DNA India
କଟକ: ଓଡ଼ିଶା ବିପକ୍ଷରେ ଶତକ ଅର୍ଜନ କରି ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୦୪ ଡିସେମ୍ବର ୨୩ ତାରିଖରେ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିବା ପୂର୍ବରୁ ଜାମସେଦପୁରରେ ୧୩ ତାରିଖରେ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ହୋଇଥିବା ରଣଜୀ ମ୍ୟାଚ୍ରେ ସେ ଖେଳିଥିଲେ। ମ୍ୟାଚ୍ରେ ଝାଡ଼ଖଣ୍ଡ ଟସ୍ ଜିତି ବୋଲିଂ କରିଥିଲା। ଦେବାଶିଷ ମହାନ୍ତିଙ୍କ ନେତୃତ୍ବାଧିନ ଓଡ଼ିଶା ଦଳ ମାତ୍ର ୧୧୦ ରନ୍ରେ ସମସ୍ତ ୱିକେଟ ହରାଇଥିଲା। ଜବାବରେ ଝଡ଼ଖଣ୍ଡ ପ୍ରଥମ ପାଳିରେ ମହେନ୍ଦ୍ର ସିଂହ ଧୋନିଙ୍କ ୧୨୮ ରନ୍ର ଶତକୀୟ ପାଳି ବଳରେ ଅଗ୍ରଣୀ ହାସଲ କରିଥିଲା। ଧୋନିଙ୍କ ଏହି ପାଳିରେ ସେ ସମାନ ସଂଖ୍ୟକ ବଲ୍ର ସାମ୍ନା କରିଥିଲା ବେଳେ ୧୮ ଚୌକା ଓ ୧ ଛକା ମାରିଥିଲେ। ତାଙ୍କୁ ଦୀପକ ମଙ୍ଗରାଜ ଆଉଟ କରିଥିଲେ।
୨୬୮ ରନ୍ର ପାଳି ସମାପ୍ତି ପରେ ଓଡ଼ିଶା ଦ୍ବିତୀୟ ପାଳିରେ ଅପେକ୍ଷାକୃତ ଭଲ ଖେଳିଥିଲା ବେଳେ ୨୯୪ ରନ୍ କରିଥିଲା। ଫଳରେ ଝାଡ଼ଖଣ୍ଡ ସମ୍ମୁଖରେ ୧୩୭ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ଝାଡ଼ଖଣ୍ଡ ୪ ୱିକେଟ ବିନିମୟରେ ହାସଲ କରିଥିଲା। ଏହି ପାଳିରେ ଧୋନି ବିଶେଷ କିଛି କରିନପାରି ମାତ୍ର ୯ ରନ୍ରେ ଦେବାଶିଷ ମହାନ୍ତିଙ୍କ ବଲ୍ରେ ଏଲ୍ବିଡବ୍ଲୁ ହୋଇଯାଇଥିଲେ। ଉକ୍ତ ଋତୁରେ ଧୋନି ମୋଟ ୪ ରଣଜୀ ମ୍ୟାଚ୍ ଖେଳି ୨ ଶତକ ଅର୍ଜନ କରିଥିଲେ। ଦ୍ବିତୀୟ ଶତକ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ଫେରିବା ପରେ ସେମି ଫାଇନାଲ୍ରେ ହରିଆଣା ବିପକ୍ଷରେ ଲଗାଇଥିଲେ। ୪ ମ୍ୟାଚ୍ରୁ ୨ ଶତକ ଓ ୧ ଅର୍ଧଶତକ ସହ ୩୯୭ ରନ୍ ସଂଗ୍ରହ କରିଥିଲେ।
Follow Us