ଅତୀତ କଥା ଚିନ୍ତା କରୁନି, ନୂଆ ଆରମ୍ଭ ଚାହେ: ରାହାଣେ

Advertisment
ଅତୀତ କଥା ଚିନ୍ତା କରୁନି, ନୂଆ ଆରମ୍ଭ ଚାହେ: ରାହାଣେ

ଲଣ୍ଡନ୍‌ : ଦୀର୍ଘ ୧୮ ମାସ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ। ହାତଛଡ଼ା ‌ହୋଇଯାଇଥିବା ସମୟକୁ ନେଇ ରାହାଣେ ଆଦୌ ଅନୁତପ୍ତ ନୁହଁନ୍ତି। ଆଇପିଏଲ୍‌ ସମୟରେ ସେ ଯେଭଳି ସକରାତ୍ମକ ତଥା ଆକ୍ରମଣାତ୍ମକ ଖେଳିଥିଲେ ତାହାକୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ଜାରି ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି। ରାହାଣେଙ୍କ ଅଭିଜ୍ଞତା ଓ ଦକ୍ଷତା ନିଶ୍ଚିତ ଭାରତ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଫାଇନାଲ୍‌ରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବିଶ୍ବାସ କରାଯାଉଛି। ଚାପକୁ ମୁକାବିଲା କରିବା, ଲମ୍ବା ପାଳି ‌ଖେଳିବା ସହିତ ଦଳକୁ ସଫଳତା ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା ରହିଛି। ‘୧୮/୧୯ ମାସ ପରେ ଦଳକୁ ଫେରିଛି। ଏହ‌ି ସମୟ ମଧ୍ୟରେ ଭଲ ହେଉ କି ଖରାପ, ଯାହା କିଛି ଘଟିଗଲା ସେ ବିଷୟରେ ଚିନ୍ତା କରୁନାହିଁ। ଅତୀତ କଥା ନ ଭାବି ନୂଆ ଆରମ୍ଭରେ ବିଶ୍ବାସ ରଖିଛି।

ବ୍ୟକ୍ତିଗତ ଭାବେ ସିଏସ୍‌‌କେ ପାଇଁ ସିଜନ୍ ସାରା ଭଲ ଖେଳିବାକୁ ଉପଭୋଗ କରିଛି। ଏହା ପୂର୍ବରୁ ମଧ୍ୟ ଘରୋଇ କ୍ରିକେଟ୍‌ରେ ଭଲ ଖେଳିଛି। ସେ ଦୃଷ୍ଟିରୁ ଏହି ପ୍ରତ୍ୟାବର୍ତନ ମୋ ପାଇଁ ଭାବପୂର୍ଣ୍ଣ’ ବୋଲି ବିସିସିଆଇ ଟିଭି ସହ କଥା ହେବାବେଳେ ରାହାଣେ ପ୍ରକାଶ କରିଛନ୍ତି। ସିଏସ୍‌କେର ପଞ୍ଚମ ଆଇପିଏଲ୍‌ ଟ୍ରଫି ବିଜୟରେ ଅଂଶୀଦାର ଥିବା ରାହାଣେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଏବଂ ଷ୍ଟ୍ରାଇକ୍ ରେଟ୍‌ ବଢ଼ାଇବା ପରେ ପ୍ରଶଂସିତ ହୋଇଛନ୍ତି। ବିଶେଷ କରି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭ ବଲ୍‌ରୁ ୬୧ ରନ୍‌ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ‘ଆଇପିଏଲ୍‌ ଓ ରଣଜୀ ଟ୍ରଫିରେ ଯେଭଳି ଖେଳିଥିଲି ସେଭଳି ମାନସିକତାରେ ବ୍ୟାଟିଂ କରିବି। ଅଧିକ କିଛି ଜଟିଳ ନ କରି ସରଳ ଭାବେ ଜାରି ରଖିବି’ ବୋଲି ରାହାଣେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରାହାଣେ ଭାରତ ପାଇଁ ୮୨ ଟେଷ୍ଟ୍‌ରୁ ୪,୯୩୧ ରନ୍‌ ସଂଗ୍ରହ କରିଛନ୍ତି। ଖରାପ ଫର୍ମ କାରଣରୁ ଦଳରୁ ବାଦ୍‌ ପଡ଼ିବା ପରେ ପ୍ରତ୍ୟାବର୍ତନ କରିଛନ୍ତି। ୨୦୨୦-୨୧ ବର୍ଡର ଗାଭାସ୍କର ଟ୍ରଫିରେ ଭାରତ କୋହଲିଙ୍କ ଅଧିନରେ ପ୍ରଥମ ଟେଷ୍ଟ୍ ହାରିଯିବା ପରେ ରାହାଣେଙ୍କ ନେତୃତ୍ବରେ ଶୃଙ୍ଖଳାକୁ ୨-୧ରେ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe