Zee News
ଲଣ୍ଡନ୍: ବିତର୍କିତ ବଳିଦାନ ଲୋଗୋ ବିନା ଖେଳିବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ୍ରକ୍ଷକ ମହେନ୍ଦ୍ର ସିଂହ ଧୋନି। ବିସିସିଆଇର ଅନୁରୋଧକୁ ଆଇସିସି ଶୁକ୍ରବାର ରାତିରେ ପ୍ରତ୍ୟାଖ୍ୟାନ କରିଦେବା ପରେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ଧୋନିଙ୍କୁ। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ଠୁ ଆରମ୍ଭ କରି ଧୋନି ଆଉ ସେହି ବଳିଦାନ ଲୋଗୋକୁ ଗ୍ଲୋଭ୍ସରେ ଲଗାଇ ଖେଳିବେ ନାହିଁ। ଅବଶ୍ୟ ବିବାଦ ମୁଣ୍ଡ ଟେକିବା ପରେ ବିଶ୍ବକପ୍ ଉପରେ ଏକାଗ୍ରତା ରଖିବା ଲକ୍ଷ୍ୟରେ ଧୋନି ନିଜ ଆଡୁ ମଧ୍ୟ ଏହାର ବ୍ୟବହାରଠାରୁ ଦୂରେଇ ଯିବାକୁ ପ୍ରସ୍ତୁତ ବୋଲି ବିସିସିଆଇକୁ ଜଣାଇ ଦେଇଥିଲେ। ଆଇସିସି ନିୟମ ଅନୁସାରେ କୌଣସି ଖେଳାଳି ଧାର୍ମିକ, ବ୍ୟବସାୟିକ, ସାମରିକ କିମ୍ବା ବର୍ଣ୍ଣବୈଷମ୍ୟ’ ବାର୍ତା ରଖୁଥିବା ପ୍ରତୀକ ବ୍ୟବହାର କରିପାରିବେ ନାହିଁ। ଧୋନି ବ୍ୟବହାର କରୁଥିବା ଭାରତୀୟ ପାରା ରେଜିମେଣ୍ଟ ସ୍ପେଶାଲ ଫୋର୍ସର ଅନୁରୂପ ଲୋଗୋ ଏହା ଅନ୍ତର୍ଭୁକ୍ତ ନ ଥିଲେ ମଧ୍ୟ ଆଇସିସି ଭିନ୍ନ ଭାବେ ଚିନ୍ତା କରିଥିଲା। ଧୋନିଙ୍କ ଲୋଗୋ ସମ୍ପର୍କରେ ଆଇସିସି ସ୍ପଷ୍ଟ ଭାବେ ଉତ୍ତର ରଖିଥିଲା ଯେ ‘ପୂର୍ବ ମ୍ୟାଚ୍ରେ ଧୋନି ବ୍ୟବହାର କରୁଥିବା ଲୋଗୋ ଏଣିକି ଆଇସିସି ବିଶ୍ବକପ୍-୨୦୧୯’ରେ ବ୍ୟବହାର କରିପାରିବେ ନାହିଁ। କୌଣସି ପୋଷାକ କିମ୍ବା ସରଞ୍ଜାମରେ ବ୍ୟକ୍ତିଗତ ବାର୍ତାକୁ ପ୍ରଦର୍ଶିତ କରାଯାଇପାରିବ ନାହିଁ। ଆଇସିସି ନିୟମ ବହି ଅନୁସାରେ ୱିକେଟ୍ରକ୍ଷଣ ଗ୍ଲୋଭସରେ ଗୋଟିଏ ମାତ୍ର ପ୍ରାୟୋଜକ ଲୋଗୋ ଲଗାଯାଇ ପାରିବ। ଧୋନି ଏସ୍ଜିର ଲଗାଇଥିଲେ ମଧ୍ୟ ଅତିରିକ୍ତ ଭାବେ ବଳିଦାନ ଲୋଗୋକୁ ପ୍ରମୁଖ ସ୍ଥାନରେ ଲଗାଇଥିଲେ। ଆଇସିସିର ପୋଷାକ ଓ ସରଞ୍ଜାମ ନିୟମ ଧାରା-୨ ଅନୁସାରେ ସମ୍ପୃକ୍ତ ଖେଳାଳିଙ୍କ ବିରୋଧରେ ଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ପ୍ରଥମ ଉଲ୍ଲଂଘନରେ କେବଳ ଚେତାବନୀ ଦିଆଯିବ। ୧୨ ମାସ ମଧ୍ୟରେ ସମାନ ଭୁଲ କଲେ ୨୫ ପ୍ରତିଶତ, ତୃତୀୟ ଦଣ୍ଡରେ ୫୦ ପ୍ରତିଶତ, ଚତୁର୍ଥ ଦଣ୍ଡରେ ୭୫ ପ୍ରତିଶତ ମ୍ୟାଚ୍ ପାଉଣା କଟାଯିବାର ନିୟମ ରହିଛି।
ଧୋନିଙ୍କୁ ସମର୍ଥନ କରି ବିସିସିଆଇ କ୍ରିକେଟ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଆଇସିସିକୁ ଏହାର ପୁନଃବିଚାର କରିବାକୁ କହିଥିଲେ ମଧ୍ୟ ସଫଳ ହୋଇନଥିଲା। ଆମକୁ ଯଦି ଏଥି ପାଇଁ ଅନୁମତି ନେବାକୁ ପଡ଼ିଥାନ୍ତା ତେବେ ଆମେ ଏବେ ଏହା କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ବିସିସିଆଇ କହିଛି। ଆମେ ଆଇସିସି ନିୟମକୁ ମାନିବାକୁ ପ୍ରସ୍ତୁତ ବୋଲି ବିସିସିଆଇ ଦାୟିତ୍ବରେ ଥିବା କ୍ରିକେଟ୍ ପ୍ରଶାସକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ପ୍ରକାଶ କରିଛନ୍ତି। ବଳିଦାନ ଲୋଗୋ ବ୍ୟବସାୟିକ ନଥିବାରୁ ଏହାକୁ ପୁନଃବିଚାର କରାଯିବା ଉଚିତ ଥିଲା ବୋଲି ରାଏ କହିଛନ୍ତି। ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ବେଳେ ଆମେ ଆଇସିସିର ଅନୁମତି ନେଇ ସେନା ଟୋପି ପରିଧାନ କରିଥିଲୁ। ଏବେ ଗ୍ଲୋଭ୍ସ ପାଇଁ ଏଭଳି ଅନୁମତି ଆବଶ୍ୟକ ପଡିଲେ ଆମେ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଗମ୍ଭୀରଙ୍କ ବିରୋଧ
ଧୋନିଙ୍କ ବଳିଦାନ ବିବାଦ ସମ୍ପର୍କରେ ପୂର୍ବତନ କ୍ରିକେଟର୍ ତଥା ସଦ୍ୟ ଲୋକସଭାକୁ ନିର୍ବାଚିତ ଗୌତମ ଗମ୍ଭୀର ଆଇସିସିକୁ ସମାଲୋଚନା କରିଛନ୍ତି। ଆଇସିସି ଖେଳ ଉପରେ ଏକାଗ୍ରତା ରଖିବା କଥା, କୌଣସି ଖେଳାଳିର ପୋଷାକ ପତ୍ର ଉପରେ ନୁହେଁ ବୋଲି ସେ କହିଛନ୍ତି। କ୍ରିକେଟ୍କୁ ଠିକଣା ବାଟରେ ପରିଚାଳନା କରିବା ଆଇସିସିର କାମ, କିଏ କ’ଣ ପିନ୍ଧିଲା ଦେଖିବା କଥା ନୁହେଁ ବୋଲି ସେ ଏକ ଟିଭି କାର୍ଯ୍ୟକ୍ରମ ଅବସରରେ କହିଛନ୍ତି। ଆଇସିସି ବୋଲରଙ୍କ ପାଇଁ କିଛି କରିବାର ବେଳ ଆସିଛି। ୩୦୦-୪୦୦ ରନ୍ କାହିଁକି ହେଉଛି। ବ୍ୟାଟସମ୍ୟାନ୍ଙ୍କୁ ସୁହାଇବା ଭଳି ପିଚ୍ ନ କରି ବୋଲରଙ୍କ ପାଇଁ ଚିନ୍ତା କରିବା କଥା। ଅଯଥାରେ ଲୋଗୋକୁ ଏକ ପ୍ରସଙ୍ଗ କରାଯାଉଛି ବୋଲି ଗମ୍ଭୀର ମତ ଦେଇଥିଲେ।
Follow Us