ଅହମଦାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବରିଷ୍ଠ ଖେଳାଳି ଦୀନେଶ କାର୍ତ୍ତିକ ଆଇପିଏଲ୍କୁ ବିଦାୟ ଜଣାଇଛନ୍ତି। ବୁଧବାର ରାଜସ୍ଥାନ ରୟାଲ୍ସଠୁ ଆର୍ସିବି ପରାସ୍ତ ହେବା ପରେ କାର୍ତ୍ତିକଙ୍କ ଆଇପିଏଲ୍ ଯାତ୍ରାରେ ଯବନିକା ପଡ଼ିଛି। ମ୍ୟାଚ୍ ଶେଷ ହେବା ପରେ ଆର୍ସିବିର ଖେଳାଳିମାନେ କାର୍ତ୍ତିକଙ୍କୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରିଥିଲେ। କାର୍ତ୍ତିକ ଏହି ସମୟରେ ଭାବବିହ୍ବଳ ହୋଇଯାଇଥିଲା ବେଳେ ତାଙ୍କ ଗ୍ଲୋଭ୍ସ କାଢ଼ି ପ୍ରଶଂସକ ଓ ଖେଳାଳିଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ କାର୍ତ୍ତିକ ନିଜ ମୁହଁରେ ଅବସର ବିଷୟରେ ଘୋଷଣା କରି ନଥିଲେ ମଧ୍ୟ ପ୍ରସାରଣକାରୀ ସଂସ୍ଥା ଜିଓ ସିନେମା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
ଜିଓ ସିନେମା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରାଯାଇଥିବା ଏକ ଫଟୋରେ ଆଇପିଏଲ୍ ପ୍ରତି କାର୍ତ୍ତିକଙ୍କ ୧୬ ବର୍ଷର ଅବଦାନକୁ ପ୍ରଦର୍ଶନ କରାଯାଇଥିଲା। ରାଜସ୍ଥାନ ରୟାଲ୍ସ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ କାର୍ତ୍ତିକଙ୍କୁ ଧନ୍ୟବାଦ ଜଣାଇବା ସହିତ ଏଲିମିନେଟର୍ରେ ଲଢ଼େଇ କରିଥିବାରୁ ଆର୍ସିବିକୁ ପ୍ରଶଂସା କରିଥିଲା। କାର୍ତ୍ତିକ ୨୫୭ ଆଇପିଏଲ୍ ମ୍ୟାଚ୍ରୁ ୪୮୪୨ ରନ୍ ସହ ବିଦାୟ ନେଇଛନ୍ତି। ଯାହାମଧ୍ୟରେ ୨୨ ଅର୍ଦ୍ଧଶତକ ସାମିଲ ଅଛି। ଚଳିତ ସଂସ୍କରଣରେ ସେ ୧୫ ମ୍ୟାଚ୍ରୁ ୩୨୬ରନ୍ ସଂଗ୍ରହ କରିଥିଲେ। ୨୦୦୮ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ପଦାର୍ପଣ କରିଥିଲେ। ୬ଟି ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଏକାଦଶ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଲାୟନ୍ସ, କୋଲକାତା ନାଇଟ୍ ରାଇଡର୍ସ, ଆର୍ସିବି ପାଇଁ ସେ ଏହି ଧନୀ ଲିଗ୍ରେ ଖେଳିସାରିଛନ୍ତି।
Follow Us