ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ବାହା ହେବେ ଦୂତି

Advertisment
ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ବାହା ହେବେ ଦୂତି

ThePrint

ଭୁବନେଶ୍ବର: ଦୌଡ଼ରାଣୀ ଦୂତି ଚାନ୍ଦ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମହତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଏକଦା ଚାରିଆଡ଼ୁ ବିରୋଧ ଓ ସମାଲୋଚନାର ସମ୍ମୁଖୀନ ହୋଇ ମଧ୍ୟ ପ୍ରେମିକା ମୋନାଲିସାଙ୍କ ହାତ ଛାଡ଼ିନଥିବା ଦୂତି ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାର ଯୋଜନା ବି ରଖିଛନ୍ତି। ଏକ ସାକ୍ଷାତକାର ଅବସରରେ ଦୂତି କହିଛନ୍ତି ଯେ ମହିଳାମାନେ ମୋତେ ଏବେ ସମର୍ଥନ କରୁଛନ୍ତି। ମୋ‌ତେ କୌଣସି ଅସୁବିଧା ହେଉନି। ତେବେ ମୋ ନାଁ’କୁ ନେଇ କେବେ କେବେ ସାମାଜିକ ଗଣମାଧ୍ୟମରେ ଅଯଥା ବିବାଦ ସୃଷ୍ଟି କରାଯାଉଛି। ମୋତେ ନେଇ କିଛି ଲୋକ ଅପମାନଜନକ ଓ ଅଶାଳୀନ ଲେଖା ଲେଖୁଛନ୍ତି। ସାଧାରଣ ଜୀବନରେ ମୁଁ ଯୁଆଡ଼େ ବି ଗଲେ, କେହି ମୋତେ ଏମିତି କଥ‌ା କୁହନ୍ତି ନାହିଁ। ସେମାନେ କେବଳ ଏତିକି ପଚାରନ୍ତି, ତୁମେ କେବେ ବିବାହ କରିବାକୁ ଯାଉଛ? ମୋ ସଂପର୍କକୁ ବିବାହ ରୂପ ଦେବାର ଯୋଜନା ମୋର ଅଛି। ହେଲେ ମୁଁ ଏବେ ଖେଳୁଛି। ଅଧିକାଂଶ ସମୟ ଘରେ ରହି ପାରୁନି। ପ୍ରଶିକ୍ଷଣ ଶିବିରରେ ରହୁଛି, ନହେଲେ ପ୍ରତିଯୋଗିତା ପାଇଁ ଯାତ୍ରା କରୁଛି। ମୁଁ ମୋ ପାର୍ଟନରକୁ କହିଛି ଯେ ଆମ ସଂପର୍କ ଜାରି ରହିବ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଆମେ ଜୀବନରେ କ’ଣ କରିବା? ସେ କଥା ଚିନ୍ତା କରିବା। ତାଙ୍କୁ ଏବେ ମାତ୍ର ୨୨ ବର୍ଷ ଓ ମୋତେ ୨୬। ଏଣୁ ମୁଁ ଆଉ ଦୁଇ ତିନି ବର୍ଷ ଖେଳି, ତାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା କଥା ଚିନ୍ତା କରିବି।

ଭାରତରେ ସଂପ୍ରତି ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ମିଳି ନଥିବାରୁ ସେ କ’ଣ ବିଦେଶରେ ବସବାସ କଥା ଭାବିଛନ୍ତି କି? ବୋଲି ପ୍ରଶ୍ନ ହେବାରୁ ଏଭଳି କୌଣସି ଯୋଜନା ନଥିବା ଦୂତି ରୋକ୍‌ଠୋକ୍ ଭାବେ କହିଥିଲେ। ଏ ବିଷୟରେ ସେମାନେ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଚିନ୍ତା କରିବେ। ଏହା ବି ଅନେକାଂଶରେ ତାଙ୍କ ପାର୍ଟନର ଉପରେ ନିର୍ଭର କରିବ ବୋଲି ଦୂତି ସ୍ପଷ୍ଟ କରି ଦେଇଥିଲେ। ‘‘ମୁଁ ମୋ ଓକିଲଙ୍କ ସହ ଏନେଇ କଥା ହୋଇଛି। ଆମେ ଅଦାଲତରେ ବିବାହ କରିପାରିବୁ ନାହିଁ ବୋଲି ସେମାନେ କହୁଛନ୍ତି। ହେଲେ ପାରମ୍ପରିକ ରୀତିନୀତିରେ ବିବାହ କରିବାରେ ଅସୁବିଧା ନାହିଁ। ଏମିତି କଲେ କିନ୍ତୁ ଆମକୁ ବିବାହ ପ୍ରମାଣପାତ୍ର ମିଳିବ ନାହିଁ। ’’ ବୋଲି ଦୂତି ମତ ରଖିଥିଲେ।
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ମାତ୍ର ଗୋଟିଏ ବର୍ଗରେ ଅଂଶଗ୍ରହଣ କରିବାର କାରଣ ଉପରକୁ ପରଦା ଉଠାଇ ଦୂତି କହିଥିଲେ ଯେ ମୁଁ ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତ ହେଉଥିଲି। ହେଲେ କରୋନା ପାଇଁ ଏହି ପ୍ରତିଯୋଗିତା ସ୍ଥଗିତ ହୋଇଗଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଧାରଣତଃ ୧୦.୬ ସେକେଣ୍ଡରୁ ୧୦.୮ ସେକେଣ୍ଡ ଟାଇମିଂ ପାଉଥିବା ଖେଳାଳିମାନେ ପଦକ ଜିତିପାରନ୍ତି। ସଂପ୍ରତି ମୋ ଶରୀରର ଶକ୍ତି ଯାହା ଏହି ଟାଇମିଂ ଛୁଇଁବା କଷ୍ଟକର। ଅନ୍ୟପକ୍ଷରେ ଗତଥର ଏସୀୟ କ୍ରୀଡ଼ାରେ ୧୧.୩୨ ସେକେଣ୍ଡ ସମୟ ନେଇ ମୁଁ ରୌପ୍ୟ ପଦକ (ମହିଳା ୧୦୦ ମିଟର) ଜିତିଥିଲି। ଏଣୁ ଏଥରର ବର୍ମିଂହାମ କ୍ରୀଡ଼ାରେ ମୁଁ କେବଳ ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ଅଂଶଗ୍ରହଣ କରୁଛି। ଏସୀୟ କ୍ରୀଡ଼ାରେ କିନ୍ତୁ ଅନ୍ୟୂନ ଦୁଇଟି ବର୍ଗରେ ପ୍ରତିଦ୍ବନ୍ଦ୍ବିତା‌ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe