ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୀନେଶ, ସାଇକଲ ଚାଳନାରେ ପ୍ରଥମ ଓଡ଼ିଆ

Advertisment
ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୀନେଶ, ସାଇକଲ ଚାଳନାରେ ପ୍ରଥମ ଓଡ଼ିଆ

ରାଉରକେଲା: ଚଳିତ ମାସ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜିତ ହେବାକୁ ଯାଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ୨୧୫ ଜଣିଆ ଦଳ ଅଂଶ ଗ୍ରହଣ କରିବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ହକି ଦଳରେ ଦୁଇ ଜଣ (ଅମିତ ରୋହି ଦାସ ଓ ଦୀପଗ୍ରେସ୍ ଏକ୍କା) ଓଡ଼ିଆ ଖେଳାଳି ଥିଲା ବେଳେ ଦୌଡ଼କୁଦରେ ଦୁଇ ଜଣ (ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ) ସାମିଲ ଅଛନ୍ତି। ଏମାନଙ୍କ ଛଡ଼ା ୧୪ ଜଣିଆ ଭାରତୀୟ ସାଇକଲ ଚାଳନା ଦଳରେ ମଧ୍ୟ ଜଣେ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ରାଉରକେଲାର ଦୀନେଶ କୁମାର। ତାଙ୍କ ମନୋନୟନ ପରେ ଓଡ଼ିଶା ସାଇକ୍ଲିଂରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ାର ସାଇକଲ ଚାଳନାରେ ଦେଶର ପ୍ରତିନିଧିତ୍ବ କରିବାରେ ସେ ହେବେ ପ୍ରଥମ ଓଡ଼ିଆ। ୨୨ ବର୍ଷୀୟ ଦୀନେଶ ୪୦୦୦ ମିଟର ବ୍ୟକ୍ତିଗତ ଓ ଦଳୀୟ ବର୍ଗ (ଇଣ୍ଡିଭିଜୁଆଲ୍‌ ପର୍ସୁଟ୍‌ ଓ ଟିମ୍ ପର୍ସୁଟ୍‌)ରେ ଭାଗନେବେ।

ଉଲ୍ଲେଖନୀୟ ଯେ ୫ ବର୍ଷ ତଳେ ଦୀନେଶ ବାହାମାରେ ଅନୁଷ୍ଠିତ ଷଷ୍ଠ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ୪ ଜଣିଆ ଭାରତୀୟ ସାଇକଲ ଚାଳନା ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନପାଇ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ହେବାର ଗୌରବ ଅର୍ଜନ କରିଥିଲେ। ଗତ ଜୁନ ମାସରେ ଦିଲ୍ଲୀରେ ଅନୁଷ୍ଠିତ ୪୧ତମ ଏସୀୟ ଟ୍ରାକ୍‌ ସାଇକ୍ଲିଂ ପ୍ରତିଯୋଗିତାର ୪୦୦୦ ମିଟର ଟିମ୍‌ ପର୍ସୁଟ୍‌ ମୁକାବିଲାରେ ଦୀନେଶ ଅନ୍ୟ ୩ ସାଥୀ ସାଇକ୍ଲିଷ୍ଟ ବିଶ୍ବଜିତ ସିଂହ, ଭେଙ୍କପ୍ପା କେ, ଅନ୍ନଥ ନାରାୟଣଙ୍କ ସହ କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ଆଧାରରେ ଏମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମନୋନୀତ ହୋଇଛନ୍ତି।

ଏକ ଅତ୍ୟନ୍ତ ସାଧାରଣ ପରିବାରରୁ ଆସିଛନ୍ତି ଦୀନେଶ। ପାରିବାରିକ ଆର୍ଥିକ ସ୍ଥିତି ଭଲ ନଥିବାରୁ ପ୍ରଥମେ ସେ ନିଜେ ବି ଏହି କ୍ରୀଡ଼ା ପ୍ରତି ବିଶେଷ ଆଗ୍ରହୀ ନଥିଲେ। ତେବେ ସ୍କୁଲର କିଛି ସାଙ୍ଗଙ୍କୁ ସାଇକଲ ଚାଳନା ଅଭ୍ୟାସ କରୁଥିବା ଦେଖି ତାଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା। ସେ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ତାଙ୍କୁ ସେଠାରେ ଏକ ସାଧାରଣ ସାଇକଲ ଚଳାଇବା ଦେଖିଥିଲେ ରାଉରକେଲା ଇସ୍ପାତ କାରଖାନା କ୍ରୀଡ଼ା ବିଭାଗର ଅଭିଜ୍ଞ ସାଇକଲ ପ୍ରଶିକ୍ଷକ ସୁଶୀଲ କୁମାର ଦାସ। ସେହିଠାରୁ ହିଁ ସେ ଦୀନେଶଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ସାମର୍ଥ୍ୟକୁ ଅନୁଭବ କରିପାରିଥିଲେ। ସାଧାରଣ ସାଇକଲରେ ଅଭ୍ୟାସ କରୁଥିବା ଦୀନେଶ ୨୦୧୫ରେ ସେହି ଷ୍ଟାଡିୟମରେ ପ୍ରଥମେ ସ୍ପୋର୍ଟସ ସାଇକଲ ଚଳାଇବାର ସୁଯୋଗ ପାଇଥିଲେ। ଏହାର ପ୍ରଥମ ଅନୁଭୂତି ତାଙ୍କୁ ଏତେ ଛୁଇଁଥିଲା ଯେ ସେ ପ୍ରତିଦିନ ଆସି ଅଭ୍ୟାସ ଆରମ୍ଭ କରିଥିଲେ। ଖୁବ୍‌ ଶୀଘ୍ର ଦୀନେଶ ଅନ୍ୟମାନଙ୍କୁ ପଛରେ ପକ‌ାଇଦେଇଥିଲେ। ମାତ୍ର ୪ ମାସର ସାଇକଲ ଚାଳନା ଅଭ୍ୟାସ ପରେ ୨୦୧୫ରେ ତ୍ରିଭେନ୍ଦ୍ରମ ଠାରେ ଅନୁଷ୍ଠିତ କଦିଷ୍ଠ ଜାତୀୟ ସାଇକ୍ଲି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ତାଙ୍କୁ ସାଇ ନ୍ୟାସନାଲ ସାଇକ୍ଲି ଏକାଡ଼ମି, ଦିଲ୍ଲୀ ପାଇଁ ମନୋନୟନ କରା ଯାଇଥିଲା। ତା’ପର ଠାରୁ ସେ ନିରନ୍ତର ନିଜ ପ୍ରଦର୍ଶନରେ ସୁଧାର କରି ଚାଲିଛନ୍ତି। ୨୦୧୭ରେ ଦୀନେଶ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ସର୍ଜେଣ୍ଟ ପାହ୍ୟାରେ ଅଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମନୋନୟନ ପରେ ‘ସମ୍ବାଦ’ ସହ କଥା ହେବାବେଳେ ଦୀନେଶ ତାଙ୍କର ପ୍ରଥମ ପ୍ରଶିକ୍ଷକ ସୁଶୀଲ କୁମାର ଦାସ ତଥା ବାୟୁସେନାର ପ୍ରଶିକ୍ଷକ ମାନସ ବାରିକ ଓ ଜାତୀୟ ପ୍ରଶିକ୍ଷକ ଭିଏନ୍‌ ସିଂହଙ୍କୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ। ତାଙ୍କର ପ୍ରଥମ ପ୍ରଶିକ୍ଷକ ସୁଶୀଲ କୁମାର ଦାସ କହିଛନ୍ତି, ‘‘ଦୀନେଶ ଅତ୍ୟନ୍ତ ଶୃଙ୍ଖଳିତ ଓ ପରିଶ୍ରମୀ। ତା’ର ପ୍ରଦର୍ଶନ ନିରନ୍ତର ଆଗେଇ ଚାଲିଛି। ମୋର ପୂରା ବିଶ୍ୱାସ ଅଛି ଯେ ଭବିଷ୍ୟତରେ ସେ ବହୁତ ଆଗକୁ ଯିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe