ଜୋକୋଭିକ୍‌ଙ୍କ ଅଲିମ୍ପିକ ପଦକ ସ୍ବପ୍ନ ଅଧୁରା, କାଂସ୍ୟ ପଦକ ମ୍ୟାଚରେ କାରେନା ବୁସ୍ତାଙ୍କଠୁ ପରାସ୍ତ ହେଲେ

Advertisment

ବେନ୍‌ସିକ୍‌ ଜିତିଲେ ମହିଳା ଏକକ ସ୍ବର୍ଣ୍ଣ

ବେନ୍‌ସିକ୍‌ ଜିତିଲେ ମହିଳା ଏକକ ସ୍ବର୍ଣ୍ଣ

ଜୋକୋଭିକ୍‌ଙ୍କ ଅଲିମ୍ପିକ ପଦକ ସ୍ବପ୍ନ ଅଧୁରା, କାଂସ୍ୟ ପଦକ ମ୍ୟାଚରେ କାରେନା ବୁସ୍ତାଙ୍କଠୁ ପରାସ୍ତ ହେଲେ

ଟୋକିଓ: ନୋଭାକ ଜୋକୋଭିକଙ୍କ ଅଲିମ୍ପିକ ପଦକ ସ୍ବପ୍ନ ମଉଳିଗଲା। ଶନିବାର କାଂସ୍ୟ ପଦକ ମୁକାବିଲାରେ ସ୍ପେନ୍‌ର ପାବ୍‌ଲୋ କାରେନୋ ବୁସ୍ତାଙ୍କଠାରୁ ଜୋକୋଭିକ ୪-୬, ୮-୬, ୩-୬ରେ ହାରିଯିବା ପରେ ଅଲିମ୍ପିକ୍‌ରେ ପଦକଶୂନ୍ୟ ରହିଲେ। ଫଳରେ ତାଙ୍କର ଏକକ ପଦକ ଆଶା ଏହିଠାରେ ଶେଷ‌ ହୋଇଛି। ଶୁକ୍ରବାର ଆଲେକଜାଣ୍ଡର ଭେରେଭଙ୍କଠାରୁ ହାରିଯିବା ପରେ ଜୋକୋଭିକ କାଂସ୍ୟ ପାଇଁ ଶନିବାର ଲଢେଇ କରିଥିଲେ।

ବୁସ୍ତାଙ୍କ ବିପକ୍ଷରେ ହୋଇଥିବା ମ୍ୟାଚ ଅଢେଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ପ୍ରଥମ ସେଟ୍‌ ୪-୬ରେ ହାତଛଡ଼ା ହେବା ପରେ ଦ୍ବିତୀୟ ସେଟ୍‌କୁ ୮-୬ରେ ନିଜ ନାମରେ କରିଥିଲେ। ଯେଉଁଥିପାଇଁ ମ୍ୟାଚ ନିର୍ଣ୍ଣାୟକ ସେଟ୍‌କୁ ଚାଲିଯାଇଥିଲା। ପୂର୍ବରୁ ପ୍ରତିଯୋଗିତାର ଦ୍ବିତୀୟ ସିଡ୍‌ ଡାନିଲ ମେଡଭେଦେବଙ୍କୁ ପ୍ରତିଯୋଗିତାରୁ ବାହାର କରାଇସାରିଥିବା ବୁସ୍ତାଙ୍କୁ ଏହି ମ୍ୟାଚ୍‌ ଜିତିବାରେ କୌଣସି ଅସୁବିଧା ହୋଇନଥିଲା। ତୃତୀୟ ସେଟ୍‌କୁ ୩-୬ରେ ସେ ଜିତିବାରେ ସଫଳ ହୋଇଥିଲେ। ତେବେ ମ୍ୟାଚ୍‌ ଅବସରରେ ଜୋକୋଭିକ ଦୁଇଥର ପଏଣ୍ଟ ହାତଛଡ଼ା ହେବାରୁ ତାଙ୍କ ରୢାକେଟକୁ ଗ୍ୟାଲେରି ଆଡ଼କୁ ଫିଙ୍ଗିଥିଲେ। ତାଙ୍କର ଏଭଳି ଉତ୍ତେଜିତ ଆଚରଣକୁ ନେଇ ଅମ୍ପାୟାର ଚେତାବନୀ ମଧ୍ୟ ଦେଇଥିଲେ।

ଅନ୍ୟପକ୍ଷରେ ମିଶ୍ରିତ ଯୁଗଳ ଇଭେଣ୍ଟରୁ ଜୋକୋଭିକ ଓ ତାଙ୍କ ସାଥୀ ନିନା ଷ୍ଟୋଜାନୋଭିକ ଓହରି ଯାଇଛନ୍ତି। ଜୋକୋଭିକଙ୍କ କାଂସ୍ୟ ପଦକ ମ୍ୟାଚ୍‌ର ଠିକ୍‌ ପୂର୍ବରୁ ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି। ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ପାଇଁ ଅଷ୍ଟ୍ରେଲିଆର ଆସଲେଘ ବାର୍ଟି ଓ ଜନ୍‌ ପିଅର୍ସଙ୍କ ବିପକ୍ଷରେ ଜୋକୋଭିକ ଓ ନିନାଙ୍କ ମୁକାବିଲା ହେବାର ଥିଲା। ତେବେ ସେମାନେ ଏଭଳି ନିଷ୍ପତ୍ତି କାହିଁକି ନେଲେ ତାହା ଏବେ ବି ଅସ୍ପଷ୍ଟ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ଟେନିସ ଖେଳାଳି ଏଥର ଟୋକିଓରୁ ବିନା କୌଣସି ପଦକରେ ଘରକୁ ଫେରିବେ। କେବଳ ଏତିକି ନୁହେଁ, ଶୀର୍ଷ ମାନ୍ୟତା ପାଇଥିବା ‌ଜୋକୋଭିକ୍‌ ୨୦୧୯ ଏଟିପି ଟୁର ଫାଇନାଲ୍ସ ପରେ ପ୍ରଥମ ଥର ପାଇଁ ଏକକ ବିଭାଗରେ ଦୁଇଟି ସିଧାସଳଖ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ଏଥିପୂର୍ବରୁ ୨୦୧୯ରେ ଡୋମିନିକ ଥିମ୍‌ ଓ ରୋଜର ଫେଡେ‌ରରଙ୍କଠୁ ସେ ଲଗାତାର ଭାବେ ପରାଜିତ ହୋଇଥିଲେ।

ବେନ୍‌ସିକ୍‌ ଜିତିଲେ ମହିଳା ଏକକ ସ୍ବର୍ଣ୍ଣ

ଟୋକିଓ: ବିଶ୍ବ ମାନ୍ୟତାର ଦ୍ବାଦଶ ବେଲିନ୍ଦା ବେନ୍‌ସିକ୍‌ ଟୋକିଓ ଅଲିମ୍ପିକ୍ସରେ ଟେନିସ୍‌ର ମହିଳା ଏକକ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ସ୍ବିଜରଲାଣ୍ଡ୍‌ ମହିଳା ଶନିବାର ଫାଇନାଲ୍‌ରେ ୨ ଘଣ୍ଟା ୩୦ ମିନିଟ୍‌ ସଂଘର୍ଷ କରିବା ପରେ ଚେକ୍‌ ଗଣରାଜ୍ୟର ମର୍କେଟା ଭନ୍ଦ୍ରୋତ୍ସୋଭାଙ୍କୁ ୭-୫, ୨-୬ ଓ ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ଏଥି ସହିତ ୨୪ ବର୍ଷିୟା ବେନ୍‌ସିକ୍‌ ଅଲିମ୍ପିକ୍‌ ଟେନିସ୍‌ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ସ୍ବିସ୍‌ ମହିଳା ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ୧୯୯୨ରେ ପୁରୁଷ ଏକକରେ ମାର୍କ ରୋସେଟ୍‌ ସ୍ବର୍ଣ୍ଣ ଜିତିଥିଲେ। ବେନ୍‌ସିକ୍‌ ଚଳିତ ଅଲିମ୍ପିକ୍ସରେ ଏହାପରେ ମହିଳା ଯୁଗଳରେ ମଧ୍ୟ ରବିବାର ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଚେକ୍‌ ଗଣରାଜ୍ୟର ଶୀର୍ଷ ମାନ୍ୟତା ବାର୍ବୋରା କ୍ରେଜିସେକ୍‌ ଓ କାଟେରିନା ସିନିଆକୋଭାଙ୍କୁ ପରାସ୍ତ କରନ୍ତି ତାହାଲେ ଟେନିସ୍‌ ଇତିହାସରେ ଏକକ ଓ ଯୁଗଳ ସ୍ବର୍ଣ୍ଣ ଜିତିବାରେ ସେ ଚତୁର୍ଥ ମହିଳା ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe