ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଶୁକ୍ରବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ରୋମାଞ୍ଚକ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍ରେ ପରାସ୍ତ କରିଥିଲା। ୨୦୪ ରନ୍ ପଶ୍ଚାତ୍ଧାବନ ବେଳେ ୧୭ ରନ୍ ଭିତରେ ମୁମ୍ବାଇ ଏହାର ପ୍ରାରମ୍ଭିକ ଯୋଡ଼ିଙ୍କୁ ହରାଇଥିଲା। ଆହତ କାରଣରୁ ରୋହିତ ଶର୍ମା ଖେଳି ନଥିଲେ। ତେବେ ସୂର୍ଯ୍ୟକୁମାର ଯଦବ (୪୩ ବଲ୍ରୁ ୬୭ ରନ୍) ଓ ନମନ ଧୀର (୨୪ ବଲ୍ରୁ ୪୬ ରନ୍) ଭଲ ଖେଳିବାରୁ ମୁମ୍ବାଇ ପ୍ରାରମ୍ଭିକ ବିପର୍ଯ୍ୟୟ ଏଡ଼ାଇ ଦେଇଥିଲା। ଇମ୍ପାକ୍ଟ ଖେଳାଳି ତିଳକ ବର୍ମା (୨୩ ବଲ୍ରୁ ୨୫ ରନ୍) ମନ୍ଥର ଖେଳିବାରୁ ତାଙ୍କୁ ଦଳ ରିଟାୟର୍ଡ ଆଉଟ୍ କରି ମିଚେଲ୍ ସାଣ୍ଟନର୍ଙ୍କୁ ଡାକିଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୧୬ ବଲ୍ରୁ ୨୮* ରନ୍) ଚେଷ୍ଟା କରି ମଧ୍ୟ ପାରି ନଥିଲେ। ଶେଷ ଓଭରରୁ ୨୨ ରନ୍ ଆବଶ୍ୟକ ଥିବାବେଳେ ଅୱେସ ଖାନ୍ (୬, ୨, ୦, ୦, ୧, ୦) ଲକ୍ଷ୍ନୌକୁ ଜିତାଇଥିଲେ।
ଲକ୍ଷ୍ନୌଠାରୁ ପରାଜୟ ପରେ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଦୁଃଖକୁ ନିୟନ୍ତ୍ରଣ କରିପାରିନଥିବା ଦେଖାଯାଇଛି। ସିଜିନର ତୃତୀୟ ପରାଜୟରେ ନିରାଶ ହୋଇଥିବା ଅଧିନାୟକ ପାଣ୍ଡ୍ୟା ମ୍ୟାଚ୍ ପରେ ଭାବପ୍ରବଣ ହୋଇଯାଇଥିବା ଏକ ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି।
ଫଟୋରେ ସେ ମୁହଁ ତଳକୁ କରି ନିରାଶ ହୋଇ ଠିଆ ହୋଇଛନ୍ତି। ଲାଗୁଛି ଯେପରି ସେ କାନ୍ଦୁଛନ୍ତି। ଫଟୋ ଭାଇରାଲ ହେବା ପରେ ଲୋକେ ଏହା କହିବା ଆରମ୍ଭ କରିଛନ୍ତି।
Follow Us