Mumbai Mirror
ମୁମ୍ବାଇ: ବହୁ ଖୋଜାଖୋଜି ଓ ଅନୁସନ୍ଧାନ ପରେ ଶେଷରେ ଭାରତର ୨୦୧୧ ବିଶ୍ବକପ୍ ବିଜୟ ବଲ୍କୁ ଠାବ କରି ପାରିଛି ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ)। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ତତ୍କାଳୀନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୁୱାନ କୁଳସେକରାଙ୍କ ବଲ୍କୁ ଲଙ୍ଗ ଅନ୍ ଉପରେ ବିଶାଳ ଛକା ମାରି ଭାରତକୁ ଦୀର୍ଘ ୨୮ ବର୍ଷ ପରେ ବିଶ୍ବକପ୍ ବିଜୟୀ କରାଇଥିଲେ। ସେବେଠାରୁ କିନ୍ତୁ ସେହି ବଲ୍ଟି ମିଳୁ ନଥିଲା। ହେଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କରଙ୍କ ସହାୟତାରେ ଏମ୍ସିଏ ବଲ୍ଟିକୁ ପାଖାପାଖି ୯ ବର୍ଷ ପରେ ଖୋଜି ପାଇଛି।
ଗାଭାସ୍କରଙ୍କ କହିବା ଅନୁସାରେ ସେହି ବଲ୍ ଏବେ ଜଣେ ହଂକଂ ନାଗରିକଙ୍କ ପାଖରେ ରହିଛି। ସଂପୃକ୍ତ ବ୍ୟକ୍ତିଜଣକ ୨୦୧୧ ମସିହାରେ ହୋଇଥିବା ଆଇସିସି ନିଲାମରେ ଏହି ବଲ୍ଟିକୁ କିଣି ନିଜ ପାଖରେ ରଖିଛନ୍ତି। ଏମ୍ସିଏ ଏବେ ବଲ୍ଟିକୁ କିଣି ଭାରତ ଆଣିବାକୁ ଯୋଜନା କରୁଛି। ନିକଟରେ ୱାଙ୍ଖଡ଼େ ଷ୍ଟାଡିୟମ ଭିତରକୁ ସାଧାରଣ ଜନତା ତଥା ପର୍ଯ୍ୟଟକଙ୍କୁ ବୁଲାଇ ନେବାର ଅନୁମତି ଏମ୍ସିଏ ଦେଇଛି। ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗର ଅନୁରୋଧ ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଭାରତୀୟ ତଥା ମୁମ୍ବାଇ କ୍ରିକେଟ୍ର ଗୌରବମୟ ଇତିହାସକୁ ଦର୍ଶାଇବା ଲାଗି ସଂଘ ଏକ ସଂଗ୍ରହାଳୟ କରିବାର ଯୋଜନା ମଧ୍ୟ କରୁଛି। ବଲ୍ଟିକୁ ସେହି ସଂଗ୍ରହାଳୟରେ ରଖିବାକୁ ଏମସିଏ୍ ଇଚ୍ଛୁକ ଥିବା ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Follow Us