ଡାକ୍ତରଙ୍କ ପାହାଡ଼ଚଢ଼ା ନିଶା: ଏଲବ୍ରସ୍‌ ଜିତିଲେ ଆଦିତ୍ୟ,ଏଭରେଷ୍ଟ୍ ଆଗାମୀ ଲକ୍ଷ୍ୟ

Advertisment
ଡାକ୍ତରଙ୍କ ପାହାଡ଼ଚଢ଼ା ନିଶା: ଏଲବ୍ରସ୍‌ ଜିତିଲେ ଆଦିତ୍ୟ,ଏଭରେଷ୍ଟ୍ ଆଗାମୀ ଲକ୍ଷ୍ୟ

ଭୁବନେଶ୍ବର: ପେସାରେ ଡାକ୍ତର; ନିଶା କିନ୍ତୁ ପାହାଡ଼ଚଢ଼ା, ପୁଣି ଲକ୍ଷ୍ୟ ହେଉଛି ୨୦୨୫ ସୁଦ୍ଧା ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ୍‌ ଶିଖରରେ ପାଦ ଥାପିବା। ଏଥିଲାଗି ସେ କେବଳ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତି କରୁନାହାନ୍ତି, ୟୁରୋପ ମହାଦେଶ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲବ୍ରସ୍, ଅଷ୍ଟ୍ରେଲିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ କୋଜିୟୁଜ୍କୋ ଚଢ଼ି ନିଜ ପ୍ରତିବଦ୍ଧତାର ପରିଚୟ ଦେଇସାରିଛନ୍ତି। ପାଠ ସହ ପାହାଡ଼ଚଢ଼ାରେ ନିଜ ଚମକ ଛାଡ଼ିଥିବା ଏହି ଯୁବ ଡାକ୍ତର ତଥା ପର୍ବତାରୋହୀ ହେଉଛନ୍ତି ବରଗଡ଼ ଜିଲ୍ଲା ସୋହେଲାର ଡାକ୍ତର ଆଦିତ୍ୟ ଖାଡ଼ଙ୍ଗା। କେବଳ ପର୍ବତା‌ରୋହଣ ନୁହେଁ, ୨୬ ବର୍ଷୀୟ ଆଦିତ୍ୟ ମଧ୍ୟ ଏକାଧିକ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ମଧ୍ୟ ଜାତୀୟ ଷ୍ଟାର୍ଟ ଅପ୍ ପୁରସ୍କାର ୨୦୨୦ର ଅନ୍ୟତମ ଫାଇନାଲିଷ୍ଟ ଥିଲେ। ସଂପ୍ରତି ସେ ଇନଷ୍ଟଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମରୋଗ ବିଭାଗରେ ଇଣ୍ଟର୍ନସିପ୍ କରୁଛନ୍ତି। ଆଉ ମାତ୍ର କିଛି ଦିନ ପରେ ଆନୁଷ୍ଠାନିକ ଭାବେ ଡାକ୍ତର ହୋଇ ରୋଗୀସେବା କରିବେ। ଖାଲି ସେତିକି ନୁହେଁ, ରୋଗୀ ସେବା ସହ ୭ ମହାଦେଶର ୭ ସର୍ବୋଚ୍ଚ ଗିରିଶୃଙ୍ଗ ଶିଖରରେ ପହଞ୍ଚି ଓଡ଼ିଶା ତଥା ଭାରତବର୍ଷକୁ ଗର୍ବିତ କରିବାକୁ ସ୍ବପ୍ନ ଦେଖୁଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ ଆଦିତ୍ୟ।

ସୋହେଲାର ବ୍ୟବସାୟୀ ଗିର୍ଜିଶ ଖାଡ଼ଙ୍ଗା ଓ ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ଶତପଥୀଙ୍କ ପୁଅ ଆଦିତ୍ୟଙ୍କର ପିଲାଟି ବେଳୁ ବାହାରକୁ ବୁଲିଯିବା ଏବଂ ଟ୍ରେକିଂ କରିବାର ସଉକ ଥିଲା। ତେବେ ୨୦୨୧ ମସିହାରେ ମନାଲିର ଅଟଳ ବିହାରୀ ବାଜପାୟୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନରିଂ ଆଣ୍ଡ ଆଲାଏଡ୍ ସ୍ପୋର୍ଟ୍‌ସରୁ ପର୍ବତାରୋହଣର ମୌଳିକ ଶିକ୍ଷା ଲାଭ କରିବା ପରେ ଏହା ନିଶାରେ ପରିଣତ ହୋଇଯାଇଥିଲା। ଗତ ତିନିବର୍ଷ ହେବ ସେ ପର୍ବତାରୋହଣ ଦକ୍ଷତାକୁ ଆହୁରି ଉଚ୍ଚସ୍ତରକୁ ନେବାକୁ ଯୋଜନା କରୁଥିଲେ। ଶେଷରେ ଗତବର୍ଷ ଅଗଷ୍ଟ ୧୬ ତାରିଖରେ ମାଉଣ୍ଟ ଏଲବ୍ରସ୍ ଉପରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଥିଲେ। ଏଭରେଷ୍ଟ୍ ଚଢ଼ିବା ସ୍ବପ୍ନକୁ ସାକାର କରିବା ଲାଗି ଏକ ବଡ଼ ପାଦ ଆଗକୁ ବଢ଼ାଇଥିଲେ। ସେହିଭଳି ଚଳିତ, ଏପ୍ରିଲ୍ ୩ ତାରିଖରେ ଅଷ୍ଟ୍ରେଲିଆର ୧୦ଟି ଉଚ୍ଚତମ ସ୍ଥାନ ଚଢ଼ିବାର ଲକ୍ଷ୍ୟ ନେଇ ସେଠାକୁ ଯାଇଥିଲେ। ଏହି ମହାଦେଶର ସବୁଠାରୁ ଉଚ୍ଚତମ ସ୍ଥାନ ମାଉଣ୍ଟ କୋଜିୟୁଜ୍କୋ ଓ ଅନ୍ୟ ଚାରିଟି ଉଚ୍ଚ ଶୃଙ୍ଗ ସଫଳତାର ସହ ଚଢ଼ିଥିଲେ। ତେବେ ପାଗ ଖରାପ ହେବାରୁ ମୋଟ ଉପରେ ୫ଟି ପର୍ବତ ଚଢ଼ି ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଥିଲେ। ଭାରତର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଅର୍ଜୁନ ବାଜପାୟୀ, ନେପାଳ ଜନ୍ମିତ ବ୍ରିଟିସ୍ ପର୍ବତାରୋହୀ ନିର୍ମଳ ପୂର୍ଜାଙ୍କୁ ନିଜର ପ୍ରେରଣା ଓ ଆଦର୍ଶ କରି ଆଗାମୀ ସମୟରେ ପର୍ବତାରୋହଣ କ୍ଷେତ୍ରରେ ନୂଆ ନୂଆ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe