ଏସୀୟ ଇନ୍‌ଡୋର ଦୌଡ଼କୁଦରେ ଭାଗନେବେ ଦୂତି

Advertisment
ଏସୀୟ ଇନ୍‌ଡୋର ଦୌଡ଼କୁଦରେ ଭାଗନେବେ ଦୂତି

ନୂଆଦିଲ୍ଲୀ: ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଆସନ୍ତା ଫେବ୍ରୁଆରି ୧ରୁ ୩ ତାରିଖ ପର୍ଯ୍ୟନ୍ତ ଇରାନ୍‌ର ତେହରାନ୍‌ରେ ଆୟୋଜିତ ଅଷ୍ଟମ ଏସୀୟ ଇନ୍‌ଡୋର ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବେ। ଏହି ଦୌଡ଼କୁଦ ପାଇଁ ଶୁକ୍ରବାର ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ)ର ମନୋନୟନ ସମିତି ଏକ ୧୩ ଜଣିଆ ଦଳ ଘୋଷଣା କରିଥିଲା ବେଳେ ସେଥିରେ ଦୂତିଙ୍କ ନାମ ସାମିଲ ରହିଛି। ଏଥି ସହିତ ଫେବ୍ରୁଆରି ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଟେଷ୍ଟ ଇଭେଣ୍ଟ୍‌ ପ୍ରତିଯୋଗିତା ପାଇଁ ପୂର୍ବତନ ଅଲିମ୍ପିଆନ୍‌ ଜିଏସ୍‌ ରାନ୍ଧ୍‌ଓ୍ଵାଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ ସମିତି ଏକ ୩୬ ଜଣିଆ ଦଳ ମଧ୍ୟ ଘୋଷଣା କରିଛି। ଜାକର୍ତା ମଧ୍ୟ ଚଳିତ ବର୍ଷ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅଷ୍ଟାଦଶ ଏସୀୟ କ୍ରୀଡ଼ା ଆୟୋଜିତ କରିବ। ବୁଧବାର ଏଏଫ୍‌ଆଇ ମୁଖ୍ୟାଳୟରେ ଏକ ବୈଠକ ଶେଷରେ ସଂପାଦକ ସିକେ ଭାଲ୍‌ସନ୍‌ କହିଥିଲେ ଯେ ଗତବର୍ଷ ଜାତୀୟ କନିଷ୍ଠ ପ୍ରତିଯୋଗିତା ସାଙ୍ଗକୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଦର୍ଶନ ଏବଂ ଏବର ଫିଟ୍‌ନେସ୍‌ ସ୍ତରକୁ ଭିତ୍ତି କରି ଏସୀୟ ଇନ୍‌ଡୋର ଦୌଡ଼କୁଦ ପାଇଁ ଖେଳାଳି ଚୟନ କରାଯାଇଛି। ଅନ୍ୟପକ୍ଷରେ ଇଣ୍ଡିଆନ୍‌ କ୍ରସ୍‌ କଣ୍ଟ୍ରି ଆଥ୍‌ଲେଟ୍‌ସମାନେ ଆସନ୍ତା ମାର୍ଚ ୧୫ରୁ ଚୀନ୍‌ର ଗୁୟାଙ୍ଗ୍‌ରେ ଆୟୋଜିତ ଚତୁର୍ଦଶ ଏସୀୟ କ୍ରସ୍‌ କଣ୍ଟ୍ରି ପ୍ରତିଯୋଗିତାରେ ଭାଗ ନେବେ ବୋଲି ଏଏଫ୍‌ଆଇ ପକ୍ଷରୁ କୁହାଯାଇଛି। ଏଥିପାଇଁ ଗତ ରବିବାର ଗୋଆରେ ଆୟୋଜିତ ୫୨ତମ ଜାତୀୟ କ୍ରସ୍‌ କଣ୍ଟ୍ରି ପ୍ରତିଯୋଗିତାରେ ପ୍ରଦର୍ଶନକୁ ଭିତ୍ତିି କରି ଦଳ ଚୟନ କରାଯାଇଥିବା କୁହାଯାଇଛି।

ଏସୀୟ ଦୌଡ଼କୁଦ ଦଳ (ପୁରୁଷ): ମହମ୍ମଦ ସାଦତ୍‌ ଓ ଏଲାକ୍ୟା ଦାସନ୍‌ (୬୦ ମିଟର), ସାମ୍‌ସେର୍‌ ଏସ୍‌ଇ ଓ ଶ୍ରୀ ଶଙ୍କର (ଲମ୍ବ ଡିଆଁ), ଅର୍ପିନ୍ଦର ସିଂହ ଓ କମଲ୍‌ ରାଜ୍‌ (ଟ୍ରିପଲ୍‌ ଜମ୍ପ୍‌), ତାଜିନ୍ଦର ସିଂହ ତୁର୍‌ ଓ ଓମ୍‌ ପ୍ରକାଶ ସିଂହ (ସଟ୍‌ପୁଟ୍‌)। ମହିଳା: ଦୂତି ଚାନ୍ଦ (୬୦ ମିଟର), ସଞ୍ଜୀବୀନୀ ଯାଦବ (୩୦୦୦ ମିଟର), ନୟନା ଜେମ୍‌ସ ଓ ନିନା ବରକିଲ୍‌ (ଲମ୍ବ ଡିଆଁ), ସୀନା ଏନ୍‌ଭି (ଟ୍ରିପଲ୍‌ ଜମ୍ପ୍‌)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe