ଭାରତୀୟ ଦଳରେ ଭିନ୍ନଭିନ୍ନ ଖେଳାଳିଙ୍କ ପା‌ଇଁ ଭିନ୍ନଭିନ୍ନ ନିୟମ: ଗାଭାସ୍କର

Advertisment
ବାର୍ତ୍ତା ପଠାଇ ନଥିବା ଖେଳାଳିଙ୍କ ନାଁ କୋହଲି ପ୍ରକାଶ କରନ୍ତୁ: ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ ଦଳରେ ଏବେ ଭିନ୍ନଭିନ୍ନ ଖେଳାଳିଙ୍କ ପାଇଁ ଅଲଗାଅଲଗା ନିୟମ ପ୍ରଣୟନ କରାଯାଉଛି। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଗୋଟିଏ ନିୟମ ଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଟି ନଟରାଜନ୍‌ଙ୍କ ପାଇଁ ଅନ୍ୟ ନିୟମ। ଏଭଳି ସାଂଘାତିକ ଅଭିଯୋଗ ବାଢ଼ିଛନ୍ତି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର। ପିତୃତ୍ବ ଅବକାଶ ଅନୁମତି ନେଇ କୋହଲି ଅଷ୍ଟ୍ରେଲିଆ ଗସ୍ତ‌ରେ ପ୍ରଥମ ଟେଷ୍ଟ୍‌ ଖେଳି ସ୍ବଦେଶ ଫେରିବାକୁ ନେଇ ଗାଭାସ୍କର ଏଭଳି ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ହେଲା, ବୋଲିଂ ସାମର୍ଥ୍ୟ ପାଇଁ ନୁହେଁ ବରଂ ନିଜର ସ୍ପଷ୍ଟବାଦିତା ପାଇଁ ଅଶ୍ବିନ୍‌ ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହୁଛନ୍ତି। ଅନ୍ୟମାନଙ୍କ ଭଳିଆ ମୁଣ୍ଡ ହଲାଇବା ପରିବର୍ତ୍ତେ ନିଜ ମତ ରଖିବାକୁ ସେ କେବେବି ପଛଘୁଞ୍ଚା‌ ଦିଅନ୍ତି ନାହିଁ। ଏଥିପାଇଁ ଯଦି ସେ ଗୋଟିଏ ମ୍ୟାଚ୍‌ରେ ୱିକେଟ୍‌ଶୂନ୍ୟ ରହୁଛନ୍ତି ତାହାଲେ ତାଙ୍କୁ ପରର୍ବତୀ ମ୍ୟାଚ୍‌ରୁ ବାହାରେ ରଖାଯାଉଛି। ଏପରିକି ଚୂଡାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବାକୁ ତାଙ୍କୁ ନିରନ୍ତର ସଂଘର୍ଷ କରିବାକୁ ପଡୁଛି। ଅନ୍ୟପକ୍ଷରେ ଯଦି ଜଣେ ବ୍ୟାଟ୍ସମ୍ୟାନ୍‌ ବାରମ୍ବାର ବିଫଳ ହେଉଛି, ତାହାଲେ ତାଙ୍କୁ ବାଦ୍‌ ଦିଆଯାଉନାହିଁ। ଏହା ଭିନ୍ନ ନିୟମ ନୁହେଁ ତ, ଆଉ କ’ଣ? ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି।

ସେହିପରି ଯୁବ ବୋଲର ନଟରାଜନ୍‌ ଗତ ଆଇପିଏଲ୍‌ ବେଳେ ପ୍ରଥମ ଥର ପିତା ହୋଇଥିଲେ ମଧ୍ୟ ତାଙ୍କୁ ଘରକୁ ଫେରିବାକୁ ଦିଆଯାଇନଥିଲା। ବରଂ ତାଙ୍କୁ ୟୁଏଇର ଜୈବ ବଳୟରୁ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ବାଧ୍ୟ କରାଯାଇଥିଲା। ଫଳରେ ନଟରାଜନ୍‌ ଏବେ ବି ତାଙ୍କ ନୂଆ ଜନ୍ମିତ ଝିଅକୁ ଦେଖିପାରିନାହାନ୍ତି। ସେ ଟେଷ୍ଟ୍‌ ଦଳର ସଦସ୍ୟ ନଥିଲେ ମଧ୍ୟ ତାଙ୍କୁ ଜଣେ ନେଟ୍‌ ବୋଲର ଭାବେ ସେଠାରେ ରଖାଯାଇଛି। କିନ୍ତୁ କୋହଲି ତାଙ୍କ ପ୍ରଥମ ସନ୍ତାନ ଜନ୍ମ ପାଇଁ ପତ୍ନୀଙ୍କ ସହ ରହିବାକୁ ଚାହିଁବାରୁ ତାଙ୍କୁ ଛୁଟି ଅନୁମୋଦନ କରିଦିଆଗଲା। ଦଳର ଭିନ୍ନ ଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ କାହିଁକି ବୋଲି ଗାଭାସ୍କର ପ୍ରଶ୍ନ କରିବା ସହ ଏଭଳି ପ୍ରିୟାପ୍ରୀତି ପୋଷଣକୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe