଟେଷ୍ଟ ଶୃଙ୍ଖଳା ଅକ୍ଟୋବର ୨ରୁ ବିଶାଖାପାଟଣାଠାରେ ଆରମ୍ଭ ହେବ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, କ୍ରୁନାଲ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର, ନଭଦୀପ ସଇନି।
Follow Us